ଶିବରାତ୍ରୀ ପାଳିଲେ କ’ଣ ଲାଭ?

ପ୍ରତିମାସର କୃଷ୍ଣଚତୁର୍ଦ୍ଦଶୀ ଶିବଙ୍କର ଉପାସନା ତିଥି। କାରଣ, କୃଷ୍ଣଚତୁର୍ଦ୍ଦଶୀ ତିଥିର ସ୍ବାମୀ ହେଉଛନ୍ତି ଶିବ। ମାତ୍ର ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତାଙ୍କର ଉପାସନା ପାଇଁ ସର୍ବୋତ୍ତମ। କୃଷ୍ଣ ଚତୁର୍ଦ୍ଦଶୀ ‘ନିତ୍ୟ’ ଓ ‘କାମ୍ୟ’ ଭେଦରେ ଦ୍ବିବିଧ। ଏହା ନିୟମିତ ଭାବେ ପାଳନ କଲେ ‘ନିତ୍ୟ’ ଏବଂ ନିର୍ଦ୍ଦିଷ୍ଟ କାମନା ପୂର୍ତ୍ତି ପାଇଁ ପାଳନ କଲେ ‘କାମ୍ୟ’ ହୁଏ। ଶିବଙ୍କର ଅନେକ ନାମ। ସେଥିରୁ ଗୋଟିଏ ନାମ ରୁଦ୍ର। ସବୁ ନାମ ପରି ଏ ନାମର ମଧ୍ୟ ନିର୍ଦ୍ଦିଷ୍ଟ ତତ୍ତ୍ବ ଅଛି। ତେବେ, ଏହାର ଅର୍ଥ- ଭୟଙ୍କର; ପ୍ରଳୟଙ୍କର। ସେ ତମଃଗୁଣସଂପନ୍ନ ଏବଂ ପ୍ରଳୟର ଦେବତା। ସେହି ଦୃଷ୍ଟିରୁ ତାଙ୍କର ଏହି ନାମ ହୋଇଛି। ବେଦରେ, ରାମାୟଣ ଓ ମହାଭାରତରେ ଏବଂ ପୁରାଣମାନଙ୍କରେ ଏହି ନାମର ବିଶେଷତ୍ବ ବର୍ଣ୍ଣିତ ଅଛି। ବ୍ରାହ୍ମଣ୍ୟଧର୍ମର ତ୍ରିଶକ୍ତି ମଧ୍ୟରୁ ଶିବ ଅନ୍ୟତମ। କାରଣ- ହିନ୍ଦୁ ମତରେ ବ୍ରହ୍ମା ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଏବଂ ରୁଦ୍ର ସଂହାର କରନ୍ତି।ରୁଦ୍ର ରୂପରେ ଶିବ ଥିଲେ ପ୍ରକୃତିର ଭୟଙ୍କର ଦେବତା। ସେଥିପାଇଁ, ମନୁଷ୍ୟମାନଙ୍କ ନିମନ୍ତେ ସେ ମଙ୍ଗଳପ୍ରଦ ହୁଅନ୍ତୁ ବୋଲି ବେଦରେ ତାଙ୍କୁ ସ୍ତୁତି କରାଯାଇଛି। ଋକ୍ବେଦର ସେହି ରୁଦ୍ର ଯଜୁର୍ବେଦରେ ହୋଇଛନ୍ତି ମହାଦେବ। ‘ମହାଦେବ’ର ଅର୍ଥ- ମହତିଦେବତା ବା ଦେବତାଙ୍କର ଦେବତା; ଦେବଦେବ।
ଯଜୁର୍ବେଦର ସେହି ମହାଦେବ, ପରବର୍ତ୍ତୀ ପୁରାଣ ଯୁଗରେ କ୍ରମେ ଶୁଭଙ୍କର ଦେବତା ଶଙ୍କର ହୋଇଛନ୍ତି। ତେବେ ପୁରାଣ ଯୁଗରେ ମଧ୍ୟ ତାଙ୍କର ରୁଦ୍ର, ମହାଦେବ ଓ ଶଙ୍କର ରୂପ ପ୍ରଚଳିତ ରହିଛି।ପୁରାଣମାନଙ୍କରେ କଥିତ ଅଛି, ଯେ ସୃଷ୍ଟିର ପ୍ରାରମ୍ଭରେ ବ୍ରହ୍ମା ରୁଦ୍ରରୂପୀ ଶିବଙ୍କୁ ସୃଷ୍ଟି କରିଥିଲେ। ସେ ଅବତୀର୍ଣ୍ଣ ହେବାର ତିଥି ଥିଲା ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ। ତାହା ପୂର୍ବରୁ ପ୍ରଳୟରେ ସବୁ କିଛି ବିନଷ୍ଟ ହୋଇଯାଇଥିଲା। ଏହା ମଧ୍ୟ କଥିତ ଅଛି, ଯେ ଚତୁର୍ଦ୍ଦଶୀ ଦିନ ଶିବ ଡମ୍ବରୁ ବାଦନ କରି ତାଣ୍ଡବ ନୃତ୍ୟ କଲେ ଏବଂ ଚତୁର୍ଦ୍ଦିଗରେ ଜ୍ଞାନ ବିଜ୍ଞାନର ସୂକ୍ଷ୍ମ ସୂତ୍ର ପରିବ୍ୟାପ୍ତ ହେଲା। ତାହା ଥିଲା ମହାଶିବରାତ୍ରି। ସେହିଦିନଠାରୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଶିବରାତ୍ରି ବା ମହା ଶିବରାତ୍ରି ରୂପେ ପାଳିତ ହୋଇ ଆସୁଛି।