ଜଳବାୟୁ ପରିବର୍ତ୍ତନରେ ହିମପର୍ବତର ଭୂମିକା
ଡକ୍ଟର ଅମୂଲ୍ୟ କୁମାର ପଣ୍ଡା : ସାଧାରଣ ଭାବରେ କୌଣସି ସ୍ଥାନର ଜଳବାୟୁର ବର୍ଣ୍ଣନା କରିବାକୁ କହିଲେ ଉକ୍ତ ସମୟରେ ସେଠାକାର ଜଳବାୟୁ ଅବସ୍ଥାକୁ ବୁଝାଏ । ବିଭିନ୍ନ ହାରାହାରି ଅବକ୍ଷେପନ ବା ପ୍ରେସିପିଟେସନ ତଥା ଉତ୍ତାପ ଓ ସ୍ୱାଭାବିକ ପରିବର୍ତ୍ତନଶୀଳ ପରିସୀମାକୁ ନେଇ ଜଳବାୟୁର ବର୍ଗୀକରଣ କରାଯାଏ । ଜଳବାୟୁ ଓ ପାଣିପାଗ ମଧ୍ୟରେ ଫରକକୁ ଏକ ଜନପ୍ରିୟ ବାକ୍ୟରେ ପ୍ରକାଶ କରାଯାଏ: "ତୁମେ ଯାହା ଆଶା କର ତାହା ଜଳବାୟୁ, ତୁମେ ଯାହା ପାଅ ତାହା ପାଣିପାଗ ।" ଐତିହାସିକ ସମୟରୁ ଦ୍ରାଘିମା, ଉଚ୍ଚତା, ଜଳ-ସ୍ଥଳର ଅନୁପାତ ଓ ସମୁଦ୍ର-ପର୍ବତ ଭଳି ଅନେକ ଗୁଡ଼ିଏ ସ୍ଥିର ଭାରିଏବଲ ଅଛି । ପ୍ଲେଟ ଟେକ୍ଟୋନିକସ ଯୋଗୁ ଏମାନଙ୍କର ନିୟୁତ ନିୟୁତ ବର୍ଷ ଧରି ପରିବର୍ତ୍ତନ ହୋଇଆସୁଛି । ଅନ୍ୟାନ୍ୟ ନିର୍ଦ୍ଧାରକମାନଙ୍କ ମଧ୍ୟରେ ସମୁଦ୍ରର ଥର୍ମାହାଲାଇନ ସଞ୍ଚାଳନ ଯୋଗୁ ଅନ୍ୟାନ୍ୟ ସମୁଦ୍ର ବେସିନ ଅପେକ୍ଷା ଆଟଲାଣ୍ଟିକ ସମୁଦ୍ରରେ ୫ପ୍ସ ସେଲ୍ ସିଅସ୍ ଯାହା ୯ପ୍ସ ଫାରେନହିଟ ଉଷ୍ମତା ବୃଦ୍ଧି ହେଉଛି । ଅନବରତ ପରିବର୍ତ୍ତନଶୀଳ ବିଶ୍ୱରେ ଅନେକ ଘଟନା ଆପେ ଆପେ ଘଟେ । ଯାହା ବିବର୍ତ୍ତନର ଦ୍ୱାର ଖୋଲେ । ତନ୍ମଧ୍ୟରୁ ମହାଦେଶୀୟ ଭୁସ୍ଖଳନ, ଆଗ୍ନେୟଗିରି ଉଦ୍ଗୀରଣ, ପୃଥିବୀର ଭାରସାମ୍ୟ ନଷ୍ଟ ଓ ସାମୁଦ୍ରିକ ସ୍ରୋତ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗ୍ରହଣ କରିଛି । ଜଳବାୟୁ କହିଲେ ଦୀର୍ଘ ସମୟ ମଧ୍ୟରେ ହାରାହାରି ପାଣିପାଗକୁ ବୁଝାଏ । ତେଣୁ ଉଭୟ ପାଣିପାଗ ଓ ଜଳବାୟୁ ଘନିଷ୍ଠ ଭାବରେ ସମ୍ପୃକ୍ତ । ଜଳବାୟୁ ଦ୍ୱାରା ବିଭିନ୍ନ ରକମର ଉଦ୍ଭିଦ ଜାତ ହୁଅନ୍ତି । ପୃଥିବୀର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରକମର ଜଳବାୟୁ ଦେଖାଯାଏ । କେବଳ ଗୋଟିଏ ସ୍ଥାନର ବିଷୁବରେଖାଠାରୁ ଦୁରତ୍ୱ ଜଳବାୟୁ ପରିବର୍ତ୍ତନ କରେ ନାହିଁ । ସମୁଦ୍ର ସ୍ରୋତ ମଧ୍ୟ ଜଳବାୟୁ ନିର୍ଣ୍ଣୟ କରେ । ଉଷ୍ଣ ଓ ଶୀତଳ ସମୁଦ୍ର ସ୍ରୋତମାନ ପ୍ରବାହିତ ହେଲେ, ସେହି ଅଞ୍ଚଳମାନଙ୍କୁ ଗରମ ଓ ଥଣ୍ଡା ରଖେ । ତାଛଡା ପୃଥିବୀର ବାୟୁ ପ୍ରବାହ ବ୍ୟବସ୍ଥା, ଜଳୀୟ ବାଷ୍ପର ପରିମାଣ, ଜଳବାୟୁ ଉପରେ ପ୍ରଭାବ ପକାଏ । କେତେ ବର୍ଷ ଅନ୍ତରରେ ପ୍ରବାହିତ ହେଉଥିବା ଏଲ୍ ନିନୋ ସମୁଦ୍ର ସ୍ରୋତ ମଧ୍ୟ ଜଳବାୟୁକୁ ବଦଳାଏ । ଅନେକ ସମୟରେ ବାଣିଜ୍ୟ ବାୟୁ ଦୁର୍ବଳ ହୁଏ ଏବଂ ତାପମାତ୍ରା ଓ ବୃଷ୍ଟିପାତ ବ୍ୟବସ୍ଥା ବଦଳେ । ଏହାକୁ ଦକ୍ଷିଣ ଅସିଲେସନ୍ କହନ୍ତି । ଏହା ପୃଥିବୀର ଜଳବାୟୁକୁ ବଦଳାଏ । ବୈଜ୍ଞାନିକମାନଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ବିଶ୍ୱର ବରଫ ତରଳିବା ହେତୁ ସମୁଦ୍ରର ଜଳ ସ୍ତର ବୃଦ୍ଧି । ପୃଥିବୀର ପ୍ରାକୃତିକ ଓ ଆଭ୍ୟନ୍ତରୀଣ ଉତ୍ତାପ ଗ୍ଲେସିୟରର ତରଳିବା ହାର ବୃଦ୍ଧି କରିବାରେ ସହାୟକ ହେଉଛି । ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ପାଇଁ ମାନବ କାର୍ଯ୍ୟକଳାପ ମୁଖ୍ୟତଃ ଦାୟୀ ବୋଲି ବିବେଚନା କରାଯାଏ । କିନ୍ତୁ ଏହାକୁ ପ୍ରଭାବିତ କରୁଥିବା ପ୍ରାକୃତିକ କାରଣ ମଧ୍ୟ ଅଛି । ବର୍ତ୍ତମାନ, ଜଳବାୟୁରେ ସବୁଠାରୁ ବଡ଼ ଚିନ୍ତା ହେଉଛି ବିଶ୍ୱର ବରଫ ତରଳିବା ହେତୁ ସମୁଦ୍ରର ଜଳ ସ୍ତର ବୃଦ୍ଧି । ଏଥିରେ ସବୁଠାରୁ ବଡ଼ ବିପଦ ହେଉଛି ପଶ୍ଚିମ ଆଣ୍ଟାର୍କାଟିକାର ବରଫ ସିଟ୍ ନିକଟରେ ଥୱାଇଟ୍ ଗ୍ଲେସିୟର ତରଳିବା । ଏକ ରିପୋର୍ଟ ଅନୁଯାୟୀ,୧୯୮୦ ଦଶକରୁ ଏହି ଗ୍ଲେସିୟର ୫୯୫ବିଲିୟନ ଟନ ବରଫ ହରାଇଛି । ତେଣୁ ବୈଜ୍ଞାନିକମାନେ ଏହି ଗ୍ଲେସିୟରର ତରଳିବା ବରଫର ପ୍ରତ୍ୟେକ ଇଞ୍ଚ ଉପରେ ନଜର ରଖିଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହି ଗ୍ଲେସିୟର ତରଳିବାର କାରଣଗୁଡ଼ିକ ବିଷୟରେ ଅଧ୍ୟୟନରୁ ସୂଚନା ପାଇଛନ୍ତି ଓ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଖୋଜୁଛନ୍ତି । ତଥାପି, ବିଶ୍ୱର ସମସ୍ତ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ବିଶ୍ୱ ତାପମାତ୍ରାରେ ଆନ୍ଥ୍ରୋପୋଜେନିକ କାର୍ଯ୍ୟର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ ।
ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପୃଥିବୀର ପ୍ରାକୃତିକ ଓ ଆଭ୍ୟନ୍ତରୀଣ ଉତ୍ତାପ ମଧ୍ୟ ଏହି ଗ୍ଲେସିୟରର ତରଳିବା ହାର ବୃଦ୍ଧି କରିବାରେ ସହାୟକ ହେଉଛି । ଏହି ଗ୍ଲେସିୟରକୁ ଡୁମ୍ସ ଡେ ଗ୍ଲେସିୟର କୁହାଯାଏ । ୧୯୨ ହଜାର ବର୍ଗ କିଲୋମିଟର ଉପରେ ବ୍ୟାପିଥିବା ଏହି ଗ୍ଲେସିୟର ତରଳିବା ପାଇଁ ଜଳବାୟୁ ବୈଜ୍ଞାନିକମାନେ ବହୁତ ଚିନ୍ତିତ ଓ ଏହା ଉପରେ ବିଶେଷ ଗବେଷଣା କରୁଛନ୍ତି । କାରଣ ଏହାର ଜଳ ପୃଥିବୀର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ କରିବାର କ୍ଷମତା ଅଛି । ଏହି ଗବେଷଣାରେ ବୈଜ୍ଞାନିକମାନେ ଏହି ଗ୍ଲେସିୟର ଉପରେ ବିଶ୍ୱ ତାପମାତ୍ରା ବ୍ୟତୀତ ପୃଥିବୀର ଆଭ୍ୟନ୍ତରୀଣ ଉସôର ଦ୍ରୁତ ପ୍ରଭାବ ଜାଣିବାକୁ ପାଇଛନ୍ତି । ବୈଜ୍ଞାନିକମାନେ ବହୁ ପୂର୍ବରୁ ସନେ୍ଦହ କରୁଥିଲେ ଯେ ପୃଥିବୀର ପ୍ରାକୃତିକ ଉତ୍ତାପ ଏହି ଅଞ୍ଚଳର ପୃଷ୍ଠକୁ ସ୍ପର୍ଶ କରୁଛି । ଏହା ସମ୍ଭବତଃ ପଶ୍ଚିମ ଆଣ୍ଟାର୍କାଟିକା, ଯେଉଁଥିରେ ଥ୍ୱାଇଟ ଅନ୍ତର୍ଭୁକ୍ତ, ଏକ ଟେକ୍ଟୋନିକ ପ୍ଲେଟରେ ଅଛି ଯାହା ପୂର୍ବ ଆଣ୍ଟାର୍କାଟିକାଠାରୁ ବହୁତ ପତଳା ଓ ବହୁତ ସାନ ଅଟେ । ପଶ୍ଚିମ ଆଣ୍ଟାର୍କାଟିକାର ଭୂତଳ ମାତ୍ର ୧୭ ରୁ ୨୫ କିଲୋମିଟର ମୋଟା ହୋଇଥିବା ବେଳେ ପୂର୍ବ ଭାଗ ୪୦ ମିଟର ମୋଟା । ଏହି କାରଣରୁ, ଆଣ୍ଟାର୍କାଟିକାର ଅନେକ ଭୂମି ସମୁଦ୍ର ପତ୍ତନଠାରୁ ଦୁଇ କିଲୋମିଟର ତଳେ ଆରମ୍ଭ ହୁଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୧୭ ରୁ ୨୫ କିଲୋମିଟର ମୋଟା ମଧ୍ୟରେ ପୃଥିବୀର ଭୂତଳ ୧୫୦ ମିଲିୱାଟ ବର୍ଗ ଧାରଣ କରିଥାଏ । ଜିଓଥର୍ମାଲ ଉତ୍ତାପ ପ୍ରତି ମିଟର ପ୍ରବାହିତ ହୋଇପାରେ । ତେଣୁ ଏହା ଗ୍ଲେସିୟରର ତରଳିବାର ହାର ବଢ଼ାଇଇପାରେ । ଗ୍ଲେସିୟର ତଳେ ଥିବା ତାପମାତ୍ରା ଅନେକ କାରଣ ଉପରେ ନିର୍ଭର କରେ ଯେପରିକି ଜମି କେତେ କଠିନ, ଏଥିରେ କେତେ କଠିନ ପଥର କିମ୍ବା ଜଳ ଅବସାଦ ରହିଛି । ଜଳ ଉତ୍ତାପର ଏକ ଭଲ କଣ୍ଡକ୍ଟର ଭାବରେ କାର୍ଯ୍ୟ କରେ । କିନ୍ତୁ ଏହା ଗ୍ଲେସିୟରରେ ପହଞ୍ଚିବା ପୂର୍ବରୁ ଉତ୍ତାପ ବିସ୍ତାର କରେ । ବିଗତ କିଛି ଦଶନ୍ଧି ମଧ୍ୟରେ ବରଫ ତରଳିବାର ସ୍ତର ଉପରେ ଅନେକ ଗବେଷଣା ଚେତାବନୀ ଦେଇଛି । ଯେତେବେଳେ ଏହି ଗ୍ଲେସିୟର ତରଳିଯାଏ, ଏହା ବିଶ୍ୱର ଅନେକ ଛୋଟ ଦ୍ୱୀପ ଓ ଉପକୂଳବର୍ତ୍ତୀ ଅଞ୍ଚଳକୁ ବୁଡ଼ାଇବାର କ୍ଷମତା ରଖିଥାଏ ।
ପୃଥିବୀରେ ପ୍ରଥମେ ହିମ ବା ବରଫ ଯୁଗ ଥିଲା । ଯେତେବେଳେ ଥଣ୍ଡା ଜଳବାୟୁ ଯୋଗୁଁ ପୃଥିବୀର ଅଧିକାଂଶ ଭାଗ ବରଫ ଆଚ୍ଛାଦିତ ଥିଲା । ତା’ପରେ ଉଷ୍ଣ ଯୁଗ ଆସିଲା । ତା’ପରେ ପୁଣି ବରଫ ଯୁଗ ଆସିଲା । ନିୟୁତ ନିୟୁତ ବର୍ଷ ଧରି ଏଭଳି ଭାବରେ ପୃଥିବୀର ଜଳବାୟୁ ଚାଲୁଛି । ଦୀର୍ଘ ହିମ ବା ବରଫ ଯୁଗ ଏବଂ ତାପରେ ସ୍ୱଳ୍ପ ଉଷ୍ଣ ଯୁଗ । ବରଫ ଯୁଗ ପରେ ମଧ୍ୟ ତାପମାତ୍ରା ବଦଳେ । ବୈଜ୍ଞାନିକମାନେ ମତପୋଷଣ କରନ୍ତି ଯେ, ପୃଥିବୀର ଜଳବାୟୁ ବରାବର ବଦଳେ । ଯେତେବେଳେ ପୃଥିବୀକୁ ସୂର୍ଯ୍ୟରୁ ଆସୁଥିବା ଉତ୍ତାପ କମିଯାଏ, ସେତେବେଳେ ହିମ ଯୁଗ ଆସେ । ଏହାର କାରଣ ହେଲା ପୃଥିବୀର ଅକ୍ଷ ବେଶି ଢଳିବା, ପୃଥିବୀର ଘୂର୍ଣ୍ଣନର ପରିବର୍ତ୍ତନ ହେବା ଏବଂ ପୃଥିବୀର ପରିକ୍ରମା କକ୍ଷ ଲମ୍ବାକୃତି ହେବା । ବର୍ତ୍ତମାନ ୨୯୦ ନିୟୁତ ବର୍ଷ ପୂର୍ବେ ଥିବା ପୃଥିବୀର ହିମ ଯୁଗର ସନ୍ଧାନ ମିଳିଅଛି । ଗତ ୨ ନିୟୁତ ବର୍ଷ ମଧ୍ୟରେ ଚାରୋଟି ବୃହତ ବରଫ ଯୁଗ ଅତିବାହିତ ହୋଇଛି । ବରଫ ଯୁଗ କାଳରୁ ଉତ୍ତର ଓ ଦକ୍ଷିଣ ମେରୁରେ ବରଫମାନ ରହିଅଛି । ବିଗତ ବରଫ ଯୁଗରେ ପୃଥିବୀରେ ବିରାଟକାୟ ଲୋମଭରା ଜନ୍ତୁମାନେ ଥିଲେ । ହାତୀ ସେ ସମୟରେ ବିରାଟ ଲୋମକାୟ ଜନ୍ତୁ ଥିଲା । ୬୫ ନିୟୁତ ବର୍ଷ ପୂର୍ବେ ଜଳବାୟୁ ପରିବର୍ତ୍ତନ ହେବା ଫଳରେ ବିରାଟକାୟ ଡାଇନୋସରସ୍ ଭଳି ଜନ୍ତୁମାନେ ମରିଗଲେ । ସେହିପରି ୧୪୦ ନିୟୁତ ବର୍ଷ ପୂର୍ବେ ଥିବା ସାପ ଓ ଝିଟିପିଟି ଜାତୀୟ ବିରାଟକାୟ ଜୀବ ଲୋପ ପାଇଗଲେ ।
ପୃଥିବୀରେ ଯେତେ ସବୁ ସମସ୍ୟା ସୃଷ୍ଟି ହେଉଛି ତାର ମୂଳରେ ହିଁ ମଣିଷ । ଏକଥା କହିବା ଅନାବଶ୍ୟକ ଯେ ମଣିଷ ହିଁ ସମସ୍ୟା ସୃଷ୍ଟି କରେ ଓ ତା’କୁ ସମାଧାନ କରିବାକୁ ଚେଷ୍ଟା କରେ । ମାତ୍ର ସେ ଭାବି ପାରିନଥାଏ ଯେ ସବୁ ସମସ୍ୟାର ସମାଧାନ ତା’ହାତରେ ନାହିଁ ବୋଲି । ଏଭଳି ମନୁଷ୍ୟକୃତ କାରଣ ମାନଙ୍କ ମଧ୍ୟରୁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗ୍ରହଣ କରିଥିବା କାରକ ହେଉଛି ପରିବେଶ ପ୍ରଦୂଷଣ ଓ ତଦ୍ଜନିତ ସବୁଜଗୃହ ବାଷ୍ପ । ଯେଉଁ ଯେଉଁ ଉତ୍ପତ୍ତିସ୍ଥଳରୁ ଏହି ଗ୍ୟାସ ସମୂହ ବାହାରୁଛି ତାହାର ମୁଖ୍ୟ ପ୍ରଯୋଜକ ହିଁ ମଣିଷ । ମଣିଷ ମାନେ ପ୍ରତିଦିନ ଏହି ଗ୍ୟାସ ବୃଦ୍ଧିରେ ସହାୟକ ହେଉଛନ୍ତି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ ଅକ୍ସାଇଡ ଆଦି ସବୁଜଗୃହ ପ୍ରଭାବ ସୃଷ୍ଟିକାରୀ ଗ୍ୟାସର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଶିଳ୍ପ ବିପ୍ଲବ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଆମେରିକା,ରୁଷ, ଚୀନ, ଜାପାନ ଓ ଭାରତ ବିଶ୍ୱରେ ସବୁଠାରୁ ଅଧିକଗୃହ ଗ୍ୟାସ ସୃଷ୍ଟି କରୁଛନ୍ତି । ଏହି ଗ୍ୟାସ ଯୋଗୁଁ ବାୟୁମଣ୍ଡଳୀୟ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାରିବାରେ ଲାଗିଛି । ଏହାର ପ୍ରଭାବ ଯୋଗୁଁ ଶୀତଦିନେ ମଧ୍ୟ ତାପମାତ୍ରା ଯଥେଷ୍ଟ ଉଚ୍ଚରେ ରହୁଛି । ଏସବୁକୁ ନିରୀକ୍ଷା କଲେ ଜଣାଯାଏ ଯେ ଏହି ହିମ ପର୍ବତର ତରଳିବା ତୀବ୍ରତାକୁ ଯଦି ରୋକାନଯିବ ତେବେ ଏ ପୃଥିବୀର ପ୍ରଳୟ ଆସିବାକୁ କେହି ରୋକି ପାରିବେ ନାହିଁ ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୯୯୩୮୯୦୬୦୭୦