ସଂକୀର୍ତ୍ତନରେ ଉଗ୍ର ଆଧୁନିକତା
ଡ.ମନୋଜ କୁମାର ମହାନ୍ତି : ସ୍ରଷ୍ଟାଙ୍କର ବିଚିତ୍ର ସୃଷ୍ଠିକୁ ଅନୁଭବ କରିବାପାଇଁ ମଣିଷ କେଉଁ ପ୍ରାଚୀନ କାଳରୁ ତାର ପ୍ରୟାସ ଆରମ୍ଭ କରିଛି ତାର ହିସାବ ନାହିଁ । ବିଭୁକୃପା ପାଇଁ ମନ୍ଦିର ପୀଠରୁ ମଠ-ଆଶ୍ରମ ସବୁଠୁ ଭିଡ଼ । ପଥର, ମାଟି ଓ ଅନ୍ୟାନ୍ୟ ଧାତୁନିର୍ମିତ ମୂର୍ତ୍ତିରେ ଭଗବାନଙ୍କୁ ଖୋଜିବାରେ ଓ ତାଙ୍କ ପ୍ରେମରେ ହଜିବାରେ ଆନନ୍ଦ ନିଆରା । ଭକ୍ତି ହିଁ ଭଗବାନ ପ୍ରାପ୍ତିର ଶ୍ରେଷ୍ଟ ମାର୍ଗ ବୋଲି ମୁନିଋଷିମାନେ ନିଜସ୍ୱ ଅନୁଭୂତି ରଖିଛନ୍ତି । ଭକ୍ତି ଯୋଗରୁ ଭକ୍ତ ଆନ୍ଦୋଳନର ସୃଷ୍ଟି । ଭକ୍ତି ଆନ୍ଦୋଳନର ପ୍ରମୁଖ ଭାବେ ଶ୍ରୀ ଚୈତନ୍ୟ ଦେବ ଭାରତର ପୁରପଲ୍ଲୀରେ ପରିଚିତ । ଭାଗବତ ଗୀତା ଅନୁସାରେ ସୃଷ୍ଟିର ରହସ୍ୟ ଏବଂ ଈଶ୍ୱରପ୍ରାପ୍ତି ନିମନ୍ତେ ପ୍ରତ୍ୟେକ ମନୁଷ୍ୟ ମୁଖ୍ୟତଃ ତିନୋଟି ମାର୍ଗ ଅନୁସରଣ କରିବା ଉଚିତ୍:କର୍ମ ଯୋଗ, ଜ୍ଞାନ ଯୋଗ ଏବଂ ଭକ୍ତି ଯୋଗ । କର୍ମ ଓ ଜ୍ଞାନ ଯୋଗର ଊର୍ଦ୍ଧ୍ୱରେ ଭକ୍ତିଯୋଗ ଅର୍ଥାତ ଭକ୍ତି ହିଁ ଈଶ୍ୱର ପ୍ରାପ୍ତିର ସର୍ବଶ୍ରେଷ୍ଠମାର୍ଗ । ଭକ୍ତିର ଅର୍ଥ ସମର୍ପଣ ଏବଂ ସମର୍ପଣ ହିଁ ଭକ୍ତିର ଉପଯୁକ୍ତ ପଥ । ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନକୁ ଶ୍ରୀକୃଷ୍ଣ ବାରମ୍ବାର ଗୋଟିଏ କଥା କହିଛନ୍ତି: ମାମେକମ୍ ଶରଣମ୍ ବ୍ରଜ । ହେ ଅର୍ଜୁନ ତୁମେ ଯେତେ ଯାହା କରନା କାହିଁକି ଶେଷରେ ମୋ ନିକଟରେ ଆତ୍ମସମର୍ପଣ କର । ଦୁନିଆରେ ଆତ୍ମସମର୍ପଣଠାରୁ ଶ୍ରେଷ୍ଠଭକ୍ତି ଆଉ କିଛିନାହିଁ । ତେବେ ପ୍ରଶ୍ନଉଠେ ବାସ୍ତବରେ ଆତ୍ମସମର୍ପଣ କ’ଣ? ସର୍ବଶକ୍ତିମାନ ସ୍ରଷ୍ଟା ନିକଟରେ ନିଜର ଅସ୍ତିତ୍ୱକୁ ହଜେଇଦେବା । ଭୋଗର ଦୁନିଆରୁ ନିଜକୁ ନିବୃତ୍ତ କରି ତ୍ୟାଗର ଜଗତରେ ନିଜକୁ ହଜେଇଦେବା । ଆତ୍ମଶୁଦ୍ଧି ସହ ଆରାଧ୍ୟାଙ୍କ ପ୍ରତି ଗଭୀର ଅନୁରାଗ ବା ଆନୁଗତ୍ୟ ଜାତ କରିବା । ଦୈବଶକ୍ତି ନିକଟରେ ନିଜ ଅଜ୍ଞାନତାକୁ ପ୍ରକାଶପୂର୍ବକ ଜଣାଣ,ଭଜନ ଓ କୀର୍ତ୍ତନ ମାଧ୍ୟମରେ ମଗ୍ନହେବା । କୀର୍ତ୍ତନର ଅର୍ଥ ଗୁଣଗାନ ଓ ସଙ୍କୀର୍ତ୍ତନର ଅର୍ଥ ସମ୍ୟକରୂପେ ଭଗବାନଙ୍କର ମହାତ୍ମ୍ୟ ବର୍ଣ୍ଣନାତ୍ମକ ସଙ୍ଗୀତ ବା ମହୀମାର ବର୍ଣ୍ଣନ । ସଙ୍ଗୀତ ଓ ନୃତ୍ୟରେ, ଭକ୍ତିରସରେ ନିଜକୁ ଈଶଙ୍କ ପ୍ରେମରେ ଲୀନ ହୋବାର ଭାବପ୍ରବଣତା ହିଁ ସଙ୍କୀର୍ତ୍ତନ । ସ୍ଥିରଚିତ୍ତରେ, ଶୁଦ୍ଧ ଶରୀରରେ ଏବଂ ସାତ୍ତ୍ୱିକ ମନୋବୃତ୍ତିର ଈଶ୍ୱର ପ୍ରଣିଧାନକୁ ସଙ୍କୀର୍ତ୍ତନ ବୋଲାଯାଏ ।
ଐତିହାସିକ ଦୃଷ୍ଟିକୋଣରୁ ଜଣାଯାଏ ପଞ୍ଚଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ସଙ୍କୀର୍ତ୍ତନ । ଏହାର ପୃଷ୍ଠପୋଷକ ଥିଲେ ମଣିପୁର ରାଜ୍ୟର ରାଜା କିୟାମ୍ବ । ସେ ଜଣେ ବିଷ୍ଣୁଙ୍କ ଭକ୍ତ ଥିଲେ ଏବଂ ବିଷ୍ଣୁ ମନ୍ଦିର ନିର୍ମାଣ କରି ଇଶ୍ୱରଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ଉଦ୍ଦେଶ୍ୟରେ ଜଣାଣକୁ ସଙ୍ଗୀତ ଓ ନୃତ୍ୟ ସହିତ ପରିବେଷଣପୂର୍ବକ ସଙ୍କୀର୍ତ୍ତନରେ ରୂପାନ୍ତରିତ କରିବାକୁ ପ୍ରଜାମାନଙ୍କୁ କହୁଥିଲେ ଓ ନିଜେ ମଧ୍ୟ ସେଥିରେ ସାମିଲ୍ ହେଉଥିଲେ । ପରବର୍ତ୍ତୀ ସମୟରେ ଷୋଡ଼ଶ ଶତାବ୍ଦୀରେ ପଶ୍ଚିମବଙ୍ଗରେ ଶ୍ରୀଚୈତନ୍ୟ ଦେବଙ୍କ ଦ୍ୱାରା ଭକ୍ତିବେଦାନ୍ତର ଆନ୍ଦୋଳନ ଆରମ୍ଭ ହୋଇ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ପ୍ରାନ୍ତକୁ ବ୍ୟାପିଥିଲା ।
ସତ୍ୟଯୁଗରେ ଶୋଳସହସ୍ର ଗୋପୀଗୋପାଙ୍ଗନାମାନେ ଶ୍ରୀକୃଷ୍ଣ ପ୍ରେମରେ ଏତେମାତ୍ରାରେ ଲୀନ ହୋଇଥିଲେ ଯେ ଶ୍ରୀକୃଷ୍ଣ ବଂଶୀବାଦନ ଶୁଣି କୃଷ୍ଣଙ୍କ ନିକଟରେ ରୁଣ୍ଡ ହେଉଥିଲେ । କୃଷ୍ଣଙ୍କ ବିନା ଗୋପୀମାନେ ନିଜକୁ ଅଧୁରା ମନେକରୁଥିଲେ । ଯେଉଁଦିନ ଗୋପପୁର ଛାଡି କୃଷ୍ଣ ଦ୍ୱାରିକା ପ୍ରତ୍ୟାବର୍ତ୍ତନ କଲେ ବାସ୍ତବରେ ଗୋପପୁରବାସୀ ତାଙ୍କ ପ୍ରିୟ କାହ୍ନାଙ୍କୁ ଲୋତକପୂର୍ଣ୍ଣ ନୟନରେ ବିଦାୟ ଦେଇଥିଲେ । ପୁନଶ୍ଚ କୃଷ୍ଣଙ୍କ ରାଜାଭିଶେକରେ ଉପସ୍ଥିତ ଗୋପୀମାନଙ୍କ ନିଛକ ପ୍ରେମର ଆତ୍ମୀୟତାକୁ ଅନୁଭବ କରି ସେଦିନ କୃଷ୍ଣ କହିଥିଲେ ଆମମାନଙ୍କ ମିଳନ ଯୁଗଯୁଗର । ସତ୍ୟ, ଦ୍ୱାପର, ତ୍ରେତୟା ଓ କଳିଯୁଗ ପର୍ଯ୍ୟନ୍ତ ଆମେ ସମସ୍ତେ ପରସ୍ପରକୁ ଭିନ୍ନଭିନ୍ନ ରୂପରେ ଭେଟିବା । କଳିଯୁଗରେ ସଂକୀର୍ତ୍ତନ ମାଧ୍ୟମରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏବୋଲି ଅଭିହିତ । ‘ଜପ ହରେକୃଷ୍ଣ ହରେରାମ, ଭଜ ନିତାଇ ଗୌର ରାଧେଶ୍ୟାମ’ । ବେଦାନ୍ତ ଭକ୍ତି ଆନ୍ଦୋଳନର ପୁରୋଧାଭାବେ ଶ୍ରୀଚୈତନ୍ୟଙ୍କ କୃଷ୍ଣପ୍ରେମର ପଟାନ୍ତର ନାହିଁ । କୃଷ୍ଣଭକ୍ତି ପାଇଁ ସଂକୀର୍ତ୍ତନ ଏକ ମୁଖ୍ୟଧାରା କହିଲେ ଅତ୍ୟୁକ୍ତି ହେବନାହିଁ । କୃଷ୍ଣଭକ୍ତିର ମାହାତ୍ମ୍ୟକୁ ବିଶ୍ୱବ୍ୟାପୀ ପ୍ରଚାରପ୍ରସାର ନିମନ୍ତେ ଊନବିଂଶ ଶତାବ୍ଦୀର ଶେଷଆଡ଼କୁ ସ୍ୱାମୀ ପ୍ରଭୁପାଦ ଇସ୍କନ ଭକ୍ତିସଂସ୍ଥା ସ୍ଥାପନ କରିଥିଲେ । କଥାରେ ଅଛି ‘ହରେ ନାମେ କି ରସ ଅଛି ପାନକଲା ଲୋକ ସିନା ଜାଣିଛି’ ।
ସଂକୀର୍ତ୍ତନ ଏକ ଭକ୍ତିମୟ କୃଷ୍ଣଚେତନା ଯାହା ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି । ମୃଦଙ୍ଗ,ଝାଞ୍ଜ,ଘଣ୍ଟାଘଣ୍ଟ ଓ କରତାଳିର ତାଳେତାଳେ ସଂକୀର୍ତ୍ତନ ମଣିଷକୁ ଭାବପ୍ରବଣ କରେ ଭକ୍ତିରସରେ ନିମଜ୍ଜିତ ହେବାକୁ । ସମୟକ୍ରମେ ସଂକୀର୍ତ୍ତନର ଚାହିଦା ବୃଦ୍ଧି ହେବାରେ ଲାଗିଲା । ସଂକୀର୍ତ୍ତନକୁ ବିଧିବଦ୍ଧଭାବେ ପରିବେଷଣ ପାଇଁ କିଛି ବ୍ୟକ୍ତି ସଂଗଠିତ ହୋଇ ସଙ୍ଗୀତ ଓ ନୃତ୍ୟସହ ଦୈନିକ କୃଷ୍ଣ ଉପାସନାରେ ନିଜକୁ ଜଡ଼ିତ କରିଚାଲିଲେ । ଦେବାଳୟ ଓ ଘର ପ୍ରତିଷ୍ଠା, ଶିଶୁ ଜନ୍ମୋତ୍ସବ, ମୃତ୍ୟ ବାର୍ଷିକୀ, ସହ ବିଭିନ୍ନ ଧାର୍ମିକ ପାରମ୍ପରିକ୍ ପର୍ବପର୍ବାଣିରେ ସଙ୍କୀର୍ତ୍ତନ ପରିବେଷଣ ଏକ ଆଧ୍ୟାତ୍ମିକ ଜାଗରଣର ପରିଭାଷା । ଚବିଶ ପ୍ରହରୀ, ଅଷ୍ଟପ୍ରହରୀ ଓ ନିଶିପ୍ରହରୀ ଆଦି ସଂକୀର୍ତ୍ତନ ଉଭୟ ବ୍ୟକ୍ତିଗତ ଆନୁଷ୍ଠାନିକ ଭାବେ ପରିବେଷଣ କରାଯାଉଛି । କୀର୍ତ୍ତନ ମଣ୍ଡପ, କିଛି ଆଲୋକ ସାଜସଜ୍ଜା, ଡାକବାଜି ଯନ୍ତ୍ର ସହ କୀର୍ତ୍ତନିଆଙ୍କ କୀର୍ତ୍ତନ ପରିବେଷଣ । କୀର୍ତ୍ତନ ସମାପନ ପରେ ନଗର ଭ୍ରମଣ । ସଙ୍କୀର୍ତ୍ତନକୁ ବୃତ୍ତି ଭାବରେ ଗ୍ରହଣ କରି କିଛି ବ୍ୟକ୍ତି କୀର୍ତ୍ତନ ଦଳ ଗଢ଼ି ଜୀବିକା ଅର୍ଜନ କରନ୍ତି । କିନ୍ତୁ ବିଗତ କିଛିବର୍ଷ ହେବ ସଂକୀର୍ତ୍ତନର ରୂପରେଖ ବଦଳିବାରେ ଲାଗିଛି । ଏହା ବୃତ୍ତିରୁ ବ୍ୟବସାୟ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ବିଶେଷ କରି ପଶ୍ଚିମ ଓଡିଶାରେ ସଙ୍କୀର୍ତ୍ତନ ଆଉ ସଙ୍କୀର୍ତ୍ତନ ହୋଇ ରହିନାହିଁ ।
ଏହା ଉଗ୍ର ଆଧୁନିକତାର ମନୋବୃତ୍ତି ସହ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ । କୀର୍ତ୍ତନ ମଣ୍ଡପକୁ ଅତ୍ୟାଧୁନିକ ଢ଼ଙ୍ଗରେ ସାଜସଜ୍ଜା ସହ କୀର୍ତ୍ତନ ପରିବେଷଣ କରୁଥିବା ଗୋଷ୍ଠୀଙ୍କୁ ଦେଖିଲେ ଲାଗେ ଏମାନେ କେବଳ ମନୋରଞ୍ଜନ ଏବଂ ଅର୍ଥ ଉପାର୍ଜନକୁ ହିଁ ଆଖିରେ ରଖି ସଙ୍କୀର୍ତ୍ତନ ପରିବେଷଣ କରୁଛନ୍ତି । ସଙ୍କୀର୍ତ୍ତନ ନାମରେ ତାମସା ଚାଲିଛି । ସତରେ କଣ ସଂସ୍କୃତି ଅପସଂସ୍କୃତି ଆଡ଼କୁ ପାଦ ଖସେଇ ସାରିଛି କି? ଭକ୍ତି ଥିଲେ ଭକ୍ତିର ରସ ଉତ୍ପନ ହୁଏ । କୀର୍ତ୍ତନ ଗୋଷ୍ଠୀ ଏବେ କାର୍ଟୁନ୍ ଗୋଷ୍ଠୀ ପାଲଟି ଗଲେଣି ।ଦଳେ ଝିଅ ଓ ଆଉ ଦଳେ ପୁଅମାନଙ୍କ ମଧ୍ୟରେ କେବେ ‘ଆଇ ଆମ ଏ ଡିସ୍କୋ ଡ୍ୟାନ୍ସର’ ତ କେବେ ‘ତୁ ଚିଜ ବଢ଼ି ହେ ମସ୍ତ ମସ୍ତ, ପୁଣି ଦକ୍ଷିଣ ଭାରତୀୟ ସୁପର ହିଟ୍ ଚଳଚ୍ଚ଼ିତ୍ରର ଗୀତ ‘ତେରୀ ଝଲକ ଅଶ୍ରିଫ’‘ ସ୍ୱରରେ ହରେକୃଷ୍ଣ ହରେ ରାମ ଗାନ ସହ ପୁଅ ଝିଅଙ୍କୁ ମଧ୍ୟରେ ସେଇ ଏକପ୍ରକାରର ନୃତ୍ୟକୁ ପରିବେଷଣ ଅସଭ୍ୟ ମାନସିକତାର ପ୍ରୋତ୍ସାହନ ନୁହେଁ ତ ଆଉ କଣ? ଆଜିକାଲି ଯାତ୍ରା ଅନୁଷ୍ଠାନର ରେକଡ୍ର୍ ଡ୍ୟାନ୍ସ ଓ ଆଧୁନିକ ସଙ୍କୀର୍ତ୍ତନ ମଧ୍ୟରେ କିଛି ଫରକ ବାରିହେଉନହି । ବାହା ବାହାରେ ଅତ୍ୟାଧୁନିକତା । ସଙ୍କୀର୍ତ୍ତନ ଏକ ଧର୍ମୀୟ ବିଶ୍ୱାସ, ଏକ ଜାଗରଣ, ଏକ ଭକ୍ତିଭାବପୂର୍ଣ୍ଣ ନୈବେଦ୍ୟ ଯାହା ମାନସିକ ଭୋଗବିଳାସ ଠାରୁ ବହୁଊର୍ଦ୍ଧ୍ୱରେ । ଆତ୍ମିକ ଚେତନାର ବିକାଶରେ ନିଜକୁ ସାମିଲ୍ କରିବାର ଏକ ବୃହତ୍ ପ୍ରୟାସ । ଧନ୍ୟ ଉପସ୍ଥାପକ, ଆୟୋଜକ ଏବଂ ଦର୍ଶକରୂପକ ସାଧାରଣ ଜନତା । ଆମେ ଆମ ସଭ୍ୟତା, ସଂସ୍କୃତି ଓ ପରମ୍ପରାକୁ ସତରେ ସୁରକ୍ଷା ଦେଉଛେ ନା ତାକୁ ନଷ୍ଟଭ୍ରଷ୍ଟ କରୁଛେ ତାହା ହିଁ ପ୍ରସଙ୍ଗ ।
ଦର୍ଶନ ବିଭାଗୀୟ ମୁଖ୍ୟ
ବି.ଏନ.ଏମ.ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩