କୋଠା-୧୭, କୋଠରୀ-୧୩ରୁ ହେଉଥିଲା ଆତଙ୍କୀ ଷଡଯନ୍ତ୍ର

କୋଠା-୧୭, କୋଠରୀ-୧୩ରୁ ହେଉଥିଲା ଆତଙ୍କୀ ଷଡଯନ୍ତ୍ର

ଡିସେମ୍ବର ୬ରେ ବି କରିଥାନ୍ତେ ବିସ୍ଫୋରଣ

ନୂଆଦିଲ୍ଲୀ : ହରିୟାଣାର ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୧୭ ନମ୍ବର କୋଠା, ୧୩ ନମ୍ବର କୋଠରୀର ବାଳକ ହଷ୍ଟେଲ ହ୍ୱାଇଟ କଲାର ଆତଙ୍କବାଦୀ ମଡ୍ୟୁଲ ପାଇଁ କାର୍ଯ୍ୟ କରୁଥିଲା । ଯେଉଁଠାରେ କଠୋର ପନ୍ଥୀ ଡାକ୍ତରମାନେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସିରିଜ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କୁ ଏବେ ଗିରଫ କରାଯାଇଛି । ବିସ୍ଫୋରଣର ଗୋଟିଏ ଦିନ ପୂର୍ବରୁ ଡାକ୍ତର ମୁଜାମ୍ମିଲ୍‌ ଶକିଲ ଯିଏ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟ କରୁଥିଲେ, ତାଙ୍କ ଭଡା ଘରୁ ୨୯୦୦ କିଲୋଗ୍ରାମ ଆଇଇଡି ତିଆରି ସାମଗ୍ରୀ ଜବତ କରାଯାଇଥିଲା । 

     ଭାରତରେ ପାକିସ୍ତାନ ଭିତ୍ତିକ ଜୈଶ୍‌-ଏ-ମହମ୍ମଦର ମହିଳା ଶାଖା ସ୍ଥାପନ କରିବାର ଦାୟିତ୍ୱରେ ଥିବା ଡକ୍ଟର ଶାହିନ ଶାହିଦ ମଧ୍ୟ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଥିଲେ । ହଷ୍ଟେଲର ୧୩ ନମ୍ବର ରୁମ୍‌ ଡାକ୍ତର ମୁଜାମ୍ମିଲଙ୍କ ଥିଲା, ଯିଏ କାଶ୍ମୀରର ପୁଲୱାମାରୁ ଆସିଛନ୍ତି । ଏହି କୋଠରୀ ଭିତରେ ସେ ଅନ୍ୟ ମୌଳବାଦୀ ଡାକ୍ତରଙ୍କ ସହ ସାକ୍ଷାତ କରିଥିଲେ ଓ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ରାଜ୍ୟଗୁଡ଼ିକରେ ସମନ୍ୱିତ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ ହୋଇଛି । ପ୍ରକୃତରେ ଡିସେମ୍ବର ୬ ତାରିଖରେ ବାବରୀ ମସଜିଦ ଭଙ୍ଗା ବାର୍ଷିକୀରେ ପ୍ରତିଶୋଧ ସ୍ୱରୂପ ୬ଟି ସହରରେ ବିସ୍ଫୋରଣ ଯୋଜନା କରାଯାଉଥିଲା ବୋଲି ଗିରଫ ଅଭିଯୁକ୍ତଙ୍କ ପଚରାଉଚରାରୁ ଜଣାପଡ଼ିଛି ।