ରାମମନ୍ଦିରର ବାର୍ଷିକୋତ୍ସବ ପାଇଁ କଳସ ଯାତ୍ରା
ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ତାରକକ୍ଷେତ୍ର ରାଜାଲୋକା ଶ୍ରୀରାମ ମନ୍ଦିରର ତ୍ରୋୟଦଶ ବାର୍ଷିକ ମହୋତ୍ସବ ମହାଆଡମ୍ବରରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସମସ୍ତ ବିଗ୍ରହମାନଙ୍କ ମହାସ୍ନାନ, ବିଶେଷ ଉପଚାର ସମର୍ପଣ ପଞ୍ଚଗବ୍ୟ ସଂସ୍କାର ସନ୍ଧ୍ୟା ସମୟ ଠାରୁ ଅଙ୍କୁରାରୋପଣ, କୁଣ୍ଡମଣ୍ଡଳାଦି ସ୍ଥାପନ ଓ ବିଶେଷ ପୂଜା ସମର୍ପଣ କରାଯାଇଛି । ସେହିପରି ଦ୍ୱିତୀୟ ଦିନର ଆରମ୍ଭରେ ସକାଳ ୭ଟା ଠାରୁ ରାଜାଲୋକା ଗ୍ରାମ ସହିତ ପୋଡ଼ଶୀ ଦିଘି, ପୁରୁଣାପାଣି, ରାଉତରା, ଝାରପୋଖରୀଆ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରରେ କଳସ ଧରି ବଡ଼ପୋଖରୀ ଯାଇ ପୂଜାର୍ଚ୍ଚନା ପରେ ଘଟତ୍ତୋଳନ କରି ପୁଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତିନି କିଲୋମିଟର ଚାଲି ଆସି ଶ୍ରୀରାମଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ଉପସ୍ଥିତ ଭକ୍ତ କଳସଯାତ୍ରାରେ ସାମିଲ ହୋଇଥିବା ସମସ୍ତ ମହିଳା ପୁରୁଷଙ୍କ ପାଦ ଧୋଇ ଦେଇ ସ୍ୱାଗତ କରିଥିଲେ । ପରେ ଯଜ୍ଞମଣ୍ଡପ ସହିତ ଶ୍ରୀରାମଙ୍କ ମନ୍ଦିର ହନୁମାନ ମନ୍ଦିର ଓ ବାବା ରାମେଶ୍ୱର ମହାଦେବଙ୍କ ମନ୍ଦିରରେ ଯାଇ କଳସ ସ୍ଥାପନ କରିଥିଲେ । ସେହିପରି ବିଧି ଅନୁଯାୟୀ ପୁରୀରୁ ଆସିଥିବା ଆଚାର୍ଯ୍ୟମାନେ ସୂର୍ଯ୍ୟପୂଜା ଗୋପୂଜନ, କୁଣ୍ଡମଣ୍ଡଳ, ତୋରଣ ପୂଜା, ଶ୍ରୀଜୀଉମାନଙ୍କ ବିଶେଷ ପୂଜା ସମର୍ପଣ, ଘୃତ ଯୋଜ୍ଞ ଓ ସନ୍ଧ୍ୟାରେ ସାମୂହିକ ହନୁମାନ ଚାଳିଶା ଓ ସୁନ୍ଦରା କାଣ୍ଡ ପାଠ କରାଯାଇଥିଲା । ଏହି ୬ଦିନ ବ୍ୟାପୀ ଶ୍ରୀରାମଙ୍କ ବାର୍ଷିକ ଉତ୍ସବରେ ବହୁ ସାଧୁ, ସନ୍ଥ, ତଥା ବିଜ୍ଞ ପଣ୍ଡିତ ଯୋଗ ଦେବା ନେଇ ଜଣାପଡିଛି । ପ୍ରତ୍ୟେକ ବର୍ଷ ପରି ସ୍ଥାନୀୟ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଇଥିବାବେଳେ ଭକ୍ତ ମାନଙ୍କ ପାଇଁ ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଛି ।