ଆମିଷ ବଜାର ବର୍ଜ୍ୟବସ୍ତୁରେ ଡମ୍ପିଂୟାର୍ଡ ପାଲଟିଛି ବୈତରଣୀ
ଚମ୍ପୁଆ: ପବିତ୍ର ବୈତରଣୀ ନଦୀ ଆଜି ଅପବିତ୍ର । ଏହାର ଜଳ ପାଲଟିଲାଣି ଜହର । ଏବେଠାରୁ ସତର୍କ ନହେଲେ ଆଗକୁ ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା ସୃଷ୍ଟି ହେଇଛି । ସୂଚନା ଥାଉକି ଚମ୍ପୁଆ ଠାରେ ଓଡିଶା ଓ ଝାଡଖଣ୍ଡ ରାଜ୍ୟର ସୀମା ନିର୍ଦ୍ଧାରଣ କରୁଥିବା ଏହି ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଛି ଏକ ପୋଲ ।
ଏହି ପୋଲ ନିକଟରେ ଥିବା ଆମିଷ ବଜାରର କୁଢ କୁଢ ମଇଳା ଏହି ନଦୀକୂଳରେ ପକାଯାଉଥିବାରୁ ଏ ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି । ନାକରେ ହାତ ନଦେଲେ ରାସ୍ତା ପାର କରିବା କଷ୍ଟକର ହୋଇପଡୁଛି । ମାଛ, ମାଂସ ଓ ଚିକେନ ଦୋକାନ ଗୁଡିକର ସମସ୍ତ ବର୍ଜ୍ୟବସ୍ତୁ ନଦୀକୂଳରେ ପକାଯାଉଥିବାରୁ ବୈତରଣୀ ନଦୀର ପାଣି ସମ୍ପୁର୍ଣ୍ଣ ଦୂଷିତ ହୋଇଯାଉଛି । ଫଳରେ ଜୀବନ ଅସହ୍ୟ ହୋଇପଡିଛି । କେନ୍ଦୁଝର ଜିଲ୍ଲାର ଲାଇଫଲାଇନ କୁହାଯାଉଥିବା ବୈତରଣୀ ନଦୀ କୂଳିଆ ଲୋକମାନେ ନଦୀରେ ଗାଧୋଇବା ଫଳରେ ଅନେକ ଚର୍ମ ଓ ପେଟ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ନଦୀକୂଳରେ ମଧ୍ୟ ପିତୃପୁରୁଷଙ୍କ ପିଣ୍ଡଦାନ ସହ କାର୍ତ୍ତିକ ମାସରେ ବ୍ରତଧାରୀ ମାନେ ସକାଳୁ ସ୍ନାନାଦି ଆଦି କର୍ମ କରିଥାନ୍ତି । ନଦୀର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବହୁବାର ଅଭିଯୋଗ ମଧ୍ୟ ହୋଇଛି । ସ୍ଥାନୀୟ ଏନଏସି ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏନେଇ ଚମ୍ପୁଆ ଏନଏସିର ସାନିଟାରୀ ଇନଚାର୍ଜ ବିଜୟ କୁମାର ମିଶ୍ରଙ୍କୁ ପଚାରିବାରୁ କହିଥିଲେ କି ବର୍ଜ୍ୟବସ୍ତୁ ଗାଡି ଯାଇ ସେମାନଙ୍କ ଠାରୁ ଆବର୍ଜନା ଗୁଡିକ ସଂଗ୍ରହ କରାଯାଇ ପରିଷଦ ପକ୍ଷରୁ ନିର୍ମିତ ଡମ୍ପିୟାର୍ଡରେ ପକାଯାଉଥିଲା । କିନ୍ତୁ ଏବେ ଲଗାତାର ବର୍ଷା ଯୋଗୁଁ ଡମ୍ପିଂୟାର୍ଡ ନିକଟକୁ ଗାଡି ଯାଇ ପାରୁନାହିଁ । ରାସ୍ତା କାମ ଚାଲିଛି ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ।