ଶ୍ରୀମଦ୍ ଭାଗବତ ପ୍ରବଚନ

ଶ୍ରୀମଦ୍ ଭାଗବତ ଭାରତୀୟ ସଂସ୍କୃତିର ଅନୁପମ ରତ୍ନ ଓ ସର୍ବଶ୍ରେଷ୍ଠ ଭକ୍ତିଗ୍ରନ୍ଥ  । ମହର୍ଷି ବେଦବ୍ୟାସଙ୍କର ଏହି ପରମଗ୍ରନ୍ଥ ହେଉଛି ସର୍ବୋତ୍ତମକୃତି ତଥା ମାନବ ସଭ୍ୟତା ନିମିତ୍ତ ଶ୍ରେଷ୍ଠ ଅବଦାନ  । ବେଦର ସକଳ ତତ୍ତ୍ୱ ଏହି ପରମଗ୍ରନ୍ଥରେ ପ୍ରତିପାଦିତ ହୋଇଥିବାରୁ ଏହାକୁ ସର୍ବବେଦାନ୍ତ ସାର କୁହାଯାଏ  । ପରମପୂଜ୍ୟ ସନାତନ ଗୋସ୍ୱାମୀଙ୍କ ଭାଷାରେ :-
ସର୍ବଶାସ୍ତ୍ରାବିଧି ପୀୟୁଷ ସର୍ବବେଦୈକ ସତ୍ଫଳ,
ସର୍ବସିଦ୍ଧାନ୍ତ ରତ୍ନାତ୍ୟଂ ସର୍ବଲୋକୈକ ଦୃକ୍ପଦ  ।
ଅର୍ଥାତ୍ ଶ୍ରୀମଦ୍ ଭାଗବତ ସକଳ ଶାସ୍ତ୍ର ସମୁଦ୍ରର ଅମୃତ, ବେଦ ସମୂହର ସତ୍ଫଳ ତଥା ସିଦ୍ଧାନ୍ତ ରତ୍ନ ସମନ୍ୱିତ ସମସ୍ତ ଲୋକର ଏକମାତ୍ର ଚକ୍ଷୁସ୍ୱରୂପ  । ଶ୍ରୀମଦ୍ ବଲ୍ଲଭାଚାର୍ଯ୍ୟଙ୍କ ମତରେ ଭାଗବତର ଭାଷା ବ୍ୟାସଦେବଙ୍କର ସମାଧି ଭାଷା  । ଏହାର କଥାମୃତ ହେଉଛି ବୃନ୍ଦାବନବିହାରୀ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଲୀଳାମୟୀ ଗାଥା  । ରଚୟିତା ହେଉଛନ୍ତି ହରିହର ବ୍ରହ୍ମାଙ୍କର ମିଳିତ ତନୁ ବ୍ୟାସଦେବ  । କଥାମୃତ ପରିବେଷଣକାରୀ  ହେଉଛନ୍ତି ବୈଷ୍ଣବକୁଳ ତିଳକ ବ୍ରହ୍ମନିଷ୍ଠ ଶ୍ରୀଲଶୁକଦେବ  । ଶ୍ରୋତା ହେଉଛନ୍ତି ଦୁର୍ଲଭ ଦର୍ଶନ ମୁନିଋଷି ତଥା ଜ୍ଞାନୀ ସମାଜ  । ପ୍ରଶ୍ନକର୍ତ୍ତା ହେଉଛନ୍ତି ମାତୃଗର୍ଭରୁ ବିଭୁକୃପା ପ୍ରାପ୍ତ ପରମ ଭକ୍ତ ପରୀକ୍ଷିତ  । ପରିବେଷଣ ସ୍ଥଳୀ ପବିତ୍ର ଗଙ୍ଗାତଟ  । ଶ୍ରୀମଦ୍ ଭାଗବତର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ କୁହାଯାଇଛି ‘ବିଦ୍ୟାଭାଗତାବଧି’   । ଶ୍ରୀମଦ୍ ଭାଗବତର ଅନ୍ୟ ନାମ ହେଉଛି ପରମହଂସ ସଂହିତା  । ପରଂବ୍ରହ୍ମ ହଂସ ରୂପରେ ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ, ବ୍ରହ୍ମା ନାରଦଙ୍କୁ, ନାରଦ ବ୍ୟାସଙ୍କୁ, ବ୍ୟାସ ଶୁକଦେବଙ୍କୁ ଓ ଶୁକଦେବ ପରୀକ୍ଷିତଙ୍କୁ ଏହି କ୍ରମରେ ଭାଗବତର ପାରମ୍ପରିକ ବ୍ୟାଖ୍ୟାନ ହୋଇଆସିଅଛି  ।
ମୁଁ ଅଧ୍ୟାପକ ରଙ୍ଗାଧର ଷଡଙ୍ଗୀଙ୍କ ଠାରୁ ବ୍ୟାସକୃତ ସଂସ୍କୃତ ଭାଗବତ ଓ ଜଗତ୍ଗୁରୁ ଶ୍ରୀଧର ସ୍ୱାମୀଙ୍କ ଟିକା ‘ଭାବାର୍ଥ ଦୀପିକା’  ଶିକ୍ଷା କରିଥିଲି  । ଏହି ଭାବାର୍ଥ ଦୀପିକା ଟିକା ଅନୁସରଣରେ ଅତିବଡୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ  । ମୂଳ ଭାଗବତର ଶ୍ଳୋକ ସଂଖ୍ୟା ୧୮୦୦୦, ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ଦୀପିକାର ଶ୍ଳୋକ ସଂଖ୍ୟା ୨୪୦୦୦ ଓ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ପଦ ସଂଖ୍ୟା ୭୨୦୦୦  । ଶ୍ରୀଧର ସ୍ୱାମୀଙ୍କ ଟିକା ଅନୁସରଣରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି  ।
ଶ୍ରୀଧର ନାମେ ବିପ୍ରବର, କଳି ଯୁଗରେ ଜନ୍ମ ତାର  ।
ଶ୍ରୀ ଭାଗବତ ଯେ ପୁରାଣ, ଅଷ୍ଟାଦଶ ସସ୍ର ଶ୍ଳୋକେଶ  ।
ତା ଟିକା ଚଉବିଂଶ ସସ୍ର, କରଇ ଶ୍ରୀଧର ପ୍ରକାଶ  ।
ବିପ୍ରକୁଳରେ ଜନ୍ମ ହୋଇ, ଜଗନ୍ନାଥ ଯେ ନାମ ବହି  ।
ପ୍ରକୃତ ବନେ୍ଧ ଭାଗବତ, କହିଲେ ସନ୍ଥ ଜନହିତ  ।
ଓଡ଼ିଆ ଭଗବତ ରଚନା କରିଥିବାରୁ ଓଡ଼ିଶାର ସାରସ୍ୱତ ଐତିହ୍ୟରେ ଜଗନ୍ନାଥ ଦାସଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ  । ସରଳ ନବାକ୍ଷରୀ ବୃତ୍ତରେ ଓଡ଼ିଆ ଭାଗବତ ରଚନା ପୂର୍ବକ ସେ ଲକ୍ଷ ଲକ୍ଷ ଲୋକଙ୍କୁ ବିନା ବିଦ୍ୟାଳୟରେ ସାକ୍ଷର କରାଇ ପାରିଥିଲେ  । ସେ ଥିଲେ ଓଡ଼ିଶାର ଧାର୍ମିକ, ନୈତିକ ଓ ଜାତୀୟତାର ପ୍ରାଣ ପ୍ରତିଷ୍ଠାତା  । ତାଙ୍କ ରଚିତ ଭାଗବତର ଅମର ପଦସମୂହ ଅବଲମ୍ବନରେ ଓଡ଼ିଆଙ୍କ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ସାମଗ୍ରିକ ଜୀବନରେ ସଂହତି ଓ ସଂପ୍ରୀତି ସୃଷ୍ଟି ହୋଇ ପାରିଥିଲା  । ଧର୍ମଭିତ୍ତିକ ଜାତୀୟତାର ବାର୍ତ୍ତା ବହନ କରି ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗି ସମୂହ ପ୍ରତିଷ୍ଠିତ ହୋଇ ଆଦର୍ଶ ସାମାଜିକ ଜୀବନର ଦିଗଦର୍ଶନ  ରୂପେ ପ୍ରତିଭାତ ହେଲା  । ଗ୍ରାମାବାସୀବୃନ୍ଦ ସନ୍ଧ୍ୟା ସମୟରେ ଭାଗବତ ଘରେ ଏକତ୍ରିତ ହୋଇ ଭାଗବତ ଶ୍ରବଣ କରୁଥିଲେ  । ଏହାଦ୍ୱାରା ନୈତିକତାର ଉନ୍ନତି ଘଟୁଥିଲା  । ଅପରପକ୍ଷରେ ଭାଗବତ ଘର ସମୂହ ନୈଶ୍ୟ ବିଦ୍ୟାଳୟର କାର୍ଯ୍ୟ କରିବା ସହିତ ପ୍ରୋ÷ଢଶିକ୍ଷାର ପ୍ରସାର ଘଟାଇ ପାରିଥିଲା  । ଗ୍ରାମର ଯାବତୀୟ ନ୍ୟାୟନିଶାପ ମଧ୍ୟ ଏହିଠାରେ ସମାହିତ ହେଉଥିଲା  । ଭାଗବତ ଘର ସମୂହ ଥିଲା ଓଡ଼ିଆ ସମାଜର ଆଲୋକ ସ୍ତମ୍ଭ ସଦୃଶ  । ଏହି ଦୃଷ୍ଟି କୋଣରୁ ମୁଁ ସଂସ୍କୃତ ଭାଗବତ ଉପରେ ପ୍ରବଚନ ନଦେଇ ଓଡ଼ିଆ ଭାଗବତ ଉପରେ ପ୍ରବଚନ ଦେଲି  । ଓଡ଼ିଆ ଭାଗବତର ଅମୃତ ପଦାବଳୀ ସହିତ ସମୟେ ସମୟେ ସଂସ୍କୃତ ଶ୍ଳୋକ ବୋଲି ଶ୍ରୋତାଙ୍କ ତହିଁର ଅର୍ଥ ବୁଝାଇଥିଲି, ଯାହା ଶ୍ରୋତାଗଣଙ୍କ ଆଦୃତି ଲାଭ କଲା  । 
ଭକ୍ତି ଯୋଗ ହିଁ ଭାଗବତର ମୂଳମନ୍ତ୍ର  । କର୍ମଯୋଗ ଓ ଜ୍ଞାନଯୋଗ ଏହି ଗ୍ରନ୍ଥରେ ବର୍ଣ୍ଣିତ ହୋଇଥିଲେ ହେଁ ଏଥିରେ ‘ଭକ୍ତିଯୋଗ’ର ପ୍ରାଧାନ୍ୟ ପ୍ରତିଷ୍ଠା କରାଯାଇଛି  । ଯୋଗମାର୍ଗ ଅପେକ୍ଷା ଭକ୍ତି ମାର୍ଗର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯାଇ ଜଗନ୍ନାଥ ଦାସ ଲେଖିଛନ୍ତି:-
ଭକତି ଯୋଗ ସାଧ୍ୟ କରି, ଭବୁଁ ଭକତେ ଯାନ୍ତି ତରି  ।
ଯୋଗୀଏ ଯୋଗ ମାର୍ଗେ ଭ୍ରମି, ଫୁଟି ହୁଅନ୍ତି ପଥଶ୍ରମୀ  ।
ସକଳ କର୍ମଫଳ ତେଜ, ସର୍ବ ସଂପୂର୍ଣ୍ଣେ ମୋତେ ଭଜ  ।
ସକଳ ଭୂତେ ବାସ ମୋର, ମୁଁ ସର୍ବଅନ୍ତର ବାହାର  ।
ଭକ୍ତିଯୋଗ ସଂପର୍କରେ ଶ୍ରୋତାଙ୍କୁ ବୁଝାଇବାକୁ ଯାଇ ମୁଁ ଓଡ଼ିଆ ଭାଗବତର ପଦ ସହିତ ଗୀତା ବର୍ଣ୍ଣିତ ଭକ୍ତିଯୋଗ ଓ ଭକ୍ତିରସାମୃତ ସିନ୍ଧୁ ପ୍ରଭୃତିର ଉଦାହରଣ ଦେଉଥିଲି, ଯାହା ଶ୍ରୋତାକୁ ସୁଖକର ଲାଗୁଥିଲା  । କୃଷ୍ଣ ଚରିତ ଭାଗବତ ବୈଷ୍ଣବ ଧର୍ମ ଦର୍ଶନର ଗୋ÷ରବ ଓ ଶ୍ରୀବୃଦ୍ଧି ଘଟାଇଛି  । ଗୋପୀ ଭକ୍ତି ଭାଗବତର ଶ୍ରେଷ୍ଠ ଧର୍ମ ଓ ଦର୍ଶନ  । ରାସ ପଞ୍ଚାଧ୍ୟାୟୀରେ ବର୍ଣ୍ଣିତ ଅଛି ଅଛି ଯେ ବୃନ୍ଦା ଗୋପୀ ମନରେ ଅହଂଭାବ ଦର୍ଶନରେ କୃଷ୍ଣ ଅନ୍ତର୍ଦ୍ଧାନ ହୋଇଛନ୍ତି  ।
ଅବତାରବାଦର ଚିତ୍ର ମଧ୍ୟ ଭାଗବତରେ ଦିଆଯାଇଛି  । ଗୀତାର ବାଣୀ ଭାଗବତର ପ୍ରତି ପଦେ ପଦେ ପ୍ରତିଧ୍ୱନିତ ହୋଇଅଛି ଓ ତାହାର ସାମ୍ୟ ମୈତ୍ରୀ ଦର୍ଶନ ଯୁଗେ ଯୁଗେ ପାପତାପକ୍ଲିଷ୍ଟ ସଂସାରର ଆଲୋକବର୍ତ୍ତିକା ହୋଇଅଛି  । ନାମ ସଂକୀର୍ତ୍ତନର ମହାତ୍ମ୍ୟ ବିଷୟ ଉଲ୍ଲେଖ କରି ଜଗନ୍ନାଥ ଦାସ ଲେଖିଛନ୍ତି କୃଷ୍ଣ ମୂରତି ଭଗବାନ, କେବଳ ନାମ ସଂକୀର୍ତ୍ତନ  ।
ଶ୍ରୀଜଗନ୍ନାଥ ହେଉଛନ୍ତି କୃଷ୍ଣ ଓ ତାଙ୍କର ନାମ ସଂକୀର୍ତ୍ତନରେ ଜୀବ ମୁକ୍ତି ଲାଭ କରେ  । ଭାଗବତରେ ଶ୍ରଦ୍ଧାଭକ୍ତି ଓ ଜ୍ଞାନ ମିଶ୍ରା ଭକ୍ତିର ତତ୍ତ୍ୱ ପରିବେଶିତ ହୋଇଥିଲେ ହେଁ ସ୍ଥଳ ବିଶେଷରେ ଜ୍ଞାନ ଭକ୍ତିର ମହତ୍ତ୍ୱ ପ୍ରତିପାଦନ କରାଯାଇଛି  । ମୁଁ ସେହି ପ୍ରସଙ୍ଗ ପ୍ରବଚନରେ କହିଥାଏ ଏବଂ ଶ୍ରୋତାଙ୍କୁ ବୁଝାଇଥାଏ ଯେ ଭାଗବତ ଧର୍ମ ହିଁ ଜଗନ୍ନାଥ ଧର୍ମ  । ଶ୍ରୀକୃଷ୍ଣଙ୍କ ନାମ ପରିବର୍ତ୍ତେ ଜଗନ୍ନାଥ ଦାସ ସୂରଚିତ ଭାଗବତରେ ଅନେକ ସ୍ଥଳରେ ଶ୍ରୀଜଗନ୍ନାଥଙ୍କ ନାମୋଚାରଣ କରିଛନ୍ତି  । ଏଥିରୁ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଅଭେଦତ୍ୱ ପ୍ରତିପାଦିତ ହୁଏ  । କବିଙ୍କ ଭାଷାରେ:-
ଆପଣେ ପ୍ରଭୁ ଜଗନ୍ନାଥ, ଦେବକୀ ଗର୍ଭେ ହେଲେ ଜାତ  ।
ହୋଇବୁ ଏ ଆମ୍ଭର ସତ୍ୟ, କି କି କହିଲେ ଜଗନ୍ନାଥ  ।
ତୋର ଉଦରେ ଜଗନ୍ନାଥ, ଜଗତେ ରଖିବେ ତୋ ସୂତ  ।
ତିନ୍ତିବା ଦେଖି ଜଗନ୍ନାଥ, ଫଣାରେ ଢାଙ୍କିଲା ଅନନ୍ତ  ।
ମୂଳ ସଂସ୍କୃତ ଭାଗବତ ଉପରେ ମୁଁ ପ୍ରବଚନ ଦେଇଥିଲେ ଶ୍ରୀ ଜଗନ୍ନାଥଙ୍କ ମହିମା ସଂପର୍କରେ ଶ୍ରୋତାଙ୍କ କହିପାରିନଥାନ୍ତି  । କେବଳ ଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର ନିମିତ୍ତ ମୁଁ ଓଡ଼ିଆ ଭାଗବତ ଉପରେ ପ୍ରବଚନ ପ୍ରଦାନ କଲି  । ମୂଳଗ୍ରନ୍ଥରେ ନଥିବା ଅନେକ ବିଷୟ ଜଗନ୍ନାଥ ଦାସ ସଂଯୋଗ କରିଛନ୍ତି  । ସେଗୁଡିକ ହେଉଛି ଦ୍ୱିତୀୟ ସ୍ଥାନରେ କଳ୍କୀ ଅବତାର ବର୍ଣ୍ଣନା, ପଞ୍ଚମ ସ୍କନ୍ଧରେ ପ୍ରହ୍ଲାଦ ସ୍ତୁତି ଓ ସାଂସାରିକ  ଜୀବନ ଯାତ୍ରାର ବର୍ଣ୍ଣନା  । ଚତୁର୍ଥ ସ୍କନ୍ଦରେ ଧ୍ରୁବଚରିତ କଳସାବାଣୀ ତଥା ଚଉଦ ଅକ୍ଷରୀ ବୃତ୍ତରେ ରଚିତ  । ବିଷ୍ଣୁ ପୁରାଣର ପ୍ରଭାବ ଏହି ଅଂଶରେ ପରିଲକ୍ଷିତ ହୁଏ  । ଅବଧୂତଙ୍କର ଛବିଶ ଗୁରୁ ବର୍ଣ୍ଣନା ମଧ୍ୟରେ ଶାଳୀଭଞ୍ଜନକାରୀ କୁମାରୀ ସଂପର୍କରେ କବି ଭିନ୍ନତା ପ୍ରକାଶ କରିଛନ୍ତି  । ଏସବୁ ବିଭିନ୍ନତା ସତ୍ତ୍ୱେ ବି ଲୋକପ୍ରିୟ ନବାକ୍ଷରୀ ବୃତ୍ତରେ ରଚିତ କୃଷ୍ଣଚରିତ ବର୍ଣ୍ଣନା ଓ ସେଥିରେ ଥିବା ଅମର ସୂକ୍ତିମାଳା ଭାଗବତ ଗ୍ରନ୍ଥର ବିଶେଷତ୍ୱ ପ୍ରଦାନ କରେ  । ଗ୍ରନ୍ଥର ମହିମା ସଂପର୍କରେ କବି ଲେଖିଛନ୍ତି:-
ଏଯେ ପୁରାଣ ଭାଗବତ, ନିର୍ମଳ ପଦ ବ୍ରହ୍ମତତ୍ତ୍ୱ  ।
ଜୀବନ ମୋକ୍ଷ ଫଳ ଅର୍ଥେ, ଧନ୍ୟ ମଙ୍ଗଳ ଏ ଜଗତେ  ।
ସୁଜନ ହିତେ ଭାଗବତ, ଭିଆଇ ରସମୟ ଗୀତ  ।
ଅମୃତ କୃଷ୍ଣର ଚରିତ, କହଇ ବିପ୍ର ଜଗନ୍ନାଥ  ।
ଏ ଭାଗବତ ପ୍ରଶ୍ନବାଣୀ, କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ  ।
ଯେ ଅବା ବଦନେ ଉଚ୍ଚାରି, ବିଷ୍ଣୁ ମାୟାରୁ ଯାନ୍ତି ତରି  ।
ଏହି ଅମୃତପଦ ସମୂହ ଶ୍ରୋତାଙ୍କ ହୃଦୟରେ ଆହ୍ଲାଦ ଓ ଆନନ୍ଦ ସୃଷ୍ଟି କରିଥାଏ  ।
ଆସାମର ଶଙ୍କରଦେବ ପୁରୀ ଆସିଥିଲେ  । ସେ ଜଗନ୍ନାଥ ଦାସଙ୍କ ଭାଗବତରେ ଅନୁପ୍ରାଣିତ ହୋଇ ଆସାମୀ ଭାଷାରେ ଭାଗବତ ବା ମାଧବକଳକୀ ରଚନା କଲେ  । ଓଡ଼ିଆରେ ଯେପରି ଗ୍ରାମେ ଗ୍ରାମେ ଭାଗବତ ଘର ପ୍ରତିଷ୍ଠିତ ଆସାମରେ ସେହିପରି ଗ୍ରାମେ ଗ୍ରାମେ ନାମ ଘର ପ୍ରତିଷ୍ଠିତ  । ବଙ୍ଗଳାର ସନାତନ ବିଦ୍ୟାବାଗୀଶ ବଙ୍ଗଳା ଭାଷାରେ ଭାଗବତ ଅନୁବାଦ କଲେ ହେଁ ଦଶମ ସ୍କନ୍ଦର ଧର୍ମତତ୍ତ୍ୱ ଅନୁବାଦରେ ଅକ୍ଷମତା ପ୍ରକାଶ ପୂର୍ବକ ବଙ୍ଗଳା ଅକ୍ଷରରେ ଅବିକଳ ଭାବରେ ଓଡିଆ ଭାଗବତର ନକଲ କରି ଦେଇଥିଲେ  ।
ଶୂନ୍ ଶୂନ୍ ଶ୍ରୋତାଗନ କରି ନିବେଦନ,
 ପ୍ରଥମେ ହଇତେ ଗ୍ରନ୍ଥ ଦେଖିଲୁ ଆପନ୍  ।
ଦଶମର ଶେଷପୃଷ୍ଠା ଭାଷା ନପାଇନ,
 ଅନେକ ତାପସୀ ଗ୍ରାମେ ଗ୍ରାମେ ବେଡ଼ାଇବ  ।
ଏ ହେତୁ ଉକ୍ରଳ ଭାଷା କରିବ ଲିଖନ,
 ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ  ।
ଆଜିସୁଦ୍ଧା ମେଦିନୀପୁର, କାନ୍ଥି ପ୍ରଗଣା, ସିଂହଭୂମି, ବସ୍ତର, ମଞ୍ଜୁଷା, ତରଳା, ଜରଡ଼ା ପ୍ରଭୃତି  ଅଞ୍ଚଳରେ ଓଡ଼ିଆ  ଭାଗବତ ପାଠ ହେଉଅଛି  । ମୁଁ ମଧ୍ୟ କୋଲକତା, ବର୍ଦ୍ଧମାନ, ନଦୀୟା, ବାଙ୍କୁଡା, ଚବିଶପ୍ରଗଣା, ପୁରୁଲିଆ, କାନ୍ଥି, ଖଡଗପୁର, ମେଦିନୀପୁର, ଷଢେଇକଳା, ଖରସୁଆ, ଚକ୍ରଧରପୁର, ବସ୍ତର ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଭାଗବତ ପ୍ରବଚନ ଦେଇ ଶ୍ରୋତାଗଣଙ୍କର ଶ୍ରଦ୍ଧା, ସ୍ନେହ ଓ ସମ୍ମାନ ଲାଭ କରିଛି  ।
ଭାଷାର ସରଳତା ଓ ମନୋହାରିତା ଭାଗବତ ପାଠର ପରମ ସହାୟକ  । କଠିନ ଦାର୍ଶନିକ ତତ୍ତ୍ୱକୁ  ସରଳ ଭାଷା ଓ ଶବ୍ଦ ସଂଯୋଜନା ମାଧ୍ୟମରେ ଜଗନ୍ନାଥ ଦାସ ଯେପରି ବୁଝାଇ ଅଛନ୍ତି, ଭାରତବର୍ଷରେ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ଏଭଳି ଅନୁବାଦ ବିରଳ । ସମାଜର ଅଭାବ, ଅନୁଭୂତି, ଆବେଗ, ଉଲ୍ଲାସ ତଥା ଆଶା ଆକାଂକ୍ଷାକୁ ସେ ଅତି ମାର୍ମିକ ଭାବରେ ପ୍ରକାଶ କରିଛନ୍ତି  ।
ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜାଇ କଳି  ।
ଧର୍ନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି  ।
ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ ।
ଦୁଃଖେ ସଞ୍ଚôତ ଯେତେ ଧନ, ସେ ସୁଖେ ନୋହେ ପ୍ରୟୋଜନ  ।
ଧନ କାର୍ପଣ୍ୟ ସେବା ଫଳେ, କିବା ଅସାଧ୍ୟ ମହୀତଳେ  ।
ଆତ୍ମା କୁଶଳେ ସର୍ବସିଦ୍ଧି, ତରଇ ସଂସାର ବାରିଧି
ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ  ।
ଅମୃତ ବିନୟବଚନ, କହି ତୋଷିବ ପ୍ରାଣୀ ମାନ  । 
ସତ୍ୟ ପରମାନନ୍ଦ ହରି, ଯାହା ଭାବିଲେ ଭବୁଁ ତରି  ।
କାଳର ବଶ ଏ ଜଗତ, ପ୍ରାଣୀଏ କାଳର ଆୟତ୍ତ  ।
ମନଟି ସୁଖ ଦୁଃଖ ଦାତା, ସେ ପାପ ପୁଣ୍ୟରେ କରତା ।
ଯେ ପ୍ରାଣୀ ପରେ ହିଂସାକରେ, ଦେବତା ପୂଜି ସେ ନତରେ  ।
ତା ଜନ୍ମ ଧନ୍ୟ ଏ ସଂସାରେ ଯେ ରହେ ପର ଉପକାରେ  ।
ସମଦରଶି ଯାର ଚିତ୍ତ, ତାହାର ନାହିଁ  ରିପୁ ମିତ୍ର  ।
ମର୍ତ୍ତର୍୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ
ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ  ।
ଏହି ଅମୃତ ପଦ ସମୂହ ଯୋଗୁ ମୁଁ ଓଡ଼ିଆ ଭାଗବତ ପ୍ରବଚନ ଦେବାକୁ ଶ୍ରେୟ ମଣିଲି ଏବଂ ପଚାଶ ବର୍ଷରୁ ଊଦ୍ଧ୍ୱର୍କାଳ ପ୍ରବଚନ ପ୍ରଦାନ କରି ବିପୁଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛି  । ଭାଗବତରେ ଭାଗବତ ପ୍ରାଣତା ଓ ସାମ୍ୟମୈତ୍ରୀର ଗାନ ଓଡ଼ିଆ ଜାତୀୟତାରେ ମୂର୍ତ୍ତିମନ୍ତ୍ର ହୋଇଛି  । ଓଡ଼ିଆଙ୍କର ଜନ୍ମମରଣର ସାଥୀ ହେଉଛି ଭାଗବତ  । ଓଡ଼ିଶାର ଧର୍ମ ତଥା ଜାତୀୟ ଜୀବନରେ ଭାଗବତର ସ୍ଥାନ ପ୍ରଥମ ହୋଇ ରହିଅଛି  । ନୈତିକ ଜୀବନ ଗଠନ କରିବା ଦିଗରେ ଭାଗବତ  ପରି ଗ୍ରନ୍ଥ ଓଡ଼ିଆ ସାହିତ୍ୟରେ ଆଉ ରଚିତ ହୋଇନାହିଁ  । ଏହି  ଦିବ୍ୟଦୃଷ୍ଟିରେ ମୁଁ ଓଡ଼ିଆ ଭାଗବତରେ ପ୍ରଚାର ପ୍ରସାରରେ ବ୍ରତୀ ଏବଂ ମୋର ସୋ÷ଭାଗ୍ୟ ଯେ ଅଗଣିତ ଶ୍ରୋତାଙ୍କର ଭାଗବତ ପଦାବଳୀ ହେଉଛି କର୍ଣ୍ଣ ରସାମୃତ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨