କମିଶନରେଟ ପୁଲିସ୍ ପାଇଁ ସରକାର ବଦନାମ୍


  • ହଜିଗଲାଣି ସିପି ଓ ଡିସିପିଙ୍କ ନିଦ ; ଖାଲି ମଦୁଆଙ୍କୁ ଧରି ନିଶ ମୋଡୁଥିଲେ
    ଭୁବନେଶ୍ୱରରୁ ଜିତେନ୍ଦ୍ର ସାହୁ : ରାତି ହେଲେ ଛକରେ ପଇଁତରା ମାରୁଥିଲେ ପୁଲିସ୍  । ଅପରାଧ ରୋକିବାକୁ କି ଅପରାଧିଙ୍କୁ ଧରିବାକୁ ନୁହେଁ, କେବଳ ମଦୁଆଙ୍କୁ ହିଁ ଛକୁଥିଲେ  । ଡ୍ରାଇଭ, ସ୍ପେଶିଆଲ୍ ଡ୍ରାଇଭ ଭଳି ଆଳଙ୍କାରିକ ଶବ୍ଦ ବ୍ୟବହାର କରି କମିଶନରେଟ୍ ପୁଲିସ ନିଜ ପିଠିକୁ ନିଜେ ଥାପୁଡ଼ାଉଥିଲା  । ସେପଟେ ଅପରାଧି ଓ ରୋଡ଼ ରୋମିଓ ଖୁଲମଖୁଲା ରାଜ୍ କରୁଥିଲେ  । ନାହିରେ ତେଲ ପକାଇ ଶୋଇ ପଡ଼ିଥିବା କମିଶନରେଟ୍ ପୁଲିସର ନିଦ କିନ୍ତୁ ଏବେ ହଜିଯାଇଛି  । ସିପି, ଡିସିପିଙ୍କ ଠାରୁ ନେଇ ବଡ଼ ବାବୁଙ୍କ ଯାଏଁ ଆଉ ଶୋଇପାରୁନାହାନ୍ତି  । କମିଶନରେଟ୍ ପୁଲିସ୍ ପାଇଁ ମୋହନ ସରକାର ବଦନାମ୍ ହୋଇଯାଇଛନ୍ତି  । ଯାହାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଥିବାବେଳେ କମିଶନରେଟ୍ ପୁଲିସ୍କୁ କଡ଼ା ଚେତାବନୀ ଦେଇଛନ୍ତି  ।
    ଭରତପୁର ଥାନା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟିକରିଛି  । ମୁଖ୍ୟ ବିଚାରପତିଙ୍କୁ ସେନାବାହିନୀ ପକ୍ଷରୁ ପତ୍ର ବି ଲେଖାହୋଇଛି  । ଖାଲି ସେତିକିନୁହେଁ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ହେଭିୱେଟ୍ ନେତ୍ରୀ ଏନେଇ କଡ଼ା ଟିପ୍ପଣୀ ବି ଦେଇଛନ୍ତି  । ନିକଟ ଅତୀତରେ ଏଭଳି ଘଟଣା ଅବା ଜାତୀୟସ୍ତରର ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା  । ଯାହାକି କମିଶନରେଟ ପୁଲିସର ଅପାରଗ ପଣିଆକୁ ପଦାରେ ପକାଇଛି  । ସବୁଠାରୁ ବଡ଼ କଥା ହେଉଛି, ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ କମିଶନରେଟ ପୁଲିସର ତତ୍ପରତାକୁ ନେଇ ବି ପ୍ରଶ୍ନ ଉଠିଛି  । ପ୍ରାରମ୍ଭରେ ସବୁ ଦୋଷ ଝାଡ଼ିଝୁଡ଼ି  ଦେଇ ପୁଲିସ ସଫାସୁତରା ହେବାକୁ ପ୍ରୟାସ କରିଥିଲା  । କିନ୍ତୁ ଏହାକୁ ନେଇ ପୂର୍ବତନ ସେନାବାହିନୀ ଅଧିକାରୀମାନେ ପ୍ରତିକ୍ରିୟା ବ୍ୟକ୍ତ କରିବା ପରେ ଆଉ ଦୋଷ ଲୁଚା ଯାଇପାରିନଥିଲା  ।
    ଖାଲି ସେତିକିନୁହେଁ ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି ଲୁଟ୍, ଡକାୟତି, ହତ୍ୟା, ବୋମାମାଡ, ହଣାକଟା, ଅସଦାଚରଣ ଭଳି ଅପରାଧ । ଏହା ସହ ନିଶା କାରବାରରେ ମଧ୍ୟ ୧ ନମ୍ବରରେ ରହିଛି ଭୁବନେଶ୍ୱର  । ଯାହାକୁ ନେଇ କମିଶନରେଟ୍ ପୁଲିସ ବିଭିନ୍ନ ଟିମ ଗଠନ କରିବା ସହ ପ୍ରତେକ ଥାନାରେ ମଧ୍ୟ ସ୍ପେଶାଲ ଟିମ ଗଠନ କରାଯାଇଛି । ନିଜେ ସିପି ଓ ଡ଼ିସିପି ରାତି ତମାମ ପେଟ୍ରୋଲିଂ କରିବା ସହ କେମିତି ରାଜଧାନୀରୁ ଅପରାଧ, ନିଶା କାରବାରକୁ ନିପାତ କରାଯାଇ ପାରିବ ସେ ନେଇ ବହୁ ମାଷ୍ଟର ପ୍ଲାନ ମଧ୍ୟ ତିଆରି କରାଯାଇ ତାହାକୁ କାର୍ଯ୍ୟ କରାଯାଉଛି । ହେଲେ ଅପରାଧ ଓ ନିଶା କାରବାର କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାର କାରଣ ରାତିରେ ପୁଲିସ ବ୍ଲକିଂ, ଚେକିଂ ପାଟ୍ରୋଲିଂ ଓ ସେଫ ସିଟି ଡ୍ରାଇଭ ଚଳାଇ ଖଟି ଓ ମଦୁଆଙ୍କ ପଛରେ ପଡ଼ି ଚାନ୍ଦା ଆଦାୟରେ ଲାଗିପଡ଼ିଥିବା ପ୍ରାୟତଃ ଦେଖାଯାଉଛି । 
    ରାତି ୧୨ଟା ପରେ ରାଜଧାନୀରେ ଜଣେ ବି ପୁଲିସର ଦେଖା ମିଳୁନାହିଁ । ଯାହା ଦ୍ୱାରା ରାତି ହେଲେ ଅପରାଧୀ, ମଦୁଆ, ଅସମାଜିକ ଯୁବକ ଓ ରୋଡ଼ ରୋମିଓଙ୍କ ଆରମ୍ଭ ହେଉଛି ରାଜୁତି । କିଏ କାହାକୁ ରାତିରେ ଏକାଦେଖି ଲୁଟ୍ କଲାଣି ତ କିଏ ମହିଳାଙ୍କୁ ଅସଦାଚରଣ କଲାଣି  । ଆଉ କିଏ ପୂର୍ବ ରାଗକୁ ନେଇ ବୋମାମାଡ, ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟି କଲାଣି । ରାତି ତମାମ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚୋରାରେ ମଦ ମିଳୁଛି । ଯାହାଫଳରେ ରାତି ହେଲେ ବାହାରକୁ ବାହାରିବା ଓ ରାସ୍ତାରେ ଏକା ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି ରାଜଧାନୀବାସୀ  । ଏପଟେ ଜନତାଙ୍କ ସୁରକ୍ଷା ଓ ସଚେତନତା କରି ଡେଙ୍ଗୁରା ପିଟୁଥିବା କମିଶନରେଟ୍ ପୁଲିସର ଗୁମର କହିଲେ ନ ସରେ  । ରାତିରେ ଥାନାକୁ ଅବା କୌଣସି ଅଫିସରଙ୍କୁ ଅସୁବିଧାରେ ପଡ଼ି କିମ୍ବା କୌଣସି ସୂଚନା ବିଷୟରେ ଜଣାଇବାକୁ ଯଦି କେହି କଲ କରନ୍ତି ତାହାହେଲେ ପୁଲିସ କଲ ବି ରିସିଭ୍ କରୁନାହିଁ । 
    ଥାନାରେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ମିଳୁଛି ଧମକ ଓ ନିର୍ଯ୍ୟାତନା  । ଏମିତିକି ଅପରାଧୀଙ୍କୁ ଛାଡି ଅଭିଯୋଗକାରୀଙ୍କ ନାଁରେ ହେଉଛି ମାମଲା । ଜେଲ ପଠାଇବାକୁ ଥାନା ଅଧିକାରୀଙ୍କ ଠାରୁ ମିଳୁଛି ଧମକ । ଦଲାଲ, ଜମି ମାଫିଆ, ଠକ, ବିଲଡରମାନଙ୍କ ସହ ହାତ ମିଳାଇଛି ପୁଲିସ । ଯାହାକୁ ନେଇ ଖୁଲମ ଖୁଲା ରାଜଧାନୀରେ ଘଟୁଛି ଅପରାଧ, ହେଉଛି ବୋମାମାଡ, ଫୁଟୁଛି ଗୁଳି । ହେଲେ ପୁଲିସ ନିଦ୍ରାରେ ।
    ଗତ କିଛିଦିନ ତଳେ ଚନ୍ଦକା ପଥରଗାଡିଆରେ ଏକ ଜମିକୁ ପୋଜେସନ୍ ଦେବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ବୋମାମାଡ, ଉଡିଥିଲା ବାଇକ । ଏହି ସମୟରେ କୁଆଡେ ଥାନା ଅଧିକାରୀ ସ୍ଥାନୀୟ କୁଜି ନେତାଙ୍କ ଇସାରାରେ ମୋଟା ଅଙ୍କର ଟଙ୍କା ନେଇ ମାମଲାକୁ ଚାପିଦେଇ ଏକ ଗଣ୍ଡଗୋଳର ରୂପ ଦେଇଥିବା ଜଣାପଡ଼ିଛି । ସେହିଭଳି ଦୁଇ ଜଣ ବିଲଡ଼ରଙ୍କ ଠାରୁ ମଧ୍ୟ କୁଆଡେ ଚନ୍ଦକା ଥାନା ଅଧିକାରୀ ମାମଲାକୁ ରଫାଦଫା କରିବାକୁ ୧୦ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ଜଣେ ପୁଲିସ କର୍ମଚାରୀ ସୂଚନା ଦେଇଥିଳେ  । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଞ୍ଚେଶ୍ୱର ଥାନାରେ ମଧ୍ୟ ଏକ ଘଟଣା ପଦାକୁ ଆସିଛି । ଜଣେ ବିଲଡରକୁ ପୁଲିସ ନିଜର ଛତ୍ରଛାୟା ତଳେ ରଖି ଅଭିଯୋଗକାରୀଙ୍କୁ ହଇରାଣ କରିବାର ବି ଅଭିଯୋଗ ଆସିଛି  । ଜମି ଉପରେ କାମ ବନ୍ଦ ରହିବାକୁ କୋର୍ଟଙ୍କ ନିଦେ୍ର୍ଦଶ ରହିଥିବା ବେଳେ ସେଠାରେ ପୁଲିସ ମୋଟା ମାଲ ପକାଇ ବିଲଡରଙ୍କୁ ସହଯୋଗ କରି ଅଭିଯୋଗକାରୀଙ୍କୁ ଓଲଟି ଧମକାଇବା ମହଙ୍ଗା ପଡ଼ିଛି । ଅଭିଯୋଗକାରୀ ଜଣଙ୍କ ଶେଷରେ ଡ଼ିସିପିଙ୍କୁ ଦେଖା କରିବା ପରେ ଅତିରିକ୍ତ ଡ଼ିସିପି ଥାନା ଅଧିକାରୀଙ୍କୁ ତାଗିଦ୍ ପରେ ପୁଣି ସେଠାରେ କାମ ବନ୍ଦ ରହିଥିବା ଜଣାପଡ଼ିଛି । ଏଭଳି ବହୁ ଥାନା ରହିଛି ଯେଉଁଠି କି ବହୁ କେଳେଙ୍କାରି ଚାଲୁଛି ଯାହା ପଦାକୁ ଦେଖାଯାଉନାହିଁ । ଭିତରେ ଭିତରେ ସବୁ ସମାଧାନ ହୋଇଯାଉଥିବା ଜଣାପଡ଼ିଛି । 
    ଏହାସହ ବିଭିନ୍ନ ଥାନାରେ କାମ କରୁନାହିଁ ସିସିଟିଭି କ୍ୟାମେରା । ଯାହାଦ୍ୱାରା ବଡ଼ ବଡ଼ ଘଟଣା ଥାନା ଭିତରେ ରହିଯାଉଛି । ହେଲେ ବେଳେବେଳେ ସତ୍ୟ ସାମ୍ନାକୁ ଆସିବା ଯୋଗୁଁ କମିଶନରେଟ ପୁଲିସର ଅସଲ ଛବି ହାଟରେ ପଡ଼ି ଦାଣ୍ଡରେ ଗଡୁଛି  । ବେମୁରବୀ ଅବସ୍ଥାରେ କମିଶନରେଟ ପୁଲିସ ଚାଲିଥିବାରୁ ଭରତପୁର ଥାନା ଭଳି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟିକରିଛି  ।  ଆଗାମୀ ଦିନରେ ଆଇପିଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି  । ଫଳରେ କମିଶନରେଟ୍ ପୁଲିସର ବଡ଼ ବଡ଼ ଅଧିକାରୀମାନେ ଏବେଠାରୁ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି  ।