ରାସ୍ତା ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍
ସାଲେପୁର : ଜବରଦଖଲକାରୀଙ୍କ ଯୋଗୁ ୨୦୨୨ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରୁନାହିଁ । ଘଟଣା ନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ଚଳିତ ମାସ ୨୯ରେ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇଛି । ଏହାସହ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ଜାରି କରାଯାଇଛି । ସାଲେପୁର ତହସିଲ ଅଧୀନ ଶିଶୁଆ-ମଢ଼ଙ୍ଗା ଭାୟା ଛାଣିପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ନଂ କେନାଲ ବନ୍ଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଠିକାଦାର ଚୟନ କରାଯାଇ ୨୦୨୨ ସେପ୍ଟେମ୍ବର ମାସରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାର ଲମ୍ବ ପ୍ରାୟ ୧୩ କିମି ଓ ଅଟକଳ ରାଶି ୧୦କୋଟି ଟଙ୍କା । କାର୍ଯ୍ୟଟି ୨୦୨୩, ଅଗଷ୍ଟ ୧୮ରେ ପୂର୍ଣ୍ଣାଙ୍ଗ ହେବା କଥା । ଠିକାଦାରଙ୍କ ଅସହଯୋଗ ଏବଂ ଉକ୍ତ କେନାଲବନ୍ଧ ରାସ୍ତା ଓ ନୟନଯୋରୀକୁ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି କୋଠାଘର, ପାଚେରି, ପାଇଖାନା, ଦୋକାନ ଘର ପ୍ରଭୃତି ନିର୍ମାଣ କରିଛନ୍ତି । ରାସ୍ତାଟିର ଓସାର ୫.୫ମିଟର ଡିପିଆର ପ୍ରସ୍ତୁତି ଓ ଅଟକଳରେ ବ୍ୟବସ୍ଥା ଥିଲେ ମଧ୍ୟ ଜବରଦଖଲ ଥିବାରୁ ଠିକାଦାର ଅନେକ ସ୍ଥାନରେ ୩ମିଟରରୁ ୨.୫ମିଟର କରିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଜନସାଧାରଣ ଆପତ୍ତି ଅଭିଯୋଗ କରିଥିଲେ । ଘଟଣାର ଗୁରୁତ୍ୱ ଉପଲବ୍ଧô କରି ଶାସନ ସଚିବଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବାରୁ ସାଲେପୁର ତହସିଲଦାରଙ୍କୁ ଜବରଦଖଲ ଉଚ୍ଛେଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।