ମହାମାୟା ଦେବୀ ଦୁର୍ଗାଙ୍କ ଆରମ୍ଭ ହୋଇଯାଇଛି ଷୋଡ଼ଶ ଦିନାତ୍ମକ ପୂଜା । ପୂଜା ମଣ୍ଡପରେ ବିରାଜିବେ ମା'ଦୁର୍ଗତୀ ନାଶିନୀ । ମା'ଙ୍କ ପୀଠରେ ଗୁଞ୍ଜରିତ ହେବ ଚଣ୍ଡୀପାଠ । ରାଜ୍ୟର ବିଭିନ୍ନ ଦୈବୀପୀଠ ସମେତ ପୁରୀରେ ଅଧିଷ୍ଠିତ ଅଷ୍ଟଚଣ୍ଡୀଙ୍କ ଠାରେ ସ୍ୱତନ୍ତ୍ର ପରମ୍ପରାର ପୂଜା ନୀତି ରହିଛି । ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଠାରୁ ଆରମ୍ଭ ହୋଇ ଷୋଳଦିନ ବ୍ୟାପୀ ହୁଏ । ଏହାକୁ ଷୋଳପୂଜା, ଶାରଦୀୟ ଦେବୀ ପୂଜା, ଶାକ୍ତ ଗୁଣ୍ଡିଚା, ଭିତର ଗୁଣ୍ଡିଚା, ଶାରଦୀୟ ରଥଯାତ୍ରା ବା ଦଶହରା ମହୋତ୍ସବ କୁହାଯାଏ । ଏହି ପୂଜାରେ ପ୍ରଥମ ଦିନ ଶାରଦୀୟ ଦେବୀ ପୂଜା ସକାଶେ ମା'ସୁଭଦ୍ରାଙ୍କୁ ପ୍ରାର୍ଥନା କରାଯାଏ । ସକାଳ ଧୂପ ବଢ଼ିବା ପରେ ମା'ଦୁର୍ଗାଙ୍କ ପ୍ରତିମାଙ୍କୁ ଭଣ୍ଡାର ଘରୁ ଆଣି ରତ୍ନସିଂହାସନରେ ବିଜେ କରାଯାଏ । ମା'ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ପାଇ ମା'ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରନ୍ତି । ସେଠାରେ ମା'ଦୁର୍ଗାଙ୍କର କୁମ୍ଭାଭିଷେକ ହୁଏ । ଯଜେ୍ଞାପଚାର ଭୋଗ ଓ ବନ୍ଦାପନା ପରେ ମା'ଦୁର୍ଗା ଭଣ୍ଡାର ଘର ଦ୍ୱାରରେ ବିଜେ କରନ୍ତି । ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ୍ଣ ଅଳଙ୍କାର ଶୋଭାପାଏ । କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁକିଆ, ଚୂଡ଼ି, ତି୍ରନେତ୍ର, ନେତ୍ର, ଚାପସରି, କଣ୍ଠିମାଳ, ହରିଡ଼ାକଣ୍ଠି ମାଳ(୩), ବଟଫଳ, ବକ୍ଷସ୍ଥଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି । ମାଧବ ରତ୍ନସିଂହାସନରୁ ବିଜେ କରି ମା'ଦୁର୍ଗାଙ୍କ ସହ ରୁନ୍ଧା ହୁଅନ୍ତି ବା ଭଦ୍ରାସନରେ ଏକତ୍ର ଦୁର୍ଗାଙ୍କ ସହ ବିଜେ କରନ୍ତି । ଏହି ଦୁର୍ଗାମାଧବ ରତ୍ନସିଂହାସନରେ ବିଜେ କରି ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ଠାରେ ଥିବା ସୁସଜ୍ଜିତ ରଥ (ବିମାନ)ରେ ବିମଳା ମନ୍ଦିରକୁ ଯାତ୍ରା କରନ୍ତି । ଏହା ପୂର୍ବରୁ ମା'ବିମଳାଙ୍କ ନିକଟରେ ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ବିମଳେଇ ପିଠା, ଗଜାମଣ୍ଡା, ମୁଅାଁ ଆଦି ଭୋଗ କରାଯାଇ ଆଳତି, ବନ୍ଦାପନା ନୀତି ସମାପନ ହୋଇଥାଏ । ଦୁର୍ଗାମାଧବ ବିମଳା ମନ୍ଦିର ନାଟମଣ୍ଡପରେ ପଲଙ୍କ ଉପରେ ବିଜେ କରନ୍ତି । ସେଠାରେ ଶୀତଳ ଭୋଗ ଲାଗି ହୋଇ ବନ୍ଦାପନା ହୁଏ । ଶ୍ରୀଜଗନ୍ନାଥଙ୍କ ରାତ୍ରି ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ବିମଳା ମନ୍ଦିରରୁ ବାହୁଡ଼ା ବିଜେ କରି ଭଣ୍ଡାର ଘରକୁ ଆସନ୍ତି ।
ଆବହମାନ ପରମ୍ପରା ଓ ସତ୍ତ୍ୱଲିପିରେ ଉଲ୍ଲେଖ ଥିବା ନୀତି ମୁତାବକ ସହସ୍ର କୁମ୍ଭାଭିଷେକ, ଦେବୀ ଉତଥାପନ ନୀତି ପରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଥାଏ । ମା'ବିମଳା ହେଉଛନ୍ତି ଶ୍ରୀକ୍ଷେତ୍ରର ଅଧିଶ୍ୱରୀ । ଶ୍ରୀବିଗ୍ରହଙ୍କ ପୂର୍ବରୁ ନୀଳକନ୍ଦରରେ ମା'ବିରାଜିତ ବୋଲି ଶାସ୍ତ୍ର କୁହେ । ମା' ସାତ୍ତ୍ୱିକ ବିଗ୍ରହ ଭାବେ ବିରାଜିତ ଏବଂ ଯୋଗମାୟା ରୂପେ ପୂଜିତ । ମା' ନାଗ, ଅମୃତ କଳସ ଧାରଣ କରିଛନ୍ତି । ଅନ୍ୟ ହସ୍ତ ଅଭୟ ମୁଦ୍ରାରେ ସୁଶୋଭିତ । ମା'ଙ୍କ ବାମ ପାଶ୍ୱର୍ରେ ଛାୟା ଓ ଦକ୍ଷିଣ ପାଶ୍ୱର୍ରେ ମାୟା ପାଶ୍ୱର୍ ଦେବୀ ରୂପେ ବିରାଜିତ । ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ ପର୍ଯ୍ୟନ୍ତ ମା' ବିମଳାଙ୍କ ଠାରେ ସଙ୍ଖୁଡ଼ି ଭୋଗ ହୁଏ ନାହିଁ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ନିଶାର୍ଦ୍ଧରେ ସଙ୍ଖୁଡ଼ି ଭୋଗ ହୋଇ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ଏହି ତିନି ଦିନ ରାତି ୩ଟାରେ ବଳି ପଡ଼ିବାର ବିଧି ରହିଛି । ମହାପ୍ରଭୁଙ୍କ ବଡ଼ସିଂହାର ନୀତି ସରି ପହୁଡ଼ ପରେ ବଳି ଓ ଭୋଗ ପଶ୍ଚିମ ଦ୍ୱାର ଦେଇ ନେବା ଆଣିବା କରାଯାଇଥାଏ । ମାନସିକଧାରୀମାନେ ପେଜନଳା ନିକଟରେ ବାହାରେ କାକୁଡ଼ି ଖାଇଙ୍କ ନକଟରେ ବଳି ପକାଇବାର ପରମ୍ପରା ରହିଛି । ଷୋଳପୂଜାର ୧୬ ଦିନ ମା'ବିମଳାଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଏ । ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହୋଇଥାଏ ।
ନବରାତ୍ର ପୂଜା ନିମିତ୍ତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠମାନଙ୍କରେ ପୂଜା ପାଇଁ ବରଣ ହୋଇଥାନ୍ତି ବ୍ରାହ୍ମଣ । ବରଣ ହୋଇଥିବା ଶୋତ୍ରୀୟ ବ୍ରାହ୍ମଣମାନେ ଷୋଳପୂଜାରେ ବସିବାର ବିଧି ରହିଛି । ଶ୍ରୀନଅରରେ ବ୍ରାହ୍ମଣ ବରଣ ସହ ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷାଠାରୁ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭର ବିଧି ରହିଛି । ପୂଜା ଆରମ୍ଭ ହେବା ପୂର୍ବରୁ ସର୍ବପ୍ରଥମେ ଶ୍ରୀନଅରରେ ୨୧ଜଣ ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା ଆରମ୍ଭ କରିଥାନ୍ତି । ମହାରାଜ ଦିବ୍ୟସିଂହ ଦେବଙ୍କ ପଇତା ଲାଗି, ଦେବାର୍ଚ୍ଚନା, ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁଙ୍କୁ ଗଜପତି ଗୁଆ, ନଡ଼ିଆ ପ୍ରଦାନ କରାଯାଏ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ, ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଥାନ୍ତି । ସେହିପରି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତଥାପନ ନୀତି ଅନୁଷ୍ଠିତ ହୋଇଥାଏ । ନୀତିକାନ୍ତି ଅନୁଯାୟୀ ମହାପ୍ରଭୁଙ୍କ ସକାଳ ଧୂପ ସମ୍ପନ୍ନ ହେବା ପରେ ଏହି ନୀତି ଅନୁଷ୍ଠିତ ହେଇଥାଏ । ଏହିପରି ଷୋଳପୂଜାର ପ୍ରଥମ ଆଠଦିନ ଦୁର୍ଗାମାଧବ ବିମଳା ମନ୍ଦିରକୁ ବିଜେ କରନ୍ତି ଓ ସେଠାରେ ପ୍ରତିଦିନ ଉପରୋକ୍ତ ନୀତି ପାଳନ କରାଯାଇଥାଏ । ହିନ୍ଦୁ ପରମ୍ପରାରେ ଦେବୀପୂଜାର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରାଗ୍ବୈଦିକ କାଳର ପ୍ରକୃତି ଉପାସନାରୁ ପରବର୍ତ୍ତୀ କାଳରେ ମାତୃଶକ୍ତି ପୂଜା ପରମ୍ପରା ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ । ମାତୃଶକ୍ତି ଚିନ୍ତନର ବିଶ୍ୱାସ ଓ ପରମ୍ପରାରୁ କ୍ରମଶଃ ଦେବୀ ଶକ୍ତି ଓ ଦେବୀ ପୂଜାର ଆରମ୍ଭ । ଦେବୀ ପୂଜା ଶକ୍ତି ପ୍ରାଧାନ୍ୟର ଏକ ଧର୍ମୀୟ ଆଚାର । ଏହି ପରମ୍ପରାରେ ଶକ୍ତି ଧର୍ମ ହିଁ ସମସ୍ତ ସୃଷ୍ଟିର ମୂଳ ଆଧାର । ଶକ୍ତି ଆଦିମାତା ଓ ବିଶ୍ୱମାତା । ସେ ସର୍ବଭୂତରେ ଆତ୍ମାରୂପୀ, ମାତୃରୂପରେ ଅବସ୍ଥିତ । ଏହି ମାତୃଶକ୍ତି ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ଶକ୍ତି, କ୍ଷାନ୍ତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କାନ୍ତି, ଭ୍ରାନ୍ତି ଆଦି ରୂପରେ ପ୍ରତିଭାତ ହୁଅନ୍ତି । ବ୍ରହ୍ମା ବିଷ୍ଣୁ ଶିବଙ୍କ ସହ ଦେବୀଙ୍କ ତ୍ରିରୂପ ଶକ୍ତି ଯଥାକ୍ରମେ ମହାସରସ୍ୱତୀ-ମହାଲକ୍ଷ୍ମୀ-ମହାକାଳୀ । ସତ୍ତ୍ୱଗୁଣ ବିଶିଷ୍ଟ ହେଲେ, ଦେବୀଙ୍କର ପରିଚୟ ମହାସରସ୍ୱତୀ । ସେତେବେଳେ ତାଙ୍କର ରୂପ ତୁଷାର ଧବଳା । ସେ ଜ୍ଞାନ ସ୍ୱରୂପିଣୀ । ରଜଗୁଣ ବିଶିଷ୍ଟ ଶକ୍ତି ମହାଲକ୍ଷ୍ମୀ ରୂପରେ ପରିଚିତ । ସେ ଧନ ସମ୍ପତ୍ତିର ଅଧିକାରିଣୀ । ତାଙ୍କର ବର୍ଣ୍ଣ ଲୋହିତ ଓ ରୂପକାନ୍ତି ଅତ୍ୟନ୍ତ ମଧୁର । ତମଗୁଣ ବିଶିଷ୍ଟ ଶକ୍ତି ମହାକାଳୀ ରୂପରେ ପୂଜା ପାଆନ୍ତି । ତାଙ୍କର ରୂପ କୃଷ୍ଣ ବର୍ଣ୍ଣ । ସଂହାରକର୍ତ୍ତା ଶିବଙ୍କ ସହ ସେ ଧ୍ୱଂସର କାରଣ ହୁଅନ୍ତି ।
ପୁଷ୍ପମିତ୍ର ମହାପାତ୍ର
ମୋ : ୯୪୩୭୨୨୫୬୮୯