ମୌସୁମୀର ଲୁଚକାଳି ଖେଳ, ଆଗେଇ ପାରୁନି ଧାନଚାଷ
ଢେଙ୍କାନାଳରୁ ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ
ଲୁଚକାଳି ଖେଳୁଛି ମୌସୁମୀ । ଚାଷୀର ବଢୁଛି ଚିନ୍ତା । ଆଗେଇ ପାରୁନି ଧାନ କାମ । ରାଜ୍ୟରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଚାଷ କାର୍ର୍ଯ୍ୟ ବାଧାପ୍ରାପ୍ତ ହେବାର ଢେର ସମ୍ଭାବନା ରହିଛି । ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳକୁ ନେଇ ଚାଷୀ ଆରମ୍ଭରୁ ଚିନ୍ତାରେ ରହିଛି । ଜୁନ ୧ ସୁଦ୍ଧା ମୌସୁମୀ ଆସିବ ବୋଲି କୃଷି ବିଭାଗ କହିଥିଲେ ମଧ୍ୟ ମୌସୁମୀ ରଜ ପର୍ଯ୍ୟନ୍ତ ଜିଲ୍ଲାକୁ ପ୍ରବେଶ କରିପାରିନଥିଲା । ପରେ ଅବଶ୍ୟ ଭଲ ବର୍ଷା ହେବାରୁ ଜିଳାରେ ଚାଷୀ ଧାନ ବୁଣିବା ସହିତ ରୁଆ ଧାନ ପାଇଁ ତଳି ପକାଇଥିଲେ । ହେଲେ ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ବର୍ଷା ହେଉନାହିଁ । ତେଣେ ବିଲରେ ତଳି ରୋଇବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ପାଣିର ଅଭାବରୁ ଚାଷୀ ବିଲରେ ତଳି ରୋଇପାରୁ ନାହିଁ । ଫଳରେ ମୌସୁମୀର ଲୁଚକାଳି ଖେଳକୁ ନେଇ ଚିନ୍ତାରେ ରହିଛି ଚାଷୀକୂଳ । ସୂଚନା ଯୋଗ୍ୟ ଯେ, ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ ହୋଇଯାଇଥିବା ବେଳେ ରଜ ପରେ ଚାଷକାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଆରମ୍ଭ ହୋଇଯାଏ । ଜୁନ ମାସ ଶେଷ ସପ୍ତାହରୁ ଜୁଲାଇ ମାସ ଧାନ ବୁଣାବୁଣି ପାଇଁ ପ୍ରକୃଷ୍ଟ ସମୟ ଜିଲ୍ଲାରେ ଚାଷୀଙ୍କୁ ୮ହଜାର କ୍ୱିଣ୍ଟାଲ୍ ବିହନ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅଦ୍ୟାବଧି ୬ ହଜାର କ୍ୱିଣ୍ଟାଲ ବିହନ ଦିଆଯାଇଛି । ସେହିପରି ୫୦ ହଜାର ହେକ୍ଟର ଜମିରେ ବୁଣା ହେବାକୁ ଲକ୍ଷ୍ୟ ରହିଥିବା ବେଳେ ମାତ୍ର ୧୬ ହଜାର ହେକ୍ଟର ଜମିରେ ବୁଣାକାର୍ଯ୍ୟ ସରିଛି । ଆବଶ୍ୟକ ପରିମାଣରେ ବର୍ଷା ନହେବାରୁ ଅଧିକାଂଶ ଅଞ୍ଚଳରେ ଧାନ ବୁଣା କାର୍ଯ୍ୟ ପଛେଇ ଯାଇଛି । ବର୍ଷାର ପରିମାଣ ବଢ଼ି ବିଲରେ ପାଣି ହେଲେ ରୁଆ କାର୍ଯ୍ୟ ହୋଇଥାଏ । ସେପରି ଅନୁକୂଳ ସ୍ଥିତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଖରିଫ ଫସଲ ପାଇଁ ଚାଷୀ ଅଣ୍ଟା ଭିଡ଼ିଥିଲେ ମଧ୍ୟ ବର୍ଷାର ଅନିୟମିତତାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ଚଳିତବର୍ଷ ଜିଲ୍ଲାରେ ୧ ଲକ୍ଷ ୮୫ ହଜାର ହେକ୍ଟର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ରହିଛି । ଜିଲ୍ଲାରେ ସାଧାରଣତଃ ୨ ପ୍ରକାର ଚାଷ ହୋଇଥାଏ । ବୁଣାଧାନ ଓ ରୁଆ ଧାନ । ୫୫ ପ୍ରତିଶତ ବୁଣାଧାନ ହେଉଥିବା ବେଳେ ୪୫ ପ୍ରତିଶତ ରୁଆ ଧାନ ହୁଏ । ବର୍ଷା ଅଭାବରୁ ବୁଣାଧାନ ଚାଷ ପଛେଇଥିବା ବେଳେ ଜୁଲାଇ ୧୦ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ରୁଆଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଛି । ଏଥିପାଇଁ ଜିଲ୍ଲାରେ ୮ ହଜାର ୩୭୦ କ୍ୱିଣ୍ଟାଲ ବିହନ ପାକ୍ସ ମାଧ୍ୟମରେ ଚାଷୀମାନଙ୍କୁ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬ହଜାର ୩୪୫ କ୍ୱିଣ୍ଟାଲ୍ ବିହନ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନ ବ୍ଲକ୍ରେ ୫୩୦୦ ହେକ୍ଟର, ହିନେ୍ଦାଳରେ ୨୩୦ ହେକ୍ଟର, କାମାକ୍ଷାନଗରରେ ୫୪୬୫ ହେକ୍ଟର, କଙ୍କଡ଼ାହାଡ଼ରେ ୬୦ ହେକ୍ଟର, ପର୍ଜଙ୍ଗରେ ୧୧୦ ହେକ୍ଟର, ସଦରରେ ୩୦୮୮ ହେକ୍ଟର, ଗଁଦିଆରେ ୨୪୮୭ ହେକ୍ଟର, ଓଡ଼ାପଡ଼ା ବ୍ଲକ୍ରେ ୯୩ ହେକ୍ଟର ଜମିରେ ଧାନ ବୁଣା କାର୍ଯ୍ୟ ଶେଷ ହୋଉଛି । ଆଗାମୀ ଦିନରେ ଠିକ ପରିମାଣରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ବିଭାଗ ମଧ୍ୟ ଆଶଙ୍କା ପ୍ରକାଶ କରିଛି ।