ମହାପ୍ରଭୁଙ୍କ ସୁନାବେଶ

ଇନ୍ଦୁ ଭୂଷଣ ଭୂୟାଁ  : କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଯେଭଳି ଶ୍ରେଷ୍ଠ ସମସ୍ତ ଦେବତା ମାନଙ୍କ ମଧ୍ୟରେ ଶ୍ରୀ ପୁରୁଷୋତ୍ତମ (ଜଗନ୍ନାଥ) ହେଉଛନ୍ତି ସେହିଭଳି ଶ୍ରେଷ୍ଠ ବା ରାଜା । ଯେପରି - “ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ ।  ସର୍ବେଷାଂ ଚୈବ ବେଦାନାଂ ରାଜା ଶ୍ରୀ ପୁରୁଷୋତ୍ତମ ।” (କପିଳ ସଂହିତା)  ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ବିଜୟା ଦଶମୀ (ଦଶହରା ), ପୌଷ ପୂର୍ଣ୍ଣମୀ (ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣମୀ, କାର୍ତ୍ତିକ ପୁର୍ଣ୍ଣମୀ ଓ ଆଷାଢ଼ ଶୁକ୍ଳ ଏକାଦଶୀ (ରଥ ଉପରେ ) ଦିନ ଅନୁଷ୍ଠିତ ହୋଇଥାଏ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏହି ପବିତ୍ର ସୁନାବେଶର ଉତ୍ପତ୍ତି ସଂପର୍କରେ ଆମେ ଯାହା ଐତିହାସିକ ଓ ପୌରାଣିକ ତଥ୍ୟ ସଂଗ୍ରହ କରିଥିଲୁ ଏହାର ମୁତାବକ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ମହାନ ରାଜା ତୃତୀୟ ଅନଙ୍ଗଭୀମ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ଭାବେ ଘୋଷଣା କରିଥିଲେ । ଏପରିକି ଏକ ଶିଳାଲିପିର ତଥ୍ୟ ଅନୁଯାୟୀ ପ୍ରଚୁର ପରିମାଣରେ ସ୍ୱର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା ହୀରା, ନୀଳା ଇତ୍ୟାଦି ମୂଲ୍ୟବାନ ରତ୍ନ , ଅଳଙ୍କାର ଶ୍ରୀ ଜୀଉମାନଙ୍କୁ ଅର୍ପଣ କରିଥିବାରୁ ସେ ସମୟରେ ରୀତି, ନୀତି ଓ ପରଂପରାକୁ ନେଇ ସୁନାବେଶର ସୃଷ୍ଟି ହୋଇଥିବା ଅଧିକ ସମ୍ଭବ ମନେହୁଏ । ସେହିପରି କେତେକ ଐତିହାସିକଙ୍କ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ  ମାଧୁର୍ଯ୍ୟର ମିଳିତ ବିଗ୍ରହ  । ସୁନାବେଶର ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ  । ଗବେଷକ ମାନେ ସୁନା ବେଶର ଉତ୍ପତ୍ତି ୧୨୩୨ ଖ୍ରୀଷ୍ଟାବ୍ଦ ବୋଲି ନିରୁପଣ କରିଛନ୍ତି । ଦକ୍ଷିଣ ଭାରତ ବିଜୟ କରି ୧୪୬୦ ସାଲର ରାଜା କପିଳେନ୍ଦ୍ର ଦେବ ୧୬ଟି ହସ୍ତୀରେ ବୋଝେଇ ବିପୁଳ ଧନରତ୍ନ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କୁ ଉତ୍ସର୍ଗ କରିଥିଲେ  ।
ସୁନାବେଶରେ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରଗୁଡ଼ିକ ସମ୍ପର୍କରେ ପୁରାତନ ରେକର୍ଡ଼ରୁ କିଛି (ସଂପୂର୍ଣ୍ଣ ନୁହେଁ) ସୂଚନା ଯାହା ଆମେ ସଂଗ୍ରହ କରିଥିଲୁ । ଏହି  ସୂଚନା ମୁତାବକ ଶ୍ରୀ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳ, କଦମ୍ବମାଳି, ତିଳକ, ଚନ୍ଦ୍ରିକ, ଅଳକା, ଝୋବାକଣ୍ଠି, ହଳ ମୂଷଳ, ବାହାଡ଼ାମାଳି, ବାଘନଖ ମାଳି, ସେବତୀ ମାଳି, ତି୍ରଖଣ୍ଡିିକା କମରପଟି, ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ କାନ, ସୂର୍ଯ୍ୟଚନ୍ଦ୍ର, ଘାଗଡ଼ାମାଳି, କଦମ୍ବ ମାଳି, ଆୟୁଧ  ସେବତୀ ମାଳି ଏବଂ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୂଜ, ଶ୍ରୀ ପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତି୍ରଖଣ୍ଡିକା କମରପଟି ଆଦି ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉଥିଲା  । ସୁରକ୍ଷା ଦୃଷ୍ଟିରୁ ରଥ ଉପରେ ହେଉଥିବା ସୁନାବେଶରେ କେତେକ ଦୁର୍ଲଭ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉ ନଥିଲା  । 
ରାଜା କପିଳେନ୍ଦ୍ର ଦେବଙ୍କ ଆଦେଶରେ ପ୍ରସ୍ତୁତ ପ୍ରତ୍ୟେକ ଅଳଙ୍କାର ପଛରେ ଏକ ନିର୍ଦ୍ଦିଷ୍ଟ ଇତିହାସ ଲୁଚି ରହିଛି । ଏହି ଅବ୍ୟକ୍ତ ଇ୍ତିହାସର ମୂଲ୍ୟାଙ୍କନ ମଧ୍ୟ ଦୂରୁହ ବ୍ୟାପାର । ରଥ ପର କେବଳ ଲାଗି ହେଉଥିବାର ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକର ମୂଲ୍ୟକୁ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ  । କିଏ କହୁଛି ୫୦୦ କୋଟି ତ ଅନ୍ୟ କିଏ କହୁଛି ଏକ ହଜାର କୋଟି ଟଙ୍କା ହେବ । କିନ୍ତୁ ମହାପ୍ରଭୁଙ୍କ ଏହି ବିରଳ ଅଳଙ୍କାରର  ପ୍ରକୃତ ମୂଲ୍ୟାଙ୍କନ ଅସମ୍ଭବ ଏଥିରେ ସନେ୍ଦହ ନାହିଁ  । ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଗବେଷଣା ପ୍ରସ୍ତୁତ ତଥ୍ୟାନୁସାରେ ଗଜପତି କପିଳେନ୍ଦ୍ର ଦେବ ତାଙ୍କର ବିଜ ବାହୁଡ଼ା ପରେ ଖ୍ରୀ ୧୪୬୦ ମସିହାରେ ୧୬ ଗୋଟି ହାତୀରେ ବୋଝାଇ ଆଣିଥିବା ଦେବ ତାଙ୍କର ବାହୁଡ଼ା ପରେ ଖ୍ରୀ ୧୪୬୦ ମସିହାରେ ୧୬ଗୋଟି ହାତୀରେ ବୋଝାଇ ଆଣିଥିବା ସ୍ୱର୍ଣ୍ଣରତ୍ନରେ ସ୍ୱର୍ଣ୍ଣମୁକୁଟ, ସ୍ୱର୍ଣ୍ଣଶ୍ରୀପୟର, ପଦକ, କୁଣ୍ଡଳ ନଳୀଭୁଜ, ତିଳକ, ‘ବଡ଼ ତଢ଼ଉ’ ନାମକ କଣ୍ଠମାଳା ଆଦି ନିର୍ମାଣ କରାଇ ଗୁଣ୍ଡିଚା ଘରୁ ରଥ ଫେରିବା ପରେ ଜୀଉମାନଙ୍କୁ ପ୍ରଥମେ ଏହିବେଶ କରାଇଥିଲେ  । ଅତୀତରେ ଏହା ‘ବଡ଼ଚଢ଼ଉ ବେଶ’ ନାମରେ ମଧ୍ୟ ପରିଚିତ ଥିଲା  । ମୟୂରଭଞ୍ଜ, ପାରଳା ଖେମୁଣ୍ଡି ପ୍ରଭୃତି ସ୍ୱନାମଧନ୍ୟ ରାଜାମାନେ ଏହି ରାଜ୍ୟ ବିଜୟର ସ୍ମାରକ ବେଶ ଦେଖିବାକୁ ଆସୁଥିଳେ ଏବଂ ପ୍ରଭୁଙ୍କୁ ଉକ୍ରଳର ସମ୍ରାଟ ବା ରାଜାଧିରାଜ ରୂପେ ବନ୍ଦାପନା କରୁଥିଲେ  । ଏବେଶର ବନ୍ଦନା ତଥା ପୁଷ୍ପାଞ୍ଜଳୀମନ୍ତ୍ରଟି ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । “ସ୍ୱରାଟରାଟ ଶ୍ରୀ ଜଗନ୍ନାଥ ତ୍ରିକଳିଙ୍ଗ ପତିର୍ଷତିଃ, ରାଜାଧିରାଜ ଶ୍ରୀ ଦେବଃ ଦେହି ଶ୍ରୀ ବିଜୟ ସଦା  ।”
୪ଜି ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନସନ ରୋଡ଼, ପୁରୁଣା ସୋନାରୀ, ଜାମସେଦପୁର,  ଦୂରଭାଷ : ୭୪୮୮୯୯୮୫୩୨