ଦ୍ୱିତୀୟ ସମନ୍ୱୟ କମିଟି ବୈଠକ : ରଥଯାତ୍ରା ପ୍ରସ୍ତୁତି ୮୦% ସରିଛି : ପୃଥ୍ୱୀରାଜ
ପୁରୀ : ବିଭିନ୍ନ ଦାବି, ଆରୋପ ପ୍ରତ୍ୟାରୋପ ଓ ଅଭିଯୋଗ, ଅସ୍ୱୀକାର ମଧ୍ୟରେ ଶେଷ ହୋଇଛି ୨୦୨୫ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ । ଚିରାଚରିତ ଢଙ୍ଗରେ ସେବାୟତ ଓ ଅନ୍ୟ ସଦସ୍ୟମାନେ ବୈଠକରେ ବିଭିନ୍ନ ଅଭିଯୋଗ କରିଥିଲେ । ସରକାରୀ କର୍ତ୍ତୃପକ୍ଷ ଓ ରାଜନେତା ଚତୁରତାର ସହ ବିବାଦୀୟ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ।
ପୌରସଦନରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ପୁରୀର ସାଂସଦ ଡ଼. ସମ୍ବିତ ପାତ୍ର, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ସୁନୀଲ ମହାନ୍ତି, ଆଶ୍ରିତ ପଟ୍ଟନାୟକ, ଓମ୍ପ୍ରକାଶ ମିଶ୍ର, ଉପାସନା ମହାପାତ୍ର, ତୁଷାରକାନ୍ତି ବେହେରା, ଜିଲ୍ଳାପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ଼. ଅରବିନ୍ଦ ପାଢୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟକ୍ତ ବି.ପରମେଶ୍ୱରମ, ସ୍ୱାସ୍ଥ୍ୟ ସଚିବ ଏସ୍. ଆଶ୍ୱସ୍ତି, ଅତିରିକ୍ତ ପୋଲିସ ମହାନିଦେ୍ର୍ଦଶକ ସଂଜୟ କୁମାର ସିଂ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ଭିନିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ସହରର ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ବିଦୁ୍ୟତ ଯୋଗାଣ ସଂପନ୍ନରେ କେତେକ ତ୍ରୁଟି ବିଚୁ୍ୟତିକୁ ନେଇ ବୈଠକରେ ହୋ ହଲ୍ଲା ହୋଇଥିଲା । ସଂପୃକ୍ତ ବିଭାଗର କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ରଥ ନିର୍ମାଣ ଓ ଅନ୍ୟାନ୍ୟ ଆନୁଷଂଗିକ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡ଼. ପାଢୀ କହିଥିଲେ ଯେ ବନବିଭାଗ ପକ୍ଷରୁ ଯଥା ସମୟରେ କାଠ ଯୋଗାଇ ଦିଆଯାଇଛି । ରଥ ଦଉଡ଼ି, ଝୁଣା, ଚନ୍ଦନ ଓ ବାସୁଙ୍ଗା ପାଟ ଆଦି ସାମଗ୍ରୀ ମହଜୁଦ୍ ରହିଛି । ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଇତି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ରଥଯାତ୍ରାର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇସାରିଛି । ଜୁନ୍ ୨୬ରୁ ଜୁଲାଇ ୯ ମଧ୍ୟରେ କୌଣସି ବ୍ୟକ୍ତି ଅଘଟଣର ଶିକାର ହେଲେ ୫ ଲକ୍ଷ ଟଙ୍କାର ବୀମା ସୁବିଧା ପାଇବେ ।
ଜିଲ୍ଳାମୁଖ୍ୟ ଚିକିସôାଧିକାରୀ ସୂଚନା ଦେଇଥିଲେଯେ ବଡ଼ ଡ଼ାକ୍ତରଖାନାରେ ୧୪୦ଟି ଶଯ୍ୟା ପ୍ରସ୍ତୁତ ହୋଇରହିଛି । ଉତ୍ତରା ଛକ, ସାମନ୍ତରାପୁର ପର୍ଯ୍ୟନ୍ତ ସମେତ ପୁରୀ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ସ୍ଥାନ ଓ ସହର ମଧ୍ୟରେ ଆଶୁ ଚିକିସôା କେନ୍ଦ୍ରମାନ କରାଯିବ । ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ଫୁଡ଼୍ ସେଫ୍ଟି ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଅସ୍ଥାୟୀ ଶୌଚାଳୟ କରାଯିବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ସଚିବ ବୈଠକରେ ପ୍ରକାଶ କରିଥିଲେ ଯେ କରୋନା ସଂକ୍ରମଣ ପାଇଁ ଚିନ୍ତିତ ହେବାର କୌଣସି କାରଣ ନାହିଁ । ରାଜ୍ୟରେ ୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ସୁସ୍ଥ ହୋଇଛନ୍ତି । ବଡ଼ ଡାକ୍ତରଖାନାରେ ୬ଟି, ଜଗନ୍ନାଥ ବଲ୍ଲଭ ମଠରେ ୧୦ଟି ଓ ଅବକାଶ ଅତିଥି ଭବନରେ ଗୋଟିଏ ପ୍ରକୋଷ୍ଠ ରଖାଯାଇଛି । ଏହାଛଡ଼ା ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମଧ୍ୟ ଶଯ୍ୟାର ବ୍ୟବସ୍ଥା ହୋଇଛି । ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଅନୁରୋଧ କରିଥିଲେ ରଥଯାତ୍ରା ସମୟରେ ୧୦ଦିନ ପାଇଁ ଏମ୍ସରୁ ୧୦/୧୨ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଅଣାଯାଉ । ଆଇନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରଥଯାତ୍ରା ସୁପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ସହରର ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଥିବା ପୌର ଅଧିକାରୀ ପ୍ରକାଶ କରିଥିଲେ । କିନ୍ତୁ ବାସ୍ତବରେ ନର୍ଦ୍ଦମା ଅଦ୍ୟାବଧି ସଫା ହୋଇନଥିବା ଅଭିଯୋଗ ହୋଇଥିଲା । ଆଇନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମସ୍ତ ରାସ୍ତା ମରାମତି କରାଯିବା, ମଶା ନିରାକରଣ, ମହିଳାମାନଙ୍କ ପାଇଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରିବା ପାଇଁ ପୌର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଚଳିତ ବର୍ଷ ମାଗଣାରେ ଯାତ୍ରୀଙ୍କ ପାଇଁ ଅଟୋରିକ୍ସା ଓ ମାଗଣା ଖାଦ୍ୟର ବ୍ୟବସ୍ଥା କରାଯାଉଛି ବୋଲି ପରିବହନ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ । ରଥଯାତ୍ରା ସମୟରେ ୩୬୫ଟି ଟ୍ରେନ୍ ଚଳାଚଳ କରିବ । ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର ଖୋଲାଯିବ ବୋଲି ରେଳବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା । ପ୍ରତିବର୍ଷ ଭଳି ଓରମାସ୍ ପକ୍ଷରୁ ପଲ୍ଲିଶ୍ରୀ ମେଳା ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସୂଚନା ଦେଇଥିଲେ । ଏସ୍.ପି ଭିନିତ ଅଗ୍ରୱାଲ ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ବ୍ୟବସ୍ଥା ନେଇ ସୂଚନା ପ୍ରଦାନ କରିଥିଲେ ।