ଯୋଗାଣ ସହାୟକଙ୍କୁ ବହିଷ୍କାର ଦାବି

ବଡ଼ସାହି: ପ୍ରତ୍ୟେକ ପଞ୍ଚାୟତରେ ହିତାଧିକାରୀଙ୍କୁ ସହଜରେ ରାସନ ସାମଗ୍ରୀ ବଣ୍ଟନ ତଥା ଯୋଗାଣ ପାଇଁ ଯୋଗାଣ ସହାୟକମାନଙ୍କୁ ନିଯୁକ୍ତ କରାଯାଇଛି । ବଡ଼ସାହି ବ୍ଲକର ସମସ୍ତ ୩୦ ପଞ୍ଚାୟତରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ବେଳେ ଯଦୁନାଥପୁର ପଞ୍ଚାୟତର କାର୍ଯ୍ୟରତ ଯୋଗାଣ ସହାୟକ ତାଙ୍କ କାର୍ଯ୍ୟରେ ଅନିୟମିତତା କରିବା ସହ ରାସନ୍ ସାମଗ୍ରୀ ମଧ୍ୟରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ ହଡପ କରିଥିବା ନେଇ ଶତାଧିକ ପଞ୍ଚାୟତବାସୀ ସରପଞ୍ଚ ଟୁନି ସିଂଙ୍କ ନିକଟରେ ଗତ ୨୦୨୪ମସିହା ନଭେମ୍ବର ମାସରେ ଅଭିଯୋଗ କରିଥିଲେ । ସରପଞ୍ଚ ବଡ଼ସାହି ବିଡ଼ିଓ ଏବଂ ବ୍ଲକ୍ ଯୋଗାଣ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯୁଗ୍ମ ତଦନ୍ତ କରି ସଂପୃକ୍ତ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ନିକଟସ୍ଥ ପଞ୍ଚାୟତକୁ ବଦଳି କରିଥିଲେ । ମାତ୍ର ଉକ୍ତ ବଦଳି ଆଦେଶ ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରଦ୍ଦ ହୋଇଥିଲେ ମଧ୍ୟ ସରପଞ୍ଚ ଓ ପଞ୍ଚାୟତବାସୀ ତାଙ୍କୁ କାର୍ଯ୍ୟ କରିବାକୁ ଦେଇନଥିଲେ । ଏଥିସହିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଯୋଗାଣ ସହାୟକଙ୍କୁ ହଟାଇବାକୁ ବିଡ଼ିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଏଥିରେ ବ୍ୟତିକ୍ରମ ହେବା ପରେ ସରପଞ୍ଚ ଟୁନି ସିଂଙ୍କ ନେତୃତ୍ୱରେ ପୂର୍ବ ସୂଚନା ଅନୁସାରେ ଶତାଧିକ ପଞ୍ଚାୟତବାସୀ ବଡ଼ସାହି ବ୍ଲକ୍ ସମ୍ମୁଖରେ ଯୋଗାଣ ସହାୟକଙ୍କୁ ବରଖାସ୍ତ କରାଯିବା ଦାବିରେ ଧାରଣା ଦେଇଥିଲେ । ଖବର ପାଇ ବଡ଼ସାହି ତହସିଲଦାର ଓ ଆଇଆଇସି ମିଳିତ ଭାବେ ବିଡ଼ିଓଙ୍କୁ ନେଇ ଧାରଣାସ୍ଥଳକୁ ଆସି ବୁଝାସୁଝା କରିଥିଲେ । ମାତ୍ର ଏଥିରେ ସେମାନେ ବିଫଳ ହେବା ପରେ ବାରିପଦା ଉପଜିଲ୍ଲାପାଳ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଡ଼ିଓ, ସରପଞ୍ଚ ଓ ସଂପୃକ୍ତ ଯୋଗାଣ ସହାୟକଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ଲିଖିତ ଜଣାଇବା ପରେ ଧାରଣାରୁ ନିବୃତ୍ତ ହୋଇଥିବା ଦେଖାଯାଇଛି ।