ଗଲେଣି ୩ ଜିଲ୍ଲାପାଳ; ଆଠ ବର୍ଷ ହେଲା ହୋଇପାରୁନି ଆରପିଡ଼ିଏସି ବୈଠକ


 ଯାଜପୁର,: ପ୍ରତି ତିନି ମାସରେ ଥରେ ବସିବା କଥା ବୈଠକ । ହେଲେ ବର୍ଷ ପରେ ବର୍ଷ ବିତିଯାଉଛି, ବସୁନି ଆରପିଡ଼ିଏସି ବା ପୁନର୍ବାସ ଓ ପାରିପାଶ୍ୱିର୍କ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ । ଆଠବର୍ଷ ତଳେ ବସିଥିବା ବୈଠକରେ ଶିଳ୍ପ ପ୍ରତିନିଧିଙ୍କୁ ଦାୟୀତ୍ୱ ବୋଧ ପାଠ ପଢାଇଥିଲେ ଆରଡ଼ିସି ତଥା କେନ୍ଦ୍ରାଞ୍ଚଳର ରାଜସ୍ୱ ଆୟୁକ୍ତ । ।୧୪ା୯ା୨୦୧୬ରେ ଅନୁଷ୍ଠିତ ୭ମ ଆରପିଡ଼ିଏସି ବୈଠକରେ ବିସ୍ଥାପିତ ପରିବାରଙ୍କ ପାଇଁ ୨୦୦୫ ମସିହାରେ ପ୍ରଣୀତ ସାବାଳକ ଯୋଜନାରେ ୧୮ବର୍ଷ ପୂରଣ କରିଥିବା ବେକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ପରାମର୍ଶ ଦେବା କଥା ହେଉ କି ଶିଳ୍ପ ସଂସ୍ଥା ପକ୍ଷରୁ ବୃକ୍ଷରୋପଣ, ନୀଳାଚଳ ଇସ୍ପାତ କାରଖାନାର କଳାଧୂଅାଁ ଓ ବର୍ଜ୍ୟରେ ଆଉଟୁ ପାଉଟୁ ହେଉଥିବା ସାରଙ୍ଗପୁର ଓ ବାରଗାଡ଼ିଆର ଦଳିତ ସାହିଙ୍କୁ ତୁରନ୍ତ ବିସ୍ଥାପିତ କରିବା ଆରପିଡ଼ିଏସି ବୈଠକ ପ୍ରତି ୩ମାସରେ ଥରେ କରିବାକୁ ପ୍ରତିଶ୍ରୁତି ମିଳିଥିଲା । ଉକ୍ତ ବୈଠକକୁ ଆଉ ମାସ ଦୁଇଟା ପରେ ପୁରିବ ଆଠବର୍ଷ । ହେଲେ ଆଠବର୍ଷ ଭିତିରେ ଥରୁଟିଏବି ବୈଠକ ବସିବାର ବ୍ୟବସ୍ଥା ହୋଇନି । ଜିଲାରୁ ୩ଜଣ ଜିଲାପାଳ ଇତିମଧ୍ୟରେ ବଦଳି ହୋଇ ସାରିଲେଣିି । କିନ୍ତୁ କେହିବି ଆରପିଡ଼ିଏସି ବୈଠକ ବସିବାର ବନେ୍ଦାବସ୍ତ କରି ନାହାନ୍ତି । ଏଣୁ ଆରପିଡିଏସି ବୈଠକ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ବୋଲି କୁହାଯାଇପାରେ । ବୈଠକ ଅନିଶ୍ଚିନ୍ତତା କାରଣରୁ ବିସ୍ଥାପିତ ପରିବାରଙ୍କ ମୌଳିକ ଅଧିକାର ଏବଂ ସମସ୍ୟା ଗୁଡିକ ସମାଧାନ ହୋଇପାରୁନି । ତକôାଳୀନ ଜିଲାପାଳ  ରଞ୍ଜନ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆରପିଡିଏସି ବୈଠକରେ ହୋଇଥିବା ନିଷ୍ପତି କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ମଧ୍ୟ ଅନ୍ଧାରରେ ରହିଛି । କଳିଙ୍ଗନଗର ବିସ୍ଥାପିତ ପରିବାରଙ୍କ ଦୁର୍ଭାଗ୍ୟ ଆଜି ପର୍ଯ୍ୟନ୍ତ ଜିଲାରେ ୩ ଜଣ ଦକ୍ଷ ଜିଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ କିନ୍ତୁ ବିସ୍ଥାପିତ ପରିବାରଙ୍କ ମୌଳିକ ସମାଧାନ ପାଇଁ ଏହି ଐତିହାସିକ ଆରପିଡିଏସି ବୈଠକ କରିବାକୁ ସମର୍ଥ ହୋଇପାରି ନାହାନ୍ତି । ଏହି କାରଣରୁ କଳିଙ୍ଗନଗର ବିସ୍ଥାପିତ ନୀତିକୁ ଦୀର୍ଘ ୧୮ ବର୍ଷରୁ ଅଧିକ ହୋଇଥିବାରୁ ପରିବାର ନିର୍ଦ୍ଧାରଣ ତାରିଖ, ବିଭିନ୍ନ ପ୍ରକାର କ୍ଷତିପୂରଣ, ବଂଶାନୁକ୍ରମିକ ଚାକିରୀ, ନିଯୁକ୍ତି ଆଦି ମୁଖ୍ୟ ପ୍ରସଙ୍ଗକୁ ସଂଶୋଧନର ଆବଶ୍ୟକତା ଉପରେ ଆଲୋଚନା ହୋଇପାରୁନି । କଳିଙ୍ଗନଗର ଶିଳ୍ପାଞ୍ଚଳ ଚାନ୍ଦିଆ ପଞ୍ଚାୟତର କଚେରୀଗାଁ, ଅରାସାହି, ଟାଙ୍ଗରସାହି, ଯଖପୁରା ପଞ୍ଚାୟତର କୁଡୁମୀସାହି ମଧ୍ୟ ବିସ୍ଥାପିତ ହେବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହୋଇପାରୁନି । ନୀଳାଞ୍ଚଳ ଇସ୍ପାତ, ଟାଟା, ଜିନ୍ଦଲ, ମେସ୍କୋ, ଭିସା ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରଙ୍କ ସମସ୍ୟା ସମାଧାନର ସୂତ୍ର ହୋଇପାରୁନାହିଁ । ଗୋବରଘାଟି, ତ୍ରିଜଙ୍ଗା ବିସ୍ଥାପିତ କଲୋନୀ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟ ବନ୍ଦ ରହିଛି । ଯାହା ଫଳରେ ବିସ୍ଥାପିତ ପରିବାର ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସୁସ୍ଥ ଶିଳ୍ପାୟନ ଉପରେ ସରକାର ଗୁୁରୁତ୍ୱାରୋପ କରୁଥିବା ବେଳେ ଏହା କିନ୍ତୁ କଳିଙ୍ଗନଗରରେ ସମ୍ଭବପର ହୋଇପାରୁନି । ବିଭିନ୍ନ କାରଣ ଏବଂ ଦାବିକୁ ନେଇ ଆନେ୍ଦାଳନ ହେଉଛି । ଯାହାର ସ୍ଥାୟୀ ସମାଧାନ ଜିଲା ପ୍ରଶାସନ କରିବାକୁ ଅସମର୍ଥ ହେଉଛି । ଯାହାର ପ୍ରଭାବ ଚଳିତ ନିର୍ବାଚନରେ ପରିଲକ୍ଷିତ ହୋଇଥିଲା । ରାଜ୍ୟରୁ ୨୪ବର୍ଷର ବିଜେଡ଼ି ସରକାର ହଟିବା ପଛରେ ବିସ୍ଥାପିତଙ୍କ ଅସନ୍ତୋଷ କାରଣକୁ ଅସ୍ୱୀକାର କରାଯାଇପାରିବନି । ନିର୍ବାଚନରେ ବିସ୍ଥାପିତ ପରିବାର ବିଜେଡ଼ି ସରକାର ଉପରେ ଭରସା କରିବା ବଦଳରେ ବିଜେପିକୁ ଭରସା କରିଥିଲେ । ବିସ୍ଥାପିତ ପରିବାରଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ ବିଜେପିର ନବନିର୍ବାଚିତ ବିଧାୟକ ପ୍ରଦୀପ ବଳସାମନ୍ତ ପ୍ରତିଶୃତି ଦେବା ପରେ ରବୀନ୍ଦ୍ର ଜାରିକାଙ୍କ ଠାରୁ ଆରମ୍ଭ କରି ବହୁ ଆଗଧାଡ଼ିର ଆଦିବାସୀ ନେତା ବିଜେପିକୁ ସହଯୋଗ କରିଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବର୍ତମାନ ନୂତନ ବିଧାୟକ ଆଗ ମାଟି ପରେ ପାଟି କଥା କହି ବିସ୍ଥାପିତ ପରିବାରଙ୍କ ଭୋଟ ହାତେଇଥିବାରୁ ବିସ୍ଥାପିତ ପରିବାର ମଧ୍ୟ ସେମାନଙ୍କ ଦାବି ପୂରଣ ହେବ ବୋଲି ଆଶାବାନ୍ଧିବା ସ୍ୱଭାବିକ । ରାଜ୍ୟରେ ନୂଆ ସରକାର ଗଠନ ହୋଇଛି, ସୁକିନ୍ଦାର ବିଧାୟକଙ୍କୁ ମନ୍ତ୍ରୀ ପଦମିଳିଛି । ଏଣୁ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବାକୁ ବିଜେପି ସରକାର ଏବଂ ମନ୍ତ୍ରୀ ଆରପିଡ଼ିଏସି ବୈଠକ ବସିବା ଦିଗରେ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ବିସ୍ଥାପିତ ପରିବାର । ଦେଖିବାର ଅଛି ବିଜେପି ସରକାର ଏବଂ ମନ୍ତ୍ରୀ ବିସ୍ଥାପିତଙ୍କ ସମସ୍ୟା ଦିଗରେ କେତେଦୂର ଆଗ୍ରହି ହେଉଛନ୍ତି ।