ସ୍ୱାସ୍ଥ୍ୟ ବିଭାଗର ନିଘା ନାହିଁ ବୃଦ୍ଧି : ପାଉଛି କିଡ୍ନୀ ରୋଗ

 କବାଟବନ୍ଧ :  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତରେ କୀଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଗର ସ୍ଥିତି ଅନୁଧ୍ୟାନ କରି ବିହିତ ପଦକ୍ଷେପ ନିଆଯାଉନି । ଯାହାଫଳରେ କିଡ୍ନୀ ରୋଗ ଧିରେ ଧିରେ ଏହି ଅଞ୍ଚଳକୁ କରାୟତ କରିଚାଲିଛି । ଖାଲି ବୃଦ୍ଧ, ବୃଦ୍ଧା ନୁହନ୍ତି ଭେଣ୍ଡିଆ ମଧ୍ୟ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପାଣି ଓ ପବନର ବଳୟରେ ରୁନ୍ଧିହୋଇ ଯାଇଥିବା ଏହି ପଞ୍ଚାୟତର ବଳରାମପୁରଗଡ଼ ତାଳଜଙ୍ଗ, ରାମପୁର କଇଥା ଗ୍ରାମ । କିଏ ଭେଣ୍ଡିଆ ପୁଅକୁ ହରାଉଛି ତ କିଏ ସ୍ୱାମୀକୁ ହରାଉଛି । ପଞ୍ଚାୟତର ବଳରାମପୁରଗଡ଼, ତାଳଜଙ୍ଗ, ରାମପୁର କଇଥା ଭଳି ଆଖପାଖ ଗ୍ରାମରେ ରୋଗ ବୃଦ୍ଧିପାଇବାରେ ଲାଗିଛି । ଅନେକ ମୃତୁ୍ୟ ବରଣ କରିଥିବା ସ୍ଥଳେ କିଏ ଶଯ୍ୟାଶାୟୀ ତ କିଏ ପାଉଛି ଯନ୍ତ୍ରଣାରେ ଦିନ କାଟୁଛି । କେତେକ ଅର୍ଥ ଅଭାବରୁ ସଠିକ ଚିକିତ୍ସା ହୋଇପାରୁ ନାହାଁନ୍ତି । କେଉଁ କାରଣରୁ ରୋଗ ବୃଦ୍ଧି ପାଉଛି ଏହାର ନିରାକରଣ ଦିଗରେ କୌଣସି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ହାତକୁ ନିଆଯାଉନାହିଁ । ରୋଗ ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀ ଭୟର ବାତାବରଣ ଖେଳିଯାଇଛି । ପାଖକୁ ଲାଗି ଗଢି ଉଠିଥିବା କ୍ରସର, ଖଣିରେ ପଥର ବ୍ଲାଷ୍ଟିଂ ହେବାଦ୍ୱାରା ଚାରିଆଡେ ଧୂଳି ଧୂଆଁର ପଦୂଷଣ । ରାସ୍ତାଘାଟ, ଗଛଲତା ସବୁଠି ଧୂଳିର ଆସ୍ତରଣ । ପାନୀୟ ଜଳ ପ୍ରଦୂଷିତ ହୋଇ ଏହି ରୋଗ ବ୍ୟାପୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ରୋଗ ନିରାକରଣ ଦିଗରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।