ଏ ସଭ୍ୟତା ଜନଶୋଷଣ ଯନ୍ତ୍ରର ଉତ୍ପାଦନ


ଯଦି ଉଚ୍ଛୃଙ୍ଖଳତା ଆଉ ବିଶୃଙ୍ଖଳତା ଆଧୁନିକତା ହୁଏ – ତା’ହେଲେ ସେ ଆଧୁନିକତାର ଆକାଶବାଜି ଭଳି ଏ ଚକଚକିଆ ସଭ୍ୟତା ଆମର ଅନାବଶ୍ୟକ । ପେଟରୁ ପେଟରା ଯାଏ ଯେଉଁଠି ଧନର ଗତି – ତା ହେଉଛି - ଅର୍ଥନୀତିର ଚରମ ଦୁର୍ଗତି । ସେଇ ଅର୍ଥନୀତି ଅଭିଶପ୍ତ ଅର୍ଥନୀତି । ତାହାର ଭୂମିକା ଜଘନ୍ୟ ଜନବିରୋଧୀ ଭୂମିକା । ଆମେ ସିନା ରାଜନୈତିକ ସ୍ୱାଧୀନତା ପାଇଲେ – କିନ୍ତୁ ଅର୍ଥନୈତିକ କ୍ରୀତଦାସ ହୋଇ ରହିଗଲେ । ଏବେ ସାଂସ୍କୃତିକ ସଇତାନ୍‌ମାନେ ଚାରିଆଡେ ଆତଯାତ । 
ବର୍ତ୍ତମାନ ସମୟ ବଡ ଅସମୟ । କ’ଣ କଲେ – କି ରାସ୍ତା ଧରିଲେ ଖାଲି ଲାଭ ହିଁ ଲାଭ ହେବ – ସେଇ ରାସ୍ତାରେ ଲୋଭିମାନେ ଦ୍ରୁତଗତିରେ ଧାବମାନା ଏବେ ଯେତେସବୁ ଗଣ୍ଡଗୋଳ – ୟେ ଜୀଅନ୍ତା ମଣିଷମାନଙ୍କୁ ନେଇ । ଏଇ ଜୀଅନ୍ତା ମଣିଷ ବଦଳରେ ଯଦି ନିର୍ଜିବ ରୋବର୍ଟ ମଣିଷ ଭଳି କାମ କରିପାରିବେ ତା’ହେଲେ ସେମାନଙ୍କୁ ଦରମା ଦେବାକୁ ପଡିବନି କି ଏତେ ଝାମେଲା ନଥିବ । ଏବେ ଅତି ବୁଦ୍ଧିଆ ବୈଜ୍ଞାନିକମାନେ ଏଇ ବର୍ଷେ ହେଲା – ଚାଟ୍ଜିପିଟି (ଉଷବଗ୍ଧଏଚଞ) ଅର୍ଥାତ୍‌ ଏ.ଆଇ. - ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ  - ଅର୍ଥାତ୍‌ ଜୀବନ ନଥିବା କୃତ୍ରିମ ବୁଦ୍ଧିମତ୍ତା ଯନ୍ତ୍ର ଉଦ୍‌ଭାବନ କରିଛନ୍ତି । 
ଦିନ ଆସିବ ରାଷ୍ଟ୍ରପତି ଠାରୁ ୱାର୍ଡ ମେମ୍ବର ପର୍ଯ୍ୟନ୍ତ ରୋବର୍ଟ ଗଣତନ୍ତ୍ର (ଡେମୋକ୍ରାସି) ପ୍ରଚଳନ ହେବ । ଯେଉଁ କୁଳାଙ୍ଗାରମାନେ କୋଟି, ଶଙ୍ଖ, ପଦ୍ମ, ସାଗରପତି ବୋଲାଇ ରାଜକୋଷ ଲୁଟ୍‌ କରିଚାଲିଛନ୍ତି – ସେମାନଙ୍କୁ ବାଧା ଦେବାପାଇଁ କୌଣସି ଜୀଅନ୍ତା ପ୍ରତିନିଧି ନଥିବେ । କେବଳ ଜନପ୍ରତିନିଧି ରୋବର୍ଟ ହେବେନି – ଶାସନ ପ୍ରଶାସନ କରୁଥିବା ଜୀଅନ୍ତା ମଣିଷଗୁଡାକୁ ରୋବର୍ଟରେ ପରିଣତ କରାଯିବ । ସୁଇଚ୍‌ ଟିପିଲେ ସେମାନେ ସୁନାପୁଅ ଭଳି ସବୁ ଆଦେଶ ପାଳନ କରିବେ । ଏବେ ଆମର ଦୃଷ୍ଟିଗୋଚର ହେଉଛି – ବିଭିନ୍ନ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟରେ ଜଣେ ମାଲିକ ବସି ସୁଇଚ୍‌ ଚିପି ରୋବର୍ଟମାନଙ୍କୁ ପଠାଇ ଖାଦ୍ୟପିପାସୁମାନଙ୍କ ସେବା କରିବାରେ ଲାଗିଛନ୍ତି । ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଗକୁ ସତ ହେବାକୁ ଯାଉଛି । କେବଳ ଶାସନ, ପ୍ରଶାସନ, ବ୍ୟବସାୟ ବାଣିଜ୍ୟ ନୁହେଁ - ଆମ ପୁରସ୍କାର ପ୍ରହସନର ଫୁଙ୍ଗୁଳା କଥା ଆଗକୁ ଭୀଷଣ ବନ୍ୟାଭଳି ମାଡିଆସୁଛି । ଖରାପ ସାହିତ୍ୟ ଆସିବ – ଭଲ ସାହିତ୍ୟକୁ ବିଦା କରିବେ । 
ଲେଖକ, କଳାକାର, ଗଣମାଧ୍ୟମ କାମକୁ ଏ.ଆଇ. (ଇ.ଓ) କ୍ଷଣିକ ମଧ୍ୟରେ କରିଦେବ । କାରଣ ସବୁ ଡାଟା ଥିବ - ଯାହା କହିବ ସେ ସାରାଂଶ ବାହାର କରିଦେବା ବର୍ତ୍ତମାନ ଚାଟଜିପିଟି, ଏ.ଆଇ.ର କପିରାଇଟ୍‌ ଆମେରିକା ଦାବି କରୁଛି । ଏ ଆଇନ୍‌ ଯୁଦ୍ଧରେ ଆମେରିକା ଯଦି ଜିତିଯାଏ – ତା’ହେଲେ ସାରାବିଶ୍ୱ ଆମେରିକା ପାଖରେ ଆଣ୍ଠେଇ ପଡିବ ।
ଯେତେବେଳେ କଳକାରଖାନା ନଥିଲା – ଲୋକେ କୃଷି ଉପରେ ନିର୍ଭର କରୁଥିଲେ । କେବଳ କୃଷିରେ ସଂସାର ଚଳୁନଥିଲା । ଧୀରେ ଧୀରେ ଶିଳ୍ପସଭ୍ୟତା ଆସିଲା । ଶ୍ରମିକମାନେ କଳକାରଖାନାରେ କାମକରି ଭଲ ଦି’ପଇସା ରୋଜଗାର କଲେ । ସେମାନେ କୃଷି ଓ ଶିଳ୍ପରୁ ଆୟକରି ଆରାମରେ ରହିବେବୋଲି ଖୁସି ହେଉଥିଲେ । ଧୀରେ ଧୀରେ ଶ୍ରମିକ କର୍ମଚାରୀ ଉଚ୍ଛେଦ ନୀତି ଆରମ୍ଭ ହେଲା । କଳକାରଖାନାରେ ଯନ୍ତ୍ରଦାନବ ମେସିନ୍‌ ଆସିଲା । ଶ୍ରମିକମାନଙ୍କର ସାନଭାଇଟିଏ ଆସିଗଲା । ମେସିନ୍‌ ସାନଭାଇ କ’ଣ – ଭାଇ କ’ଣ ଶେଷକୁ ଭଗାରି ହୋଇଗଲା ଶ୍ରମିକ ଦୁନିଆର ! ଶିଳ୍ପ ବିପ୍ଲବର ସଭ୍ୟତାକୁ ଦାନ ହେଉଛି – ଏ ମେସିନ୍‌ - ଯାହା ମଜଦୁର୍‌ର ଦାନାପାଣି ବୁଡାଇଲା । ଶ୍ରମିକମାନଙ୍କ ହାଡର ହିଡରେ ରକ୍ତର ସିଆର କାଟି ଠିଆକରାଯାଇ ଆସିଛି ଶହଶହ ଢମଣାମାନଙ୍କ ମୋତି ମହଲ । 
ମୋ ଆଖିଦେଖା ହାହାକାର, ହାହୁତାଶର ହାଲ୍‌ କହିବସିଲେ ଗଦା ଗଦା ପୋଥି ପାଲଟିଯିବ । ସଂକ୍ଷେପରେ ଏତିକି କହିବି ଯେ - ୧୯୭୨ ମସିହାରେ ମୁଁ ଯେତେବେଳେ ସୁକିନ୍ଦା ଅଞ୍ଚଳରେ ଚାଷୀମୂଲିଆ ଶ୍ରମିକମାନଙ୍କ ଆନେ୍ଦାଳନ ପରିଚାଳନା କରିବାକୁ ଯାଇଥିଲି – ସେତେବେଳେ ସୁକିନ୍ଦା ଉପତ୍ୟକା ଖଣିଅଞ୍ଚଳରେ ମାଳମାଳ କ୍ରୋମାଇଟ୍‌ ଖଣି । ଓଡିଶା ବିଶେଷକରି ଗଞ୍ଜାମ ଅଞ୍ଚଳ ଏବଂ ବିହାର, ଝାଡଖଣ୍ଡ, ବେଙ୍ଗଲ୍‌ରୁ ଶ୍ରମିକମାନେ ଅଧିକାଂଶ ଛୁଆପିଲା ଧରି ସୁକିନ୍ଦା ବଣଜଙ୍ଗଲ, ଖଣିଖାଦାନ ଅଞ୍ଚଳରେ କୁଡିଆ ସ୍ଥାପନକରି କାମ କରୁଥିଲେ । ସବୁ ଖଣିର ଶ୍ରମିକକର୍ମଚାରୀ ମିଶିଲେ ୫୦ହଜାର ପାଖାପାଖି ହେବେ । ସେମାନେ ସେତେବେଳେ କେନ୍ଦ୍ର ସରକାରର ଖଣି ଓ ଶ୍ରମ ଆଇନ୍‌ ଅନୁଯାୟୀ ମଜୁରି ପାଉନଥିଲେ । କେବଳ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ୩ ଟଙ୍କା ପାଉଥିଲେ । ସେଥିରେ ସେମାନେ ବଡ ହୀନିମାନିଆ ଭାବେ ଚଳୁଥିଲେ । ଅଧିକାଂଶ ଶ୍ରମିକ ରୋଗରେ ପଡି ମରିଯାଉଥିଲେ । 
ସମସ୍ୟା ବଡ କିଟିମିଟିଆ । ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କର ହକ୍‌ ପ୍ରାପ୍ୟ ଦିଆକରାଇବା ପାଇଁ କୌଣସି ସଂଗଠନ, ୟୁନିଅନ୍‌ କି ନେତା ନଥିଲେ । ମୁଁ ସେତେବେଳେ ଖଣି ଅଞ୍ଚଳରେ ପ୍ରାୟ ମାସେକାଳ ବିଭିନ୍ନ ସମୟରେ ବୁଲାବୁଲି କରି କିଛି ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କର ଦୁଃଖଦୁର୍ଦ୍ଦଶା ସଂପର୍କରେ ଅବଗତ ହେଲି । ସେମାନଙ୍କୁ ସଂଗଠିତ କରିବାପାଇଁ ପଣ କଲି । ଧୀରେ ଧୀରେ ଶ୍ରମିକମାନେ ସଂଗଠିତ ହେଲେ । ମୋ ନେତୃତ୍ୱରେ ୟୁନିଅନ୍‌ ଗଢିଉଠିଲା । ମାଲିକମାନଙ୍କୁ ଦାବିପତ୍ର ଦିଆଗଲା । ଶ୍ରମିକମାନଙ୍କ ସଂଗଠିତ ଶକ୍ତି ଦେଖି ମାଲିକମାନେ କିଛି କିଛି ଦାବି ପୂରଣ କରିବାପାଇଁ ବାଧ୍ୟ ହେଲେ । ସେମାନଙ୍କ ମଜୁରି ବଢିଲା । ସେମାନେ ବୋନସ୍‌ ମଧ୍ୟ ପାଇଲେ । ଏ ଖବର ଚାରିଆଡେ ବ୍ୟାପିଯିବାରୁ ଢେଙ୍କାନାଳ ଜିଲ୍ଲାର କାଠପାଳ, ତାଳଚେର, ଅନୁଗୋଳ, କେନ୍ଦୁଝର ଜିଲ୍ଲାର ଯୋଡା, ବଡବିଲ୍‌, ଶୁଆକାଠି, ବଉଳା, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ, ବାଦାମପାହାଡ ଶ୍ରମିକମାନେ ମଧ୍ୟ ସେମାନଙ୍କ ହକ୍‌ ପ୍ରାପ୍ୟ ପାଇଁ ମୋ ପାଖକୁ ଆସି କିଛିଟା ଉପକାର ପାଇଲେ । 
ଖଣିମାଲିକ ଠିକାଦାରମାନେ ପୂର୍ବରୁ ଯେଉଁ ଲାଭ ଓ ଲୋଭରେ ମସଗୁଲ୍‌ ଥିଲେ – ସେମାନଙ୍କ ଲାଭରୁ କିଛିଟା କମିଗଲା । ସେତେବେଳେ ଏସିଆନ ଗେମସ୍‌ ଦିଲ୍ଲୀରେ ହେଉଥିଲା । ଗୋଟିଏ ସପ୍ତାହରେ ସୁଇମିଂ ପୁଲ୍‌ ପାଇଁ ବିଦେଶରୁ କିଛି ମେସିନ୍‌ ଅଣାଗଲା । ସେମାନେ ସର୍ତ୍ତ ରଖିଥିଲେ – ସୁଇମିଂ ପୁଲ୍‌ ପରେ ଏ ମେସିନ୍‌ ଆମେ ନେଇ କ’ଣ କରିବୁ । ସେ ସର୍ତ୍ତ ଅନୁସାରେ ମେସିନ୍‌ ଗୁଡାକ ଖଣିଖାଦାନ, ରାସ୍ତାକାମ ଓ ଅନ୍ୟାନ୍ୟ ମାଟିଖୋଳା କାମରେ ନିୟୋଜିତ ହେବ । ସେଠାରୁ ସୁକିନ୍ଦା ଖଣିଅଞ୍ଚଳକୁ ଖଣିମାଲିକମାନେ ମେସିନ୍‌ ପ୍ରବେଶ କରାଇଲେ । ଦିନେ ଏଇ ମେସିନ୍‌ ବିରୋଧୀ ଆନେ୍ଦାଳନର ନେତୃତ୍ୱ ନେବାକୁ ପଡିଥିଲା - ଯେତେବେଳେ ଛଟେଇର ଛାଟ ମାଡରେ ଲହୁଲୁହାଣ ଶ୍ରମିକସାମଜ ପାଇଁ ଗଣ୍ଡେ ଦାନା, ଖଣ୍ଡେ କନା ପିନ୍ଧିବା ପାଇଁ ସୁଦ୍ଧା ଅଭାବନୀୟ ଅବସ୍ଥା ଉପୁଜିଥିଲା ।  
ଏଇ ମଣିଷମରା ମେସିନ୍‌ ଶ୍ରମିକମାନଙ୍କୁ ଉଚ୍ଛେଦ କଲା । ଗୋଟିଏ ଗୋଟିଏ ମେସିନ୍‌ ଜଣେ ଡ୍ରାଇଭର, ହେଲ୍‌ପର୍‌, ଡିଜେଲ୍‌ ପିଇ ହଜାରେ ସଂଖ୍ୟକ ଶ୍ରମିକଙ୍କ କାମ କଲା । ଏହା ବିରୁଦ୍ଧରେ ସୁକିନ୍ଦା ଖଣି ଅଞ୍ଚଳରେ ଦୁର୍ବାର ଶ୍ରମିକ ଆନେ୍ଦାଳନ ଗଢିଉଠିଲା । ବହୁ ଖଣିରୁ ମେସିନ୍‌ ଉଚ୍ଛେଦ ହେଲା । ଖଣିମାଲିକ, ଠିକାଦାର, ସରକାରଙ୍କ ଅଶୁଭ ମୈତ୍ରୀ ଗଢିଉଠି ଶ୍ରମିକବିରୋଧୀ ନେତାମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଦେଇ ଶ୍ରମିକ ଶ୍ରମିକ ମଧ୍ୟରେ ଗଣ୍ଡଗୋଳ, ମାର୍‌ ପିଟାପିଟି ସଂଘର୍ଷ ଲଗାଇଦେଲୋ  ଆଜି ସେଠାରେ ଶ୍ରମିକ ବଦଳରେ ମେସିନ୍‌ କାମ କରୁଛି । କେବଳ ସୁକିନ୍ଦା ଅଞ୍ଚଳରେ ନୁହେଁ – ସାରା ଓଡିଶାର ବିଭିନ୍ନ ଖଣିଖାଦାନ, ରାସ୍ତାଘାଟ ମଣିଷ ବଦଳରେ ମେସିନ୍‌ ଦଖଲ କରିନେଇଛି । 
ଏ କେବଳ ଓଡିଶା ନୁହେଁ – ସାରା ଭାରତବର୍ଷରେ ଆଜି କୋଟିକୋଟି ଶ୍ରମିକଙ୍କୁ ବେକାର କରି ମେସିନ୍‌ ଜରିଆରେ କାମ ହେଉଛି । ଏହା ଗରିବ, କୂଲି ମଜୁରିଆମାନଙ୍କ ମୁଣ୍ଡରେ ଚଡକ । ପୁଣି ଧୀରେ ଧୀରେ ମାଲିକ ଓ ସରକାରୀ ଅଫିସ୍‌ ଓ ଦପ୍ତରରେ କମ୍ପୁ୍ୟଟର ପ୍ରଚଳନ କରି ଲକ୍ଷଲକ୍ଷ କର୍ମଚାରୀଙ୍କ ଦାନା ଛଡାଇନେଲେ । ସାରା ଭାରତରେ ଏଇ ମେସିନ୍‌ ଓ କମ୍ପୁ୍ୟଟର ପ୍ରଚଳନ ବିରୁଦ୍ଧରେ ଆନେ୍ଦାଳନ ହେଲା । ଆନେ୍ଦାଳନକୁ ସରକାର ଓ ମାଲିକମାନଙ୍କ ଗୁଣ୍ଡାମାନେ ଦୃଢହସ୍ତରେ ଦମନ କଲେ । ଭାରତର ଶ୍ରମିକ କର୍ମଚାରୀମାନେ ବିଦେଶ ଯାଇ ଆଧୁନିକ କ୍ରୀତଦାସ ପାଲଟିଗଲେ । ଆଜିବି ଏତେ ଲାଭ ମାଲିକଶ୍ରେଣୀ ପାଇ ମଧ୍ୟ ସରକାରଙ୍କୁ ନିଜ ଆୟତ୍ତରେ ରଖି ମନ ତଥାପି ସନ୍ତୁଷ୍ଟ ହେଉନାହିଁ । ଏବେ ସେମାନେ ରୋବର୍ଟମାନଙ୍କୁ ଅଫିସ୍‌, ଦପ୍ତର, କଳକାରଖାନା, ଖଣିଖାଦାନ, ରାସ୍ତାଘାଟରେ ନିୟୋଜିତ କରିବାପାଇଁ ଯୋଜନା କରୁଛନ୍ତି । ଆଉ ଜୀଅନ୍ତା ମଣିଷ ନଥିବେ । ଖାଲି ଲାଭ ହିଁ ଲାଭ ଥିବ । ଭୋଗଦଖଲର ଭୋକୀବୈକୁଣ୍ଠମାନେ ଓଡିଶା ଓ ଭାରତବର୍ଷକୁ ଚକବନ୍ଦି ହିସାବରେ ଭାଗ କରିନେଲେଣି । ଯାତନାର ଜତୁଗୃହରେ ଜର୍ଜରିତ କେବଳ ଜନଜାତି ନୁହଁନ୍ତି – ସମଗ୍ର ଭାରତବର୍ଷର ଶ୍ରମଜୀବୀଶ୍ରେଣୀ ତତଲା କଢେଇରେ ପଡି ଛଟପଟ ହେବେ । ଏହା ହିଁ ସଂଗୀନ୍‌ ସତ୍ୟ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩