ଖବର ପ୍ରକାଶ ପରେ ଅଳିଆ ସଫା କରି କାମ ସାରିଦେଲେ
ବ୍ରହ୍ମବରଦା: ଡ଼ାକ ବିଭାଗର ଖାମଖିଆଲ ମନୋଭାବ ପାଇଁ ଖୋଲା ମେଲାରେ ପଡିଛି ପୋଷ୍ଟବକ୍ସ । ଯେମିତିକି ଅଲୋଡା ହୋଇପଡିଛି ପୋଷ୍ଟ ବକ୍ସ । ନୂତନ ପୋଷ୍ଟ ବକ୍ସ ଲଗା ଯାଉନି କି ତାର ମରାମତି କରାଯିବାର ସୁବ୍ୟବସ୍ଥା ହେଉନି । ଫଳରେ ପୂର୍ବପରି ଗ୍ରାମବାସୀ ଚିଠି ପକାଇବାରୁ ବଞ୍ଚିତ ହୋଇ ପୋଷ୍ଟ ଅଫିସରେ ପଇଠ କରୁଛନ୍ତି । ଚଳିତମାସ ୨ତାରିଖରେ "ପୋଷ୍ଟ ଅଫିସ ସାମ୍ନାରେ ଅଲୋଡା ପୋଷ୍ଟ ବକ୍ସ’ ଶୀର୍ଷକ ଖବର ଦୈନିକ ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ବ୍ରହ୍ମବରଦା ପୋଷ୍ଟ ଅଫିସ ପକ୍ଷରୁ ତତ୍ପରତା ଦେଖାଯାଇଥିଲା । କିନ୍ତୁ ବିଡମ୍ବନା ପୋଷ୍ଟ ଅଫିସର କର୍ମଚାରୀ ଜରାଜୀର୍ଣ୍ଣ ଭାବେ ପଡିରହିଥିବା ପୋଷ୍ଟ ବକ୍ସର ଚତୁଃପାର୍ଶ୍ୱରୁ କେବଳ ଅଳିଆ ଆବର୍ଜନାକୁ ସଫା କରିଦେଇ ତାଙ୍କର କର୍ତ୍ତବ୍ୟ ଶେଷ କରିଦେଇଥିବା ବେଳେ, ତାର ପ୍ରତିକାର ସ୍ୱରୂପ କୌଣସି ନୂତନ ପୋଷ୍ଟ ବକ୍ସ ଲଗାଇବା କିମ୍ୱା ତାର ମରାମତି କରି ଲୋକଙ୍କୁ ସେବା ଯୋଗାଇଦେବା କଥାଟା ଭୁଲି ଯାଇଥିଲେ । ଏଥିରୁ ସୂଚୀତ ହେଉଛି କି ଡାକ ବିଭାଗର ଅଧିକାରୀଙ୍କ କାର୍ଯ୍ୟଧାରା ଏଯାଏ ବଦଳିନି । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପୋଷ୍ଟବକ୍ସର ତୁରନ୍ତ ସୁବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।