ବୁଡୁଛି ପାରମ୍ପରିକ ବେପାର


ବର୍ତ୍ତମାନ ନିର୍ବାଚନର ସମୟ । ବିଭିନ୍ନ ପ୍ରକାରର କଳାକାର ଏହି ନିର୍ବାଚନ ସମୟରେ କିଛି ରୋଜଗାର କରିବା ପାଇଁ ଆଶା ରଖିବାଟା ସ୍ୱାଭାବିକ କଥା । ଏହିସବୁ କଳାକାରମାନଙ୍କ ମଧ୍ୟରୁ ପୋଷ୍ଟର୍, ବ୍ୟାନର୍, ଲିଫ୍ଲେଟ୍, ପାମ୍ପଲେଟ୍, ଷ୍ଟିକର୍ ଲେଖିବା, ବଡ଼ ବଡ଼ ତୋରଣରେ କନା ଲଗାଇବା କାମ ଭଳି ବିଭିନ୍ନ ପ୍ରକାରର କଳାକାରମାନେ ଏହି ନିର୍ବାଚନ ସମୟକୁ ଅପେକ୍ଷା କରି ରହିଥାନ୍ତି । ହେଲେ ଏବେକାର ସମୟ କୃତି୍ରମ ବୁଦ୍ଧିମତ୍ତାର ସମୟ । ଏଭଳି ସମୟରେ ଏହିସବୁ କଳାକାରମାନଙ୍କର ହାତ ବନ୍ଦ ହୋଇଯାଇଛି । ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ନିର୍ବାଚନରେ ଛାପାଖାନା ଗୁଡ଼ିକ ପାଖରେ ଆଦୌ କାମ ନାହିଁ କହିଲେ ଚଳେ । ବିପୁଳ ପରିମାଣର ଛାପା ଅର୍ଡର୍ ପାଉଥିବା ଛାପାଖାନା ଗୁଡ଼ିକ ବର୍ତ୍ତମାନ ଖାଁ ଖାଁ । ଗତ ୨୦୧୯ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାରର ପୋଷ୍ଟର୍, ବ୍ୟାନର୍, ଲିଫ୍ଲେଟ୍ ଆଦି ଛାପିବା ପାଇଁ ରାତ୍ରି ଅନିଦ୍ରା ହେବାକୁ ପଡୁଥିଲା । ହାତରେ ବ୍ୟାନର୍ ଲେଖୁଥିବା କଳାକାରମାନଙ୍କୁ ମଧ୍ୟ ଫୁର୍ସତ୍ ମିଳୁନଥିଲା । କିନ୍ତୁ ବର୍ତ୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବା ପରେ ପ୍ରେସ୍ ଗୁଡ଼ିକ ପାଖରେ ଆଉ କାମ ନାହିଁ । ପୂର୍ବରୁ ହୋଇଥିବା ନିର୍ବାଚନ ଗୁଡ଼ିକରେ ପ୍ରାର୍ଥୀମାନେ ଲୋକମାନଙ୍କୁ ଟି ସାର୍ଟ୍ ମଧ୍ୟ ଦେଉଥିଲେ । ସେଥିରେ ନିର୍ଦ୍ଦିଷ୍ଟ ଦଳୀୟ ଚିହ୍ନ କିମ୍ବା ପ୍ରାର୍ଥୀଙ୍କ ନାମ ରହୁଥିଲା । ଚଳିତ ନିର୍ବାଚନ କିନ୍ତୁ ପ୍ରଚାରର ଶୈଳୀକୁ ବଦଳାଇ ଦେଇଛି । ବର୍ତ୍ତମାନ ଆଉ ଦୃଶ୍ୟମାନ ପ୍ରଚାର ନାହିଁ କହିଲେ ଚଳେ । ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ପ୍ରାର୍ଥୀମାନଙ୍କୁ ସତର୍କ କରାଇ ଦିଆଯାଇଛି ଯେ କୌଣସି ସରକାରୀ କିମ୍ବା ବେସରକାରୀ କାନ୍ଥବାଡ଼କୁ ନିର୍ବାଚନ ପ୍ରଚାର ସମ୍ପର୍କିତ ଲେଖାରେ ପ୍ରାର୍ଥୀମାନେ ବିକୃତ କରିପାରିବେ ନାହିଁ । ତେଣୁ ପ୍ରାର୍ଥୀମାନଙ୍କ ନିକଟରେ ସାମାଜିକ ଗଣମାଧ୍ୟମ ହିଁ ଏକମାତ୍ର ବିକଳ୍ପ । ଗତ ୫ ବର୍ଷ ଭିତରେ ନିର୍ବାଚନ ପ୍ରଚାରର ଶୈଳୀ ବଦଳିଯାଇଛି । ମାଇକ୍ର ବ୍ୟବହାର କିମ୍ବା ମୋଟର ସାଇକେଲ୍ ରାଲି ଭଳି ଦୃଶ୍ୟ ଆଉ ବେଶୀ ପରିମାଣରେ ଦେଖା ଯାଉନାହିଁ । ଡ଼ିଜିଟାଲ୍ ପ୍ରଚାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଛାପାଖାନା ପରିବର୍ତ୍ତେ ସାଇବର କାଫେ, କମ୍ପୁ୍ୟଟର୍ ଆଦି ସ୍ଥାନରେ ଭିଡ ଲାଗୁଛି । ନୂଆ ନୂଆ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରାଯାଇ ସେଥିରେ ପ୍ରତିଦିନ ନୂଆ ନୂଆ ପୋଷ୍ଟ୍ ପକାଇବା ନିମିତ୍ତ କମ୍ପୁ୍ୟଟର ବିଶେଷଜ୍ଞମାନଙ୍କୁ ଏବଂ ସାମାଜିକ ଗଣମାଧ୍ୟମ ସହିତ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କୁ ଖୋଜା ପଡୁଛି । ପଦଯାତ୍ରା ଏବଂ ବାଇକ୍ ରାଲି ଯଦିଓ ଦେଖାଯାଉଛି, ତଥାପି ସେଥିରେ ମଧ୍ୟ ଅନେକ କଟକଣା ରହିଛି । 
ପୂର୍ବ ନିର୍ବାଚନ ଗୁଡ଼ିକରେ ଡ଼ାକବାଜି ଯନ୍ତ୍ରର ବହୁଳ ବ୍ୟବହାର ହେଉଥିଲା । ବର୍ତ୍ତମାନ ତା'ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ଯିଏ ଅଧିକ ଆଗୁଆ ତାରି ସମ୍ପର୍କରେ ଲୋକମାନଙ୍କ ମୁହଁରେ ସୂଚନା ଚାଲିଛି । ଡ଼ିଜିଟାଲ୍ ହୋର୍ଡିଂ, ବଡ଼ ବଡ଼ ଫ୍ଲେକ୍ସ ବ୍ୟାନର୍ ଆଦିର ଚାହିଦା ରହିଛି । କିନ୍ତୁ ସେସବୁକୁ ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ଲଗାଇବା ଉପରେ ଅଙ୍କୁଶ ଜାରି କରାଯାଇଛି । କାନ୍ଥବାଡ଼ରେ ରଙ୍ଗମାରି ପ୍ରଚାର କରିବା ଅନେକ ଦିନରୁ ବନ୍ଦ ହୋଇଗଲାଣି । ମୁଦ୍ରିତ ପ୍ରଚାର ପରିବର୍ତ୍ତେ ଡ଼ିଜିଟାଲ୍ ପ୍ରଚାରର କୌଶଳ ପ୍ରାର୍ଥୀମାନେ ଅବଲମ୍ବନ କରୁଛନ୍ତି । ଡ଼ିଜିଟାଲ୍ ପ୍ରଚାର ମଧ୍ୟ ବର୍ତ୍ତମାନ ସମୟରେ ବେଶ ଉପଯୋଗୀ ହେଉଛି ଏବଂ ଖରାରେ ବୁଲି ବୁଲି ପ୍ରଚାର କରିବା ପ୍ରାର୍ଥୀ ତଥା ଦଳୀୟ କର୍ମୀ ଏବଂ ସମର୍ଥକଙ୍କୁ କଷ୍ଟକର ହେଉଥିବା ବେଳେ ଡ଼ିଜିଟାଲ୍ ପ୍ରଚାର କ୍ଷେତ୍ରରେ ସେସବୁ ପ୍ରକାରର କୌଣସି ପ୍ରତିବନ୍ଧକ ନାହିଁ । ତେବେ କଥା ହେଉଛି ସମୟ ବଦଳିବା ସହିତ କଳାକାରମାନେ ନିଜର ରୋଜଗାର ହରାଉଛନ୍ତି । ଅତଏବ ସେମାନେ ମଧ୍ୟ ସମୟ ସହିତ ତାଳ ଦେଇ ଆଗକୁ ବଢ଼ିବା ଉଚିତ୍ ।