ସାମାଜିକ ଜୀବନର ପର୍ବ ପ୍ରଥମାଷ୍ଟମୀ
ଡ.ଲକ୍ଷ୍ମଣ ସାହୁ : ଓଡିଆମାନଙ୍କର ବାର ମାସରେ ତେର ପର୍ବ । ଓଡିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘାୟୁ ପାଇଁ କାମନା କରାଯାଇଥାଏ । ଓଡିଶାରେ ଏହି ପାରମ୍ପରିକ ପର୍ବ ସୌଭାଗିନି ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ପାଳିତ ହୁଏ । ପୂର୍ବରୁ ମାର୍ଗଶୀର ମାସରୁ ବର୍ଷ ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି ।
ଓଡିଆ ପରମ୍ପରା ଅନୁଯାୟୀ ମାମୁମାନେ ଜ୍ୟେଷ୍ଠ ସନ୍ତାନର ‘ପଢ଼ୁଆଁ’ କରିବାର ବିଧି ରହିଛି । ଜ୍ୟେଷ୍ଠ ସନ୍ତାନର ନୂତନ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ବିଶେଷ ବିଧିକୁ ‘ପଢ଼ୁଆଁ’ ହେବା କହିଥାନ୍ତି । ମାମୁ ଘରୁ ନୂଆ ଲୁଗା, ମିଠା ଓ ଅନ୍ୟାନ୍ୟ ସାମଗ୍ରୀ ଆସିଥାଏ । ସେଥିପାଇଁ ଶ୍ରଦ୍ଧା ଓ ପରିହାସ ଛଳରେ ମାମୁମାନଙ୍କୁ ‘ଅଷ୍ଟମୀ ବନ୍ଧୁ’ ବୋଲି କୁହାଯାଏ । କେତେକାଂଶରେ ମା’ମାନେ ଫୁଲ, ଚନ୍ଦନ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ନେଇ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନମାନେ ପ୍ରଥମେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହ ମାତା ପିତା ଓ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥାନ୍ତି । ଜ୍ୟେଷ୍ଠ ସନ୍ତାନମାନଙ୍କ ଉପରେ ପରିବାରର ସକଳ ଦାୟିତ୍ୱ ରହିଥାଏ । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ଥିବାରୁ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଥମାଷ୍ଟମୀ ପର୍ବ ପାଳନ କରାଯାଏ । ବିଶେଷ କରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରି ପିଠା । ଏଥିରେ ହଳଦୀ ପତ୍ରର ବ୍ୟବହାର ହୋଇଥାଏ । ତେଣୁ ଏଣ୍ଡୁରି ପିଠା ଅତ୍ୟନ୍ତ ସ୍ୱାଦିଷ୍ଟ , ରୁଚିକର ଓ ସୁବାସିତ ହୋଇଥାଏ । ଅନ୍ୟ କୌଣସି ପର୍ବରେ ସେଭଳି ହଳଦୀ ପତ୍ର ବ୍ୟବହାର ହୋଇନଥାଏ । ଓଡିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଁଳା ଓଷା ମଧ୍ୟ ପାଳନ ହୋଇଥାଏ । ମାଆମାନେ ଘରର ସନ୍ତାନମାନଙ୍କ ମଙ୍ଗଳକାମନା ପାଇଁ ଷଠୀ ଦେବୀଙ୍କ ପାଖରେ ଶୁଭ ମନାସୀଥାନ୍ତି । ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ପଢୁଆଁ ହେବା ପାଇଁ ଯାଇଥାନ୍ତି । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବୀ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁ- ମାଇଁ ରୂପେ ଜନଶ୍ରୁତି ରହିଛି । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ଲୋକ ବିଶ୍ୱାସ ରହିଛି । ‘ପ୍ରଥମାଷ୍ଟମୀ ଦିନ ସେହି ପୁଷ୍କରିଣୀର ଯେକେହି ଜଳ ପାନକଲେ ତା'ର ସକଳ ପାପକ୍ଷୟ ହୁଏ । ଏପରିକି ବନ୍ଧ୍ୟାନାରୀ ସନ୍ତାନବତୀ ହୁଏ ବୋଲି ପ୍ରବାଦ ଅଛି ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଓ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଯଦିଓ ଏବେ ଏହିପୂଜା ଲୁପ୍ତପ୍ରାୟ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଯେଉଁମାନେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ନିଷ୍ଠାର ସହିତ ସମ୍ପାଦନ କରନ୍ତି ସେମାନେ ସକଳ ପାପରୁ ମୁକ୍ତ ହୁଅନ୍ତି । ଅନ୍ୟପକ୍ଷରେ ତନ୍ତ୍ର ପରମ୍ପରାରେ ଉଲ୍ଲେଖ ରହିଛି ତନ୍ତ୍ରସାଧକମାନଙ୍କ ସାଧନା ପାଇଁ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଗୁରୁତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ ଓ ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏସବୁ ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।
କେବଳ ଓଡ଼ିଶାର ଘରେ ଘରେ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତି ଅନୁସାରେ ପାଳିତ ହୋଇଥାଏ । ଓଡ଼ିଆ ମାନଙ୍କର ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ବ୍ରହ୍ମାଣ୍ଡରେ ତାଙ୍କଠାରୁ ବଡ଼ କେହି ନାହିଁ । ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି, ‘ତ୍ୱମାଦିଦେବଃ ପୁରୁଷ ପୁରାଣସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ’ । (ଭ.ଗୀ- ୧୧/୩୮) ବିଶ୍ୱରେ ସବୁଠାରୁ ବଡ଼ ହିସାବରେ ପ୍ରଥମାଷ୍ଟମୀ ଦିନ ତାଙ୍କର ସ୍ୱତନ୍ତ୍ର ପୂଜାବିଧି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ମାର୍ଗଶିର କୃଷ୍ଣ ଉଦୟବ୍ୟାପିନୀ ଅଷ୍ଟମୀ ତିଥରେ ଅନୁଷ୍ଠିତ ହୋଇଥାଏ । ଏହି ଦିନର ବିଧାନ ସଂପର୍କରେ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି । ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥାଏ । ଏହା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରିଥାନ୍ତି । ଚନ୍ଦନଲାଗି ବଢ଼ିଲେ ଠାକୁରମାନଙ୍କୁ ବେଶ କରାଯାଏ । ଏହି ବେଶରେ ଛଅମୂର୍ତ୍ତି ସ୍ୱର୍ଣ ଅଳଂକାର ଲାଗି କରାଯାଏ । ଶ୍ରୀବିଗ୍ରହମାନଙ୍କଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଲାପରେ ସୁଦୁସୁଆର ପୂଜା କରିବା ଉତ୍ତାରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିଥାନ୍ତି । ମଧ୍ୟାହ୍ନ ଧୂପ ଉଠିଲେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଓ ଛେଦା ପ୍ରସାଦ ଲାଗିସାରି ବନ୍ଦାପନା କରାଯାଇଥାଏ । ଏହିଦିନ ସ୍ୱତନ୍ତ୍ରଭାବେ ଷାଠିଏ ପଉଟି ବ୍ୟଞ୍ଜନ ପ୍ରସ୍ତୁତ ମଧ୍ୟରେ ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ,ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇଥାଏ । ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ ।
ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ୱର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ‘ପଶ୍ୟେଦ୍ ବା ପରୟା ଭକ୍ତା ମୁକ୍ତ ସ୍ୟାତପାପବୃନ୍ଦତଃ । ଅନ୍ତେ ବିଷ୍ଣୁପୁରଂ ଗଚ୍ଛେତ୍ ସର୍ବଶର୍ମପ୍ରବଂ ପରମ ।” ଦେଖିବାକୁ ଗଲେ ବଡ଼ଭାଇ ତଥା ମହାପ୍ରଭୁ ବଳଭଦ୍ର ହେବେ ପଢୁଆଁ । ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ମାମୁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । କିମ୍ବଦନ୍ତୀ ଅନୁସାରେ ନିଆଳିର ମାଧବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁ ଘର । ବହୁପୁରାତନ କାଳରେ ପ୍ରଥମାଷ୍ଟମୀରେ ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ଜଗା ବଳିଆ ପାଇଁ ପଢୁଆଁ ଭାର ନିଆଯାଉଥିଲା । ଯାହା କାଳକ୍ରମେ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ମାମୁ ଘର ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସଂଗଠନ ଓ ଭକ୍ତଗଣଙ୍କ ନିଷ୍ପତ୍ତି ଅନୁସାରେ ପୁନର୍ବାର ଏହି ପରମ୍ପରାକୁ ଉଜ୍ଜିବୀତ କରାଯାଇଛି । ତେଣୁ ନିଆଳି ମାଧବ ପୀଠରୁ ସଂକୀର୍ତ୍ତନ ମଣ୍ଡଳୀ ସହ ପୋଢୁଆଁ ଭାର ଶୋଭାଯାତ୍ରାରେ ନିଆଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଦାନ କରାଯାଇଥାଏ । ବିଶେଷ କରି ଏଥିରେ ମାଧବ ମନ୍ଦିର ଟ୍ରଷ୍ଟ, ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ ବଳଭଦ୍ରଙ୍କ ପାଇଁ ୭ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା, ଫଳମୂଳ ଭାର ପଠାଇଥାନ୍ତି ।
ବାସ୍ତବରେ ଉତ୍କଳର ପର୍ବପର୍ବାଣି 'ପ୍ରଥମାଷ୍ଟମୀ' ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ମହନୀୟ ଐତିହ୍ୟର ସ୍ମାରକୀ । ଏଥିପାଇଁ ଓଡ଼ିଆମାନେ ଅନ୍ୟମାନଙ୍କ ଠାରୁ ଅଧିକ ହୁଏତ ରକ୍ଷଣଶୀଳ ହେଇପାରନ୍ତି, କିନ୍ତୁ ଏସବୁ ଦ୍ୱାରା ଓଡ଼ିଆ ମାନେ ବିଭବଶାଳୀ । ପ୍ରଥମାଷ୍ଟମୀ ପାଳନରେ କେବଳ ଘରର ଜ୍ୟେଷ୍ଠ ସନ୍ତାନ ନୁହେଁ, ତା'ର ଇଷ୍ଟ , ଜଗତର ବଡ଼ ଠାକୁର ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ପରମ ଶାନ୍ତି ଲାଭ କରେ । ଏହାହିଁ ତା'ର ସାମାଜିକ ଭାବଧାରା ଓ ବ୍ୟକ୍ତିଗତ ତଥା ଜାଗତିକ ଅଭିମାନର ପରିପ୍ରକାଶ..!!!
ଅଧ୍ୟକ୍ଷ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ -୪ , ସଂପର୍କ: ୯୦୪୦୧୫୧୪୭୫