ବ୍ରାହ୍ମଣୀ ନଦୀ ଉପରେ ହେବ ଦ୍ୱିତୀୟ ବ୍ରିଜ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଆଳିକୁ ସଂଯୋଗ କରୁଥିବା ପତ୍ରପୁର ଠାରେ ବ୍ରାହ୍ମଣୀ ପଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ହେବ । ଏହି ବ୍ରିଜ ପାଇଁ ରାଜ୍ୟ ସରକାର ୩ଶହ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ଭାବରେ ପଟ୍ଟାମୁଣ୍ଡାଇ କାଠିଆପଡା ୧୪ କିମି ରାସ୍ତା ପାଇଁ ୧୫ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଦୁଇଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିବା ବିଷୟରେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିବା ବିଧାୟକ ଧୃବ ସାହୁଙ୍କୁ ଏକ ଚିଠି ଲେଖି ଏହି ଦୁଇଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ବୋଲି ଜଣାଇଛନ୍ତି । ପଟ୍ଟାମୁଣ୍ଡାଇର ପ୍ରମୁଖ ଦାବି ମଧ୍ୟରେ ଏହି ଦୁଇଟି ଦାବି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯିବା ସହ ବିଧାୟକ ଶ୍ରୀ ସାହୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଖବର ନେବାରେ ଜଣାପଡିଛି ଯେ ପଟ୍ଟାମୁଣ୍ଡାଇରୁ ଆଳିକୁ ସଂଯୋଗ କରିବାକୁ ୧୯୮୫ ମସିହାରେ ପତ୍ରପୁରଠାରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲା । ଏହି ବ୍ରିଜ ଉପରେ ଆଳି-ରାଜକନିକା ଓ ପଟ୍ଟାମୁଣ୍ଡାଇ ସହ ଭଦ୍ରକ ଜିଲ୍ଲା ମଧ୍ୟ ଗମନାଗମନ ପାଇଁ ନିର୍ଭର କରୁଥିଲେ । ମାତ୍ର ଏହି ବ୍ରିଜ ପୁରୁଣା ହେବା ସହ କେତେକ ସ୍ଥାନରେ ଭାଙ୍ଗିରୁଜି ମଧ୍ୟ ଗଲାଣି । ଏହାକୁ ଦୃଷ୍ଟିରେ ରଖି ଏକ ବ୍ରିଜ ନିର୍ମାଣ ପାଇଁ ବିଧାୟକ ଶ୍ରୀ ସାହୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇ ଆସୁଥିଲେ । ଏଡାଛଡା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ପଟ୍ଟାମୁଣ୍ଡାଇ କାଠିଆପଡା ରାସ୍ତା ମଧ୍ୟ ଦଶନ୍ଧି ଧରି ମରାମତି ହୋଇପାରୁ ନଥିଲା । ଏହି ରାସ୍ତାର ପୁନନିର୍ମାଣ ପାଇଁ ମଧ୍ୟ ୧୫ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଭାବରେ ରାଜନଗର ବିଧାନସଭା ନିର୍ମାଚନ ମଣ୍ଡଳୀ ଅଧିନରେ ଥିବା ଜନଗଡି ଘେରି ପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନିଷ୍ପତ୍ତି ପାଇଁ ବିଧାୟକ ଶ୍ରୀ ସାହୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି  ।