ଦମକଳ କେନ୍ଦ୍ର ଓ ପୁଲିସ ଫାଣ୍ଡି ଖୋଲିବାକୁ ଦାବି
ବୈଶିଙ୍ଗା : ବୈଶିଙ୍ଗା ବଜାର ଠାରେ ଏକ ଦମକଳ କେନ୍ଦ୍ର ସହିତ କଳମା ଓ ଅଁଳା ଠାରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ବିଧାୟକ ସନାତନ ବିଜୁଳି ମୂଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ସୋମବାର ସାକ୍ଷାତ କରି ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ସହିତ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ବ୍ଲକର ୨୪ ଟି ପଞ୍ଚାୟତରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସହାୟତା ନିମନ୍ତେ ବେତନଟୀ ଠାରେ ଏକ ଦମକଳ କେନ୍ଦ୍ର ରହିଛି । ହେଲେ ଆପଦକାଳୀନ ସ୍ଥିତିରେ ବେତନଟୀ ଠାରୁ ତିରିଶ କିମି ଦୁରରେ ଥିବା ଅଁଳା , ହରିପୁର , ସଇତପୁର , ପୁରୁଣିଆ ଭଳି ଅନେକ ଗୁଡ଼ିଏ ଗ୍ରାମରେ ପହଞ୍ଚିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇସାରିଥାଏ । ତେଣୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏହାକୁ ନେଇ ଦୀର୍ଘ ୨୫ ବର୍ଷ ହେବ ବିଭିନ୍ନ ସମୟରେ ଦାବି ହୋଇଆସୁଛି ।
ଏନେଇ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ଓ ଅଁଳା ଠାରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । କଳମା , ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ବେଳେ ଏଠାରେ ଭିନ୍ନ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ଦେଖିବାକୁ ମିଳେ । ଏହି ଅଞ୍ଚଳରେ ନିଷିଦ୍ଧ ଘୋଷିତ ନିଶାଦ୍ରବ୍ୟ କାରବାର ମଧ୍ୟ ବହୁଳ ମାତ୍ରାରେ ଚାଲିଥାଏ । ଅପରାଧୀ ମାନେ ପୋଲିସ ଆଖିରେ ଧୂଳି ଦେଇ ପଡୋଶୀ ଜିଲ୍ଲାକୁ ଖସିଯିବା ସହଜ ହୋଇଥାଏ । ଏଭଳି ସ୍ଥିତିରେ ଦୁଇଟି ଫାଣ୍ଡି ପ୍ରତିଷ୍ଠା ସହିତ ବୈସିଙ୍ଗା ଠାରେ ଦମକଳ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।