ଆଇନ ସେବା ପ୍ରାଧିକରଣର ସଚେତନତା ସଭା
ବଡ଼ଚଣା: ଏହି ବ୍ଲକ୍ ଅନ୍ତର୍ଗତ ଯୁବ ତାଲିମ୍ କେନ୍ଦ୍ର ପରିସରରେ ପ୍ରବାସୀ ଶ୍ରମିକ ସମସ୍ୟା ଓ ତା'ର ସମାଧାନ ବିଷୟରେ ସଚେତନତା ସଭା ଜିଲାଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଆଲୋଚକ ଭାବେ ଜିଲାଶ୍ରମ ଅଧିକାରୀ ଏସ୍.କେ ମହାନ୍ତି, ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ସାମାଜିକ କାର୍ଯ୍ୟକର୍ତ୍ତା ଡ.ରୁଦ୍ରନାରାୟଣ ପୃଷ୍ଟି, ଦର୍ପଣ ତହସିଲଦାର୍ ମାନସ ଚନ୍ଦ୍ର ତ୍ରିପାଠୀ, ସମାଜସେବୀ ମାନସ ଜେନା, ବଡ଼ଚଣା ବ୍ଲକ୍ ଡବ୍ଲୁ୍ୟଇଓ କୀର୍ତ୍ତିଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଗୋଟିଏ ଜିଲାରୁ ଅନ୍ୟ ଜିଲା, ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଓ ଦେଶରୁ ଦେଶାନ୍ତର ହୋଇ କାମ କରିବାକୁ ଯାଉଥିବା ଶ୍ରମିକ ମାନେ କିପରି ସମୟ କ୍ରମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ତା'ର କିପରି ପ୍ରତିକାର କରାଯାଇ ପାରିବ ସେ ବିଷୟରେ ବିଭିନ୍ନ ଦିଗରୁ ଆଲୋଚନା କରିବା ସହିତ କିପରି ଦାଦନ ଖଟିବାକୁ ନଯାଇ ପେଟ ପରିବାର ପାଇଁ ଭିଟାମାଟି ନଛାଡି ନିଜ ଅଞ୍ଚଳ ଜିଲା ଓ ରାଜ୍ୟ ଭିତରେ କାମ କରି ଶ୍ରମଜୀବୀ ମାନେ ମର୍ଯ୍ୟାଦାର ସହ ବଞ୍ଚି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାରେ ଶ୍ରମଜୀବୀ, ଶ୍ରମିକ ସଂଗଠନର କର୍ମକର୍ତ୍ତା, ପଞ୍ଚାୟତିରାଜ ପ୍ରତିନିଧି ଓ ସର୍ବସାଧାରଣ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବନ୍ଦାଳୋ ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଜୟନ୍ତୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ତାଲିମ୍ କେନ୍ଦ୍ରର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳ ବେଳା ପ୍ରାଧିକରଣର ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଯାଜପୁର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଠାରେ ଯୌନ ଅପରାଧରୁ ଶିଶୁ ମାନଙ୍କୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଯନô ଓ ସୁରକ୍ଷା ସମ୍ବନ୍ଧରେ ଅତିଥି ଆଲୋଚକ ଭାବେ ଶିଶୁ ନ୍ୟାୟ ପରିଷଦର ସଦସ୍ୟା ରୀତା ବେହେରା ଓ ପ୍ରୀତିଲତା ସାମନ୍ତରାୟ ଆଲୋଚନା କରିବା ସହ ଏସମ୍ୱନ୍ଧିତ ଆଇନ ତାର କାର୍ଯ୍ୟକାରୀ ଦିଗ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରଧାନ ଶିକ୍ଷକ ଅମୀୟ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ରାଧାଶ୍ୟାମ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣର କର୍ମଚାରୀ ମାନେ ସହଯୋଗ କରିଥିଲେ ।