‘କୁଡୁମୀଙ୍କ ଅଧିକାର ପାଇଁ ଜାରି ରହିବ ଲଢ଼େଇ’

 ବେତନଟୀ:  ପଶ୍ଚିମବଙ୍ଗ ରାଜ୍ୟକୁ ଲାଗି ଦୁଇଟି ଦେଶ ବାଙ୍ଗଲାଦେଶ ଓ ଭୁଟାନ ଅଞ୍ଚଳରେ ବସବାସ କରୁଥିବା କୁଡୁମୀ ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ କହିଛନ୍ତି । ପଶ୍ଚିମବଙ୍ଗ ଆଲିପୁରଦୁଆର୍ ଜିଲ୍ଲାର ଭାଷା ଡ଼ାବରି ଠାରେ ଆଲିପୁରଦୁଆର୍ କୁଡୁମୀ ଉନ୍ନୟନ ସମିତି ଦ୍ୱାରା ଅନୁଷ୍ଠିତ କୁଡୁମୀ ସମ୍ମିଳନୀ ଓ କୁଡୁମୀ ସାଂଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ମହାନ୍ତ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟର କୁଡୁମୀ ସମାଜର ସଭାପତି ରାଜେଶ ମାହାତ, ଝାଡଖଣ୍ଡ ରାଜ୍ୟର ଦୀପକ ମାହାତ ଏବଂ ବିଭିନ୍ନ ରାଜ୍ୟର କୁଡୁମୀ ସଙ୍ଗଠନର ମୁଖ୍ୟ ସବୁ ଯୋଗଦାନ କରିଥିଲେ । ଆଲିପୁରଦୁଆରରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ବହୁ ବର୍ଷ ସମୟ ଧରି ରହି ଆସୁଛନ୍ତି । ଶ୍ରୀ ମହାନ୍ତ ଏହି ସଭାରେ ଯୋଗ ଦେଇ କୁଡୁମୀ ମାନଙ୍କର ସମସ୍ୟା ବିଷୟରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ସହିତ କୁଡୁମୀମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ଦାବି ଜଣାଇଥିଲେ । ଶ୍ରୀ ଦ୍ୱିଜେନ ମାହାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ହଜାର ହଜାର କୁଡୁମୀ ପୁରୁଷମହିଳା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ପଶ୍ଚିମବଙ୍ଗ କୁଡୁମୀ ସମାଜର ସଭାପତି ରାଜେଶ ମାହାତ ଏବଂ କୁଡୁମୀ ସେନାର ବୁଲୁ ମହାନ୍ତ, ମହେଶ୍ୱର ମହାନ୍ତ, ଟିକିନା ମହାନ୍ତ, ଟିକିଲି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରେ ଚାଲିଥିବା କୁଡୁମୀ ସେନାର କାର୍ଯ୍ୟକ୍ରମରେ ଉତ୍ତରବଙ୍ଗ କୁଡୁମୀ ସମାଜର କର୍ମକର୍ତ୍ତାମାନେ  ଉଦବୁଦ୍ଧ ହୋଇ ଓଡ଼ିଶା କୁଡୁମୀ ସେନାର ପରାମର୍ଶ ଓ ସହଯୋଗ ଲୋଡିଥିଲେ । ଏଣୁ ଓଡ଼ିଶାର କୁଡୁମୀ ସେନା ପକ୍ଷରୁ ଉତ୍ତରବଙ୍ଗ କୁଡୁମୀମାନଙ୍କ ଅଧିକାର ପାଇଁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନାର ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଥିଲେ ।