ନାବାଳିକା ନିଖୋଜ ଘଟଣା : ଥାନା ଆଗରେ ଧାରଣାରେ ବସିଲେ ପରିବାର
ସିଂହପୁର: ନାବାଳିକା ଝିଅ ଅପହରଣ ଘଟଣାକୁ ମାସ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଝିଅକୁ ଠାବ କରିପାରୁନାହିଁ । ଫଳରେ ସୋମବାର ନ୍ୟାୟ ପାଇଁ ଓ ନିଖୋଜ ଝିଅକୁ ଖୋଜି ଆଣିବା ଦାବିରେ ପରିବାର ଲୋକ ଅଳକୁଣ୍ଡ ଥାନା ସମ୍ମୁଖରେ ଧାରଣରେ ବସିଥିଲେ । ଅଭିଯୋଗ ଅନୁଯାୟୀ ଅଳୁକୁଣ୍ଡ ଥାନା ଅନ୍ତର୍ଗତ ବାଗସାହି ଗ୍ରାମର ଗଦାଧର ମଲ୍ଲିକ ଝିଅ ସୁଭଦ୍ରା ଚଳିତବର୍ଷ ଫେବୃୟାରୀ ମାସ ୭ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକେ ବାରମ୍ବାର ଥାନା ଠାରୁ ଆରମ୍ଭ କରି ଏସପିଙ୍କ କାର୍ଯ୍ୟାଳୟକୁ ନ୍ୟାୟ ପାଇଁ ଧାଇଁମଧ୍ୟ ସୁଫଳ ପାଇନାହାନ୍ତି । ପୁଲିସ କେବଳ ମାମଲା ରୁଜୁ କରି ନୀରବ ବସିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଝିଅକୁ ତୁରନ୍ତ ଖୋଜି ଆଣିବାକୁ ଦାବି କରି ପରିବାର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଘଟଣା ସ୍ଥଳରେ ଆଇଆଇସି ଦେବାଶିଷ ଶତପଥି, ଏସଡିପିଓ ପିକେମାଝୀ ପ୍ରମୁଖ ପହଁଛି ପରିବାର ଲୋକଙ୍କୁ ବୁଝାସୁଝା କରି ସପ୍ତାହ ମଧ୍ୟରେ ଝିଅକୁ ଖୋଜିଆଣିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।