ଉଦାହରଣ ପାଲଟିଛନ୍ତି କାଙ୍କଡ଼ ଚାଷୀ
କାଙ୍କଡ଼ ଏକ ସ୍ୱାଦିଷ୍ଟ ପରିବା, ଏହା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବର୍ତ୍ତମାନ ହାଟ ବଜାରରେ ଏହି ପରିବା ବହୁଳ ପରିମାଣରେ ଦେଖିବାକୁ ମିଳୁଛି । ଏହା ଚାଷ କରିବା ମଧ୍ୟ ସହଜ ଓ କମ୍ ଖର୍ଚ୍ଚରେ ହୋଇଥାଏ । କାଙ୍କଡ଼ ଚାଷନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ ବାବେବିର ଗ୍ରାମ ପଞ୍ଚାୟତର ଲେଶୁନପାଲି ଗାଆଁ । ଗାଁର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଏହି ଗାଁ ଦେଶୀ କାଙ୍କଡ଼ ପାଇଁ ପ୍ରସିଦ୍ଧ । ଗାଁର ପ୍ରାୟ ତିନିଶହ ପରିବାର କାଙ୍କଡ଼ ଚାଷ କରନ୍ତି । ଗାଁର ବିଲ ବାଡ଼ିରେ ହଜାର ହଜାର କାଙ୍କଡ଼ ଲତା । ବିଶେଷ କରି ବିଲର ହିଡରେ ଏହା ପ୍ରଚୁର ପରିମାଣରେ ଦେଖିବାକୁ ମିଳେ । ଲୋକଙ୍କ କହିବା ଅନୁଯାୟୀ ପଚାଶ ବର୍ଷରୁ ଊର୍ଦ୍ଧ୍ୱ ହେବ ଗ୍ରାମବାସୀ ଏହି ଚାଷ କରି ଆସୁଛନ୍ତି । ଆଗେ ଅଧିକାଂଶ ପରିବାର ସପ୍ତାହକୁ ପଚାଶ କିଲୋଗ୍ରାମରୁ ଏକ କ୍ୱିଣ୍ଟାଲ ପର୍ଯ୍ୟନ୍ତ କାଙ୍କଡ଼ ଅମଳ କରୁଥିଲେ । ଗଛ ସବୁ ପୁରୁଣା ହୋଇ ଯାଇଥିବାରୁ ଏବେ କୋଡ଼ିଏ ତିରିଶି କିଲୋଗ୍ରାମ ସପ୍ତାହକୁ ତୋଳିଥାନ୍ତି । ଚାଷୀ ମାନେ ବେପାରୀ ମାନଙ୍କୁ ଏସବୁ ବିକ୍ରି କରି ଦିଅନ୍ତି । ପ୍ରତ୍ୟେକ ବର୍ଷ ଯେତେବେଳେ ଏହାର ପ୍ରଥମ ଉତ୍ପାଦନ ହୁଏ ସେତେବେଳେ କିଲୋଗ୍ରାମ ପ୍ରତି ବଜାରରେ ଚାରିଶହ ଟଙ୍କାରେ ବିକ୍ରି ହୋଇଥାଏ, ଏମାନେ କିନ୍ତୁ ବେପାରୀମାନଙ୍କୁ ଦୁଇ ଶହ ଟଙ୍କାରେ ବିକି ଦେଇଥାନ୍ତି । ଏବେ କାଙ୍କଡ଼ର ବଜାର ମୂଲ୍ୟ ଦେଢ଼ ଶହରୁ ଦୁଇ ଶହ ଥିବା ବେଳେ ବେପାରୀ ମାନେ ଅଶିରୁ ଶହେ କୋଡ଼ିଏ ଟଙ୍କାରେ କିଣୁଛନ୍ତି । ବିଶେଷ କରି ଖଡ଼ିଆଳ ଓ ରାୟପୁରର ବେପାରୀ ମାନେ ପ୍ରତି ସପ୍ତାହରେ ଏହି ଗାଁକୁ ଆସି କାଙ୍କଡ଼ କିଣିକି ନେଇଥାନ୍ତି । ଖଡ଼ିଆଳ ଅଞ୍ଚଳର ଲୋକେ ପନିପରିବା ପାଇଁ ପଡୋଶୀ ରାଜ୍ୟ ଛତିଶ ଗଡ଼ ଉପରେ ସବୁବେଳେ ନିର୍ଭର କରିଥାନ୍ତି । ସେଥିପାଇଁ ଅନେକ ସମୟରେ ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟିଥାଏ । ସ୍ଥାନୀୟ ଚାଷୀ ମାନେ ପରିବା ଚାଷ କରିବା ପାଇଁ ଇଛୁକ ନଥିବା ବେଳେ ସରକାରୀ କଳ ମଧ୍ୟ ଉଦାସୀନତା ଅବଲମ୍ବନ କରିଥାଏ । କିନ୍ତୁ ଲେସୁନପାଲି ଗ୍ରାମବାସୀ ବର୍ଷ ବର୍ଷ ଧରି କାଙ୍କଡ଼ ଚାଷ କରୁଥିଲେ ମଧ୍ୟ ପ୍ରଶାସନ ଏମାନଙ୍କୁ ପ୍ରୋସôାହନ ପ୍ରଦାନ କରୁନାହିଁ । ଗାଁରେ ଶୀତଳ ଭଣ୍ଡାର ନାହିଁ । ଉଦ୍ୟାନ କୃଷି ବିଭାଗ କହୁଛି ଖଡ଼ିଆଳରେ ଥିବା ଶୀତଳ ଭଣ୍ଡାରରେ ଚାଷୀ ମାନେ ସାଇତି ରଖନ୍ତୁଯାହା ସମ୍ପୂର୍ଣ୍ଣ ଅସମ୍ଭବ । କାରଣ ଲେସୁନ ପାଲି ଠାରୁ ଖଡ଼ିଆଳର ଦୂରତା ପ୍ରାୟ ପଚିଶ କିଲୋମିଟର । ଏନେଇ ବୋଡେନ ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗଙ୍କୁ ପଚାରିବାରୁ ସେହି ଗାଁର କାଙ୍କଡ଼ର ଉପଯୁକ୍ତ ବିକ୍ରି ପାଇଁ ବ୍ୟବସ୍ଥା କରାଯାଉଛି ଓ ଅନ୍ୟ ଗାଁର ଚାଷୀମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ।