ଅସୁସ୍ଥ ହାତୀକୁ ଛାଡି ଚାଲିଗଲେ ହାତୀପଲ

ନୀଳଗିରି : ପ୍ରତିବର୍ଷ ଭଳି ଚଳିତବର୍ଷ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଏହି ୨୭ ଟିକିଆ ହାତୀ ପଲ ବୁଧବାର ଭୋର ସମୟରେ ନୀଳଗିରି ରେଞ୍ଜ ଅଯୋଧ୍ୟା ପିଚୁ ରାସ୍ତା ପାର କରି ତିନିକୋଶିଆ ଓ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ । ଏହି ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱକୁ ସଂଲଗ୍ନ ଥିବା ଚାଷଜମିରେ ପାଚିଲା ଧାନକୁ ଯେତିକି ଖାଇଥିଲେ, ତା’ଠୁ ଅଧିକ ଦଳି ମକଚି ନଷ୍ଟ କରିଥିଲେ । ପରେ ଗୁରୁବାର ଭୋର ସମୟରେ ଗୋଟିଏ ଅସୁସ୍ଥ ହାତୀକୁ ଛାଡି, ହାତୀ ପଲ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ସୀମା ପାର ହୋଇ ମୟୂରଭଞ୍ଜ ଅଞ୍ଚଳକୁ ଫେରି ଯାଇଥିଲା ବେଳେ ଜଗିରହିଛି ଗୋଟିଏ ଦନ୍ତା ହାତୀ । ନୀଳଗିରି ବନବିଭିଗ ଏହି ଛୁଆ ହାତୀର ମୁଁହ ଫୁଲିବା ସହ ପାଟି ଭିତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପାଟିରୁ ରକ୍ତ ସ୍ରାବ ହେଉଥିବା ନଜରକୁ ଆସିଥିଲା । ପରେ ଏହି ଘଟଣା ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଜଣାଯାଇଥିଲା । ବନଖଣ୍ଡ ଅଧିକାରୀ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ମନୱର ଖାଁ ଓ ପଶୁଚିକିତ୍ସକ ଅଭିଳାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ତାର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ପ୍ରାଥମିକ ତଦନ୍ତରୁ ହାତୀର ବୟସ ୫ରୁ ୬ ବର୍ଷହେବ ଏବଂ ହାତୀର ପାଟି ଭିତରେ କୈଣସି ପ୍ରକାର ଗଭୀର କ୍ଷତ ସୃଷ୍ଟି ହୋଇଛି । ଫଳରେ ଛୁଆ ମାଇ ହାତୀଟି ଅତି ଦୁର୍ବଳ ହୋଇପଡିଛି । ଅସୁସ୍ଥ ହାତୀକୁ ନୀଳଗିରି ବନବିଭାଗ ଜଗି ରହିଥିବା ଜଣାପଡିଛି ।