ଶ୍ରୀରାମ ମନ୍ଦିରରେ ଧର୍ମଧ୍ୱଜା ସ୍ଥାପନ
ରିତେଶ ପୃଷେଠ : ଶ୍ରୀରାମ ମନ୍ଦିରରେ ଧର୍ମ ଧ୍ୱଜା ସ୍ଥାପନ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଭାରତୀୟ ସଭ୍ୟତାର ସନାତନତା ସହିତ ସହସ୍ର ବର୍ଷର ସଂଘର୍ଷ, ତ୍ୟାଗ ଓ ବଳିଦାନର ଏକ ଜୀବନ୍ତ ପ୍ରତୀକ ତଥା ଏହା ବିଶ୍ୱ ଇତିହାସରେ ଏକ ବିରଳ ଘଟଣା ଯେଉଁଠି କୌଣସି ସଭ୍ୟତା ଶତାବ୍ଦୀର ସଙ୍ଘର୍ଷ ଓ ଦମନ ପରେ ପୁନର୍ଜୀବନ ଲାଭ କରୁଛି ଏବଂ ନିଜର ଗୌରବ ପୁନଃପ୍ରତିଷ୍ଠା କରିଛି । ବିଶ୍ୱ ଇତିହାସରେ ଅନେକ ପ୍ରାଚୀନ ସଭ୍ୟତା ଇସଲାମିକ ଆକ୍ରମଣ ଓ ଧର୍ମାନ୍ତରଣର ଶିକାର ହୋଇ ଚିରଦିନ ପାଇଁ ବିଲୁପ୍ତ ହୋଇଯାଇଛି । ପ୍ରାଚୀନ ପାରସ୍ୟ ଓ ମିଶରର ସଭ୍ୟତା, ଉତ୍ତର ଆଫ୍ରିକାର ସଭ୍ୟତା, ଆଫଗାନିସ୍ତାନ ଓ ପାକିସ୍ତାନର ବୌଦ୍ଧ ଓ ହିନ୍ଦୁ ସଂସ୍କୃତି ଏହାର ପ୍ରମାଣ । କିନ୍ତୁ ଭାରତ ଏକମାତ୍ର ଦେଶ ଯେଉଁଠି ପ୍ରାଚୀନ ସନାତନ ସଂସ୍କୃତି ଏକ ହଜାର ବର୍ଷର ଆକ୍ରମଣ ସତ୍ତେ୍ୱ ଆଜି ବି ଜୀବନ୍ତ ରହିଛି । ଏହି ସାଂସ୍କୃତିକ ଅସ୍ତିତ୍ୱର ସଂଘର୍ଷ ଅତ୍ୟନ୍ତ କଠିନ ଓ ବେଦନାଦାୟକ ଥିଲା ।
ମଧ୍ୟଯୁଗରେ ଭାରତରେ ଅସଂଖ୍ୟ ମନ୍ଦିର ଧ୍ୱଂସ ହୋଇଥିଲା, ଲକ୍ଷ ଲକ୍ଷ ଲୋକଙ୍କୁ ବଳପୂର୍ବକ ଧର୍ମାନ୍ତରିତ କରାଯାଇଥିଲା, କିନ୍ତୁ ଭାରତୀୟ ସମାଜ କେବେ ବି ନିଜର ଆଧ୍ୟାତ୍ମିକ ମୂଳକୁ ଭୁଲି ନଥିଲେ । ଶ୍ରୀରାମ କେବଳ ଏକ ଧାର୍ମିକ ବ୍ୟକ୍ତିତ୍ୱ ନୁହଁନ୍ତି, ସେ ସମଗ୍ର ଭାରତୀୟ ସଂସ୍କୃତିର ପ୍ରାଣ, କେନ୍ଦ୍ରବିନ୍ଦୁ ଓ ଜାତୀୟ ଚେତନାର ପ୍ରତୀକ । ରାମାୟଣ କେବଳ ଉତ୍ତର ଭାରତରେ ନୁହେଁ, ଏହା କାଶ୍ମୀରରୁ କନ୍ୟାକୁମାରୀ ତଥା ଆସାମରୁ ଗୁଜରାଟ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ନିଜସ୍ୱ ରୂପରେ ପ୍ରଚଳିତ । ଭାରତୀୟଙ୍କ ଭାଷା, ପୋଷାକ, ଖାଦ୍ୟ ଭିନ୍ନ ହୋଇପାରେ, କିନ୍ତୁ ରାମଙ୍କ ଆଦର୍ଶ ସମଗ୍ର ଭାରତକୁ ଏକ ସୂତ୍ରରେ ବାନ୍ଧିରଖିଛି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜୀବନ କର୍ତ୍ତବ୍ୟ, ନ୍ୟାୟ ଓ ଧର୍ମର ପ୍ରତୀକ, ଯାହା ଶାସକଠାରୁ ନେଇ ସାଧାରଣ ନାଗରିକ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ଏକ ନିତ୍ୟ ପ୍ରେରଣା । ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହଙ୍କ ଭଳି ଅସଂଖ୍ୟ ବୀରମାନେ ନିଜର ଜୀବନ ଉତ୍ସର୍ଗ କରି ଏହି ଧର୍ମ ଓ ସଂସ୍କୃତିର ରକ୍ଷା କରିଥିଲେ, ଏବଂ ଏହି ଧାରା ପିଢି ପରେ ପିଢି ଜାରି ରହିଲା ।
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପୁନଃପ୍ରତିଷ୍ଠା ଭାରତୀୟ ସମାଜର ଦୀର୍ଘ ଆଇନଗତ ଓ ଶାନ୍ତିପୂର୍ଣ୍ଣ ସଂଘର୍ଷର ଫଳ । ସ୍ୱାଧୀନତା ପରେ ମଧ୍ୟ ପାଞ୍ଚ ଦଶନ୍ଧି ଧରି ଏହି ସଂଘର୍ଷ ଜାରି ରହିଲା ଏବଂ ଅସଂଖ୍ୟ କାର ସେବକ, ସ୍ୱୟଂସେବକ, ସାଧୁ-ସନ୍ଥ ଓ ସାଧାରଣ ଲୋକମାନେ ଏହି ଆନ୍ଦୋଳନରେ ଆତ୍ମବଳିଦାନ ଦେଇଥିଲେ । ଶ୍ରୀରାମ ମନ୍ଦିରରେ ଧ୍ୱଜାରୋହଣ କେବଳ ଏକ ମନ୍ଦିରର ନିର୍ମାଣ ନୁହେଁ, ଏହା ସନାତନ ସଂସ୍କୃତିର ଅମରତା ଓ ଶାଶ୍ୱତତାର ପ୍ରମାଣ । ସନାତନ ଅର୍ଥ ଯାହାର ନା ଆରମ୍ଭ ନା ଅନ୍ତ, ଯାହା ଚିରକାଳ ପ୍ରବାହମାନ । ଏହି ଧ୍ୱଜ ଗଗନରେ ଉଡ଼ିବାମାନେ ଏହା ଯେ ଭାରତୀୟ ସଭ୍ୟତା କୌଣସି ପରିସ୍ଥିତିରେ ମଧ୍ୟ ନଷ୍ଟ ହୋଇପାରିବ ନାହିଁ । ରାମ ମନ୍ଦିରର ଧ୍ୱଜ କେବଳ ଏକ କପଡ଼ା ନୁହେଁ, ଏହା ଭାରତର ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ଗର୍ବର ପ୍ରତୀକ, ଯାହା ଆଜି ପୁଣି ଥରେ ସମଗ୍ର ବିଶ୍ୱକୁ ଜଣାଇଦେଉଛି କି ଭାରତୀୟ ସଭ୍ୟତା ଚିରଞ୍ଜିବୀ ଓ ଅଜେୟ । ଶ୍ରୀରାମ ମନ୍ଦିର କେବଳ ଅତୀତର ଗୌରବର ପ୍ରତୀକ ନୁହେଁ, ଏହା ଭବିଷ୍ୟତର ଆଶା ଓ ସ୍ୱପ୍ନର ମଧ୍ୟ ଆଧାର । ଏହି ମନ୍ଦିର ଆଗାମୀ ପୀଢ଼ୀକୁ ସେମାନଙ୍କର ମୂଳ ଓ ସଂସ୍କୃତି ସହିତ ଯୋଡ଼ିବାରେ ସାହାଯ୍ୟ କରିବ । ଆଧୁନିକ ଯୁଗର ଯାନ୍ତ୍ରିକତା ଓ ବସ୍ତୁବାଦୀ ଜୀବନଶୈଳୀ ମଧ୍ୟରେ ଏହି ମନ୍ଦିର ଆଧ୍ୟାତ୍ମିକତା ଓ ମୂଲ୍ୟବୋଧର ଏକ ଦୀପସ୍ତମ୍ଭ ହୋଇ ରହିବ । ଯୁବପୀଢ଼ୀ ଏଠାରୁ ଶିଖିବେ ଯେ ପ୍ରଗତି ଓ ଆଧୁନିକୀକରଣ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ନିଜର ସାଂସ୍କୃତିକ ପରିଚୟ ଓ ମୂଳକୁ ଭୁଲିଯିବା ଅନୁଚିତ ।
ରାମଙ୍କ ଆଦର୍ଶ, ତାଙ୍କର ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତି ଅବିକଳ ନିଷ୍ଠା, ଆଜିର ଯୁଗରେ ମଧ୍ୟ ସମାନଭାବେ ପ୍ରାସଙ୍ଗିକ ଓ ମାର୍ଗଦର୍ଶକ । ଏହି ମନ୍ଦିର ନିର୍ମାଣ ଭାରତୀୟ ଅର୍ଥନୀତି, ପର୍ଯ୍ୟଟନ ଓ ସାମାଜିକ ବିକାଶରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଭକ୍ତ ଓ ପର୍ଯ୍ୟଟକ ଏହି ପବିତ୍ର ତୀର୍ଥସ୍ଥାନକୁ ଆସିବେ, ଯାହା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବ । ମନ୍ଦିର ଚତୁଃପାର୍ଶ୍ୱରେ ବିକଶିତ ହେଉଥିବା ସଂରଚନା, ଧର୍ମଶାଳା, ହୋଟେଲ, ସାଂସ୍କୃତିକ କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ । ଶ୍ରୀରାମ ମନ୍ଦିର ବିଶ୍ୱ ସମସ୍ତ ହିନ୍ଦୁଙ୍କ ଏକତା ଓ ସଂଯୋଗର ମଧ୍ୟ ପ୍ରତୀକ ହୋଇ ଉଠିଛି । ଭାରତ ବାହାରେ ବସବାସ କରୁଥିବା କୋଟି କୋଟି ହିନ୍ଦୁ, ଯେଉଁମାନେ ନେପାଳ, ବାଲି, ମରିସସ, ଗୟାନା, ସୁରିନାମ, ତ୍ରିନିଦାଦ, ଆମେରିକା, ୟୁରୋପ ଓ ଅନ୍ୟାନ୍ୟ ଦେଶରେ ରହୁଛନ୍ତି, ସେମାନେ ଏହି ମନ୍ଦିରକୁ ନିଜର ଆଧ୍ୟାତ୍ମିକ ମାତୃଭୂମି ସହିତ ସଂଯୋଗର ଏକ ସେତୁ ଭାବେ ଦେଖୁଛନ୍ତି । ଏହି ମନ୍ଦିର ବିଶ୍ୱ ହିନ୍ଦୁ ସମାଜକୁ ଏକ ସାମୂହିକ ପରିଚୟ ଓ ଗର୍ବର ଭାବନା ପ୍ରଦାନ କରୁଛି । ଭାରତର ସୀମା ଅତିକ୍ରମ କରି ସନାତନ ଧର୍ମର ବୈଶ୍ୱିକ ଉପସ୍ଥିତି ଓ ପ୍ରଭାବକୁ ଏହା ପ୍ରତିଫଳିତ କରୁଛି, ଏବଂ ଏହା ମାନବ ସଭ୍ୟତାର ବୈଚିତ୍ର୍ୟ ଓ ବହୁତ୍ୱବାଦର ଏକ ସୁନ୍ଦର ଉଦାହରଣ ।