ନୂତନ ଜିଏସଟି ସୁଧାର ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ : ଦୁର୍ଗାପ୍ରସନ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍ଟି ସୁଧାର” ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି, ଇଚ୍ଛାପୁର କେନ୍ଦ୍ରାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବନାହିଁ, ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତ୍ତନକାରୀ ଐତିହାସିକ ପଦକ୍ଷେପ ଅଟେ ବୋଲି ମହାକାଳପଡ଼ା ବିଧାୟକ ଡ଼ଃ ଦୁର୍ଗପ୍ରସନ ନାୟକ ମତବ୍ୟକ୍ତ କରିଛନ୍ତି । ମୋଦି ସରକାରଙ୍କର ଜିଏସ୍ଟି ୨.୦ ସୁଧାର ଦ୍ୱାରା ଓଡିଶାର ଡବଲ ଇଞ୍ଜିନ ସରକାରକୁ ନୂତନ ଗତି ମିଳିବ । ୧୨ ପ୍ରତିଶତ ହାରରେ ଥିବା ଜିଏସ୍ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଞ୍ଚ଼ୟ ବଢିବ, ଆବଶ୍ୟକ ସାମଗ୍ରୀର ଦାମ କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ବହୁତ କମ୍ପାନୀ ପୂର୍ବରୁ ଦାମ କମେଇବାକୁ ଘୋଷଣା କରିଛନ୍ତି, ଯାହାରୁ ସାଧାରଣ ଲୋକମାନେ ତତ୍କ୍ଷଣାତ୍ ଲାଭ ଉଠାଇପାରିବେ । ଏହି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ ଓ ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଞ୍ଚ଼ନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । କ୍ୟାନ୍ସର ସହିତ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍ଟି ଛାଡ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡିଶାରେ ନୂତନ ଗତି ସହ ବିକାଶକୁ ଅଗ୍ରଗାମୀ କରାଇଛନ୍ତି । ଜିଏସ୍ଟିର ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି ବୋଲି ଡ଼ଃ ନାୟକ କହିଛନ୍ତି । ରାଜ୍ୟ ବିଜେପି ର "ନୂତନ ଜିଏସଟି ସୁଧାର କମିଟିର ସହ ସଂଯୋଜକ ତଥା ଜିଲ୍ଲା ବିଜେପି ଉପସଭାପତି ସଂଜୟ ରଥ ଯୋଗଦେଇ, ଏହି ଜିଏସ୍ଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ ବୋଲି କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠିଙ୍କ ପୌରହିତ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ଗୀତାଞ୍ଜଳି ସେଠୀ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ତଥା ଜିଲ୍ଲା ମିଡିଆ ପ୍ରକୋଷ୍ଠର ଆବାହକ ନେହେରୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।