ଜଗନ୍ନାଥ ଟ୍ରକ ମାଲିକ ସଂଘକୁ ଡେଇଁଲା ଜିଲ୍ଲା ସଂଘ ରୋଗ: ସାଧାରଣ ବୈଠକ ଉପରେ ରୋକ ଲଗାଇଲା ଜିଲ୍ଲା ପ୍ରଶାସନ

ପାରାଦୀପ:  ଗତ କିଛି ମାସ ଧରି ପାରାଦୀପସ୍ଥିତ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘର ସଦସ୍ୟ ମାନଙ୍କ ଭିତରେ  ଲାଗି ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଗତ ସପ୍ତାହରୁ  ଉଗ୍ର ରୂପ ଧାରଣ କରିଥିବା  ବେଳେ   ସେହି ଅସନ୍ତୋଷର ରୋଗ  ପାରାଦୀପର ଅନ୍ୟତମ ବୃହତ ସଂଘ ଜଗନ୍ନାଥ ଟ୍ରକ ମାଲିକ ସଂଘକୁ ଡେଇଁଥିବା  ଦେଖିବାକୁ ମିଳିଛି  । ମାଲିକ ସଂଘ ପକ୍ଷରୁ ସେପ୍ଟେମ୍ବର ୧୪ ତାରିଖ ରବିବାର କାର୍ଯ୍ୟୟାଳୟ ପରିସରରେ ସଂଘର ସାଧାରଣ ବୈଠକ କରିବା ନିମନ୍ତେ ସଂଘ ପକ୍ଷରୁ ମେମ୍ବର ମାନଙ୍କୁ  ଆଗୁଆ ଅବଗତ କରାଯିବା ସହିତ ଭୋଜି ପାଇଁ ଟେଣ୍ଟ  ବନ୍ଧା କାମ  ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗୁଇନ୍ଦା ବିଭାଗ ପକ୍ଷରୁ ହସ୍ତଗତ ହୋଇଥିବା ସୂଚନାନୁଯାୟୀ  ବୈଠକରେ  ଦୁଇ ଗୋଷ୍ଠୀଙ୍କ ଭିତରେ  ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି  ଜିଲ୍ଲା ପ୍ରଶାସନ ପକ୍ଷରୁ  ସେପ୍ଟେମ୍ବର ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସରରେ  କୈାଣସି ସଭା,ସମିତି କିମ୍ବା  ଅଧିକ ଲୋକ ଏକାଠି  ନ ହେବା ପାଇଁ  ସେପ୍ଟେମ୍ବର ୧୨ ତାରିଖ ସଂଧ୍ୟାରେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପକ୍ଷରୁ  ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଉପରେ ୧୬୩ ଧାରା ଜାରି କରାଯାଇଛି  । ଫଳରେ  ଆସନ୍ତା ୧୪ ତାରିଖ  ରବିବାର ଅନୁଷ୍ଠିତ ହେବାକୁ ଥିବା   ଜଗନ୍ନାଥ ଟ୍ରକ ମାଲିକ ସଂଘର ସାଧାରଣ ବୈଠକ  ବହୁ ଆଡମ୍ବରେ ଲଘୁକ୍ରିୟାରେ ପରିଣତ ହୋଇଛି । ପ୍ରକାଶ ଯେ, ଜଗନ୍ନାଥ ଟ୍ରକ ମାଲିକ ସଂଘର ନବ ନିର୍ବାଚିତ  କର୍ମକର୍ତ୍ତା  ମାନଙ୍କ  ଶପଥ ପାଠ ପରିପ୍ରେକ୍ଷୀରେ   ଫେବୃୟାରୀ ୨୦୨୪ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବାର ତିନି ମାସ ପରେ  ମାତ୍ର ଗୋଟିଏ ଥର ସଭ୍ୟ ମାନଙ୍କୁ ନେଇ ସାଧାରଣ ବୈଠକ ଅନୁଷ୍ଠିତ ହେବା ପର ଠାରୁ ପାଖାପାଖି ଦେଢ଼ ବର୍ଷ ହେବ ସଂଘର କୈାଣସି ସାଧାରଣ ବୈଠକ ଅନୁଷ୍ଠିତ ହୋଇନଥିବା ଜଣାପଡିଛି  । “ଆକାଶରୁ ମହରଗ -ଏନ୍ତୁଡିରୁ ରୋଗ’’ନ୍ୟାୟରେ  ନୂତନ  କର୍ମକର୍ତ୍ତା ନିର୍ବାଚନ ପର ଠାରୁ  ସଂଘର ଦୁଇ ଗୋଷ୍ଠୀଙ୍କ ଭିତରେ ଲାଗି  ରହିଥିବା ଶୀତଳ ଯୁଦ୍ଧ  ଭିତରେ  ଗତ  ମାର୍ଚ୍ଚ ମାସରେ  ବିରୋଧୀ  ଗୋଷ୍ଠୀ  ଧରିଥିବା  ସଂଘର  ଏକ ମହା ଦୁର୍ନୀତିର  ବିଧିବଦ୍ଧ  ତଦନ୍ତ  କରିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀକୁ ସଭାପତି ଅଣଦେଖା କରିବା ପ୍ରତିବାଦରେ  ବିରୋଧୀ ଗୋଷ୍ଠୀଙ୍କ ସମେତ  ସଂଘର ସିଂହଭାଗ ସଭ୍ୟ  କାର୍ଯ୍ୟାଳୟ ପରିସରରେ  ଅନଶନ ଜାରି ରଖିଥିଲେ  । ପରିସ୍ଥିତି  ଅଣାୟତ ହେବାକୁ ଯାଉଥିବା ଦେଖି  ଘଟଣା ସ୍ଥଳରେ ଜିଲ୍ଲା ତଥା ପୋଲିସ ପ୍ରଶାସନ ପହଞ୍ଚି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି  ଦେଇଥିବା ପ୍ରତିଶୃତିରେ ଅନଶନ ପ୍ରତ୍ୟାହୃତ ହୋଇଥିଲା  ।  ଅଭିଯୋଗର ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ପାରାଦୀପସ୍ଥିତ ଅତିରିକ୍ତ ଜିଲ୍ଲାପାଳ  ପ୍ରଶାସନିକ ସ୍ତରୀୟ ଏକ ତଦନ୍ତକାରୀ  କମିଟି  ଗଠନ କରିଥିଲେ । ତେବେ ତଦନ୍ତକାରୀ କମିଟି  ବିରୋଧୀ ଗୋଷ୍ଠୀଙ୍କ ଅଭିଯୋଗ  ସମ୍ପର୍କିତ ତଥ୍ୟ ଓ ମତ ଉପସ୍ଥାପନା କରିବା ପାଇଁ ସଂଘର କର୍ମକର୍ତା ମାନଙ୍କୁ  ଚିଠି କରିବାରେ ସଂଘ ପକ୍ଷରୁ କିନ୍ତୁ କୈାଣସି  ଅଭିଯୋଗର କୈାଣସି ସତ୍ୟତା ନ ଥିବା ନେଇ   କମିଟି ନିକଟରେ  ତଥ୍ୟ କିମ୍ବା  ରଖିବା  ପରିବର୍ତେ  ତଦନ୍ତକାରୀ କମିଟି ବିରୁଦ୍ଧରେ ମାନ୍ୟବର ଓଡିଶା  ହାଇକୋର୍ଟର ଦ୍ୱାରସ୍ଥ ହୋଇ ତଦନ୍ତ ଉପରେ ସ୍ଥଗିତା ଦେଶ  ଆଣି ତଦନ୍ତ ଉପରେ ଅଙ୍କୁଶ ଲଗାଇ ଦେଲେ  ।  ସବୁଠାରୁ ବଡକଥା ହେଲା  ସଂଘର ବାଇଲ ଅନୁଯାୟୀ ପ୍ରତି ତିନି ମାସରେ ଥରେ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ନେଇ ସାଧାରଣ ବୈଠକ ହେବାର ନିୟମ ଥିବା ବେଳେ  ଗତ ୨୦୨୪ ମସିହା ଫେବୃୟାରୀ ମାସରେ ଶପଥ ଗ୍ରହଣ କରିଥିବା ନିର୍ବାଚିତ କର୍ମକର୍ତ୍ତା ମାତ୍ର ଥରଟିଏ ସାଧାରଣ ବୈଠକ କରିବା ପର ଠାରୁ ଅଦ୍ୟାବଧି ଦେଢ଼ ବର୍ଷ ଭିତରେ ଆଉ ସାଧାରଣ ବୈଠକ ହୋଇ ପାରି ନାହିଁ  । ସାଧାରଣ ବୈଠକ ବିନା  ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା  ପାଇଁ  ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୁଣ୍ଡରୁ ଦୋଷ ଛଡେଇବା ଲକ୍ଷ୍ୟରେ ଧର୍ମକୁ ଆଖି ଠାର ନ୍ୟାୟରେ ସେପ୍ଟେମ୍ବର ୧୪ ତାରିଖରେ ସାଧାରଣ ବୈଠକ ଡାକିବାକୁ  କରିଥିବା ଯୋଜନା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ରୋକ ଲଗାଇ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି  ।  ଘଟଣା ସମ୍ପର୍କରେ  ସବିଶେଷ ତଥ୍ୟ ଜାଣିବା ପାଇଁ ସଂଘର ସଭାପତିଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ  ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ  ।   ତେବେ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘରେ ମୁଣ୍ଡ ଟେକିଥିବା ବିବାଦ  ଥମିବାର ନାଁ ନେଇ ନଥିବା ବେଳେ  ଜଗନ୍ନାଥ ଟ୍ରକ ମାଲିକ ସଂଘରେ ଦେଖାଇଥିବା ବିବାଦକୁ ନେଇ  ମହାମାରୀ ଭଳି ଜିଲ୍ଲା ସଂଘର ରୋଗ  ଜଗନ୍ନାଥ ଟ୍ରକ ମାଲିକ ସଂଘକୁ ଡେଇଁଲା ବୋଲି  ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି  ।