ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବ୍ୟାସନଗର : ଗୁରୁବାର ପୌରାଞ୍ଚଳ ଚୋରଦା ଛକ ସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀ ଅଫିସ ଭିତରୁ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଚୋରଦା ଛକ ମେଳଣ ପଡିଆ ସମ୍ମୁଖରେ ୫ବର୍ଷ ହେବ ସାଟିନ୍ କ୍ରେଡିଟ କେୟାର ନାମକ ଏକ ଋଣ ପ୍ରଦାନକାରୀ ସଂସ୍ଥା ଖୋଲିଥିଲା । ଉକ୍ତ ସଂସ୍ଥାରେ ଢେଙ୍କାନାଳ ଜିଲାର ଶିଶିର ସାହୁ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହି ସଂସ୍ଥାର ଏବିଏମ ସୁକନ୍ୟା ନାୟକ କହିବାନୁସାରେ ଗତକାଲି ଆମ ଷ୍ଟାଫଙ୍କ ସହ ରୁଣ ଆଦାୟ ବିଷୟରେ ଆଲୋଚନା କରିଥିଲେ । ଫାଇନାନ୍ସ ହୋଇଥିବା ଟଙ୍କା ଠିକରେ ଆଦାୟ ହୋଇ ପାରୁନାହିଁ ବୋଲି ଚାପରେ ଥାଇ ଇସ୍ତଫା ଦେଇଦେବେ ବୋଲି କହିଥିଲେ । ତାପରେ ଶ୍ରୀ ସାହୁ ବିଳମ୍ବିତ ରାତିରେ ନିଜ ଷ୍ଟାପଙ୍କ ସହିତ କାର୍ଯ୍ୟ ସାରିବା ପରେ ଖାଈପିଇ ଶୋଇଥିଲେ । ଉକ୍ତ ଋଣ ଲଗାଣ କାରୀ ସଂସ୍ଥାର ଟେରିଟୋରି ମ୍ୟାନେଜରଙ୍କ କହିବାନୁଯାୟୀ ସେ ଗତକାଲି ତାଙ୍କ ସହ ବିଳମ୍ବିତ ରାତିରେ କଥା ହୋଇଥିଲେ ଓ ସେୠଣ ଆଦାୟକୁ ନେଇ ଚାପରେ ଥିବା କଥା ଅନୁଭବ କରିଥିଲେ । ଆଜି ସକାଳେ ଅନ୍ୟ କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ଆସି ଦେଖନ୍ତି ତ ଅଫିସ ଭିତରେ ମ୍ୟାନେଜର ଏକ ଫ୍ୟାନରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି । ଏହା ଦେଖି କର୍ମଚାରୀ ଯାଜପୁର ରୋଡ ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଠ ରହିଛି ।