ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା
ଯାଜପୁର : ଟିପିଏନ୍ଓଡିଏଲ୍ ପକ୍ଷରୁ ଯାଜପୁର ଧନ୍ଦାମୂଳକ କେନ୍ଦ୍ରରୁ ଉତୀର୍ଣ୍ଣ ପ୍ରଶିକ୍ଷାର୍ଥୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସାକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କୁ ପାଠ୍ୟକ୍ରମ ଶେଷର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଟିପିଏନଓଡିଏଲ ସିଇଓ ଶ୍ରୀ ବସାକ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଧନ୍ଦାମୂଳକ ତାଲିମ ସହ ଏହି ସାର୍ଟିଫିକେଟ ପ୍ରଦାନ ଏକ ଔପଚାରିକତା ମାତ୍ର, ଏହାକୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହେବାକୁ ସେ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ଯାଜପୁର ଭିଟିସିରୁ ଟେଲରିଂ, କମ୍ପ୍ୟୁଟର, ଇଲେକ୍ଟ୍ରିକାଲ୍ ଉପକରଣ ମରାମତି ଏବଂ ସ୍ପୋକେନ୍ ଇଂରାଜୀ ଆଦି ପାଠ୍ୟକ୍ରମ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ୨୫୦ଜଣ ପ୍ରଶିକ୍ଷାର୍ଥୀମାନଙ୍କୁ ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ଅନୁମୋଦିତ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ୬୫୦ରୁ ଅଧିକ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ କେନ୍ଦ୍ରରୁ ଉତୀର୍ଣ୍ଣ ହୋଇଥିବାବେଳେ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପାଇଛନ୍ତି । ନିଯୁକ୍ତି ଓ ନିୟୋଜନ କାର୍ଯ୍ୟକ୍ରମ ‘ରୋଶନି’ ଅଧୀନରେ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ୨ହଜାରରୁ ଅଧିକ ଯୁବବର୍ଗ ଏଥିରେ ଉପକୃତ ହୋଇଛନ୍ତି ।