ଭାଇଚାରା ସହରରେ ରଥଯାତ୍ରା : ଦୋଳମୁଣ୍ଡାଇ ପତିତପାବନ ଜୀଉ ମନ୍ଦିର
ାା ସ୍ୱତନ୍ତ୍ର ଉପସ୍ଥାପନା, ପ୍ରଣବ କୁମାର ନନ୍ଦି ।ା
କଟକ ସହରରେ ଥିବା ପୁରାତନ ଜଗନ୍ନାଥ ମନ୍ଦିର ମଧ୍ୟରୁ ଦୋଳମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର ଅନ୍ୟତମ । ଜନଶ୍ରୁତି ଅନୁଯାୟୀ, ମନ୍ଦିରରେ ଜଣେ ନାଗା ବାବା ପତିତପାବନ ଜୀଉଙ୍କ ମୂର୍ତ୍ତି ରଖି ପୂଜା କରୁଥିଲେ । ସେହି ଅନୁଯାୟୀ ମନ୍ଦିରର ନାମକରଣ ହୋଇଛି । ନାଗା ବାବାଙ୍କ ଦେହାନ୍ତ ପରେ ହରିପୁର-ଦୋଳମୁଣ୍ଡାଇ ସାହି ବାସିନ୍ଦାମାନେ ମନ୍ଦିରର ପରିଚାଳନା ଦାୟିତ୍ୱ ନେଇଥିଲେ । ୧୯୭୧ ମସିହାରେ ସାହିର ମହନ୍ତ, ଅଧିକାରୀ ଓ ସାହି ବାସିନ୍ଦାଙ୍କ ଦ୍ୱାରା ମନ୍ଦିରରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ପ୍ରତିବର୍ଷ ରଥଯାତ୍ରା ବେଳେ ପ୍ରଭୁ ରଥରେ ବିଜେ ହୋଇ ସେମିନାର ଛକରେ ପହଁଞ୍ଚିଲେ, ସେଠାରେ ମୁସଲମାନ ସଂପ୍ରଦାୟର ଲୋକେ ଭକ୍ତିର ସହ ଭୋଗ ଅର୍ପଣ କରିଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଭାଇଚାରାର ଅପୂର୍ବ ନିଦର୍ଶନ ବହନ କରୁଥିବା ଏହି ପରମ୍ପରା ସହରରେ ବିରଳ । ସକାଳୁ ମନ୍ଦିରର ପହଡ଼ ଖୋଲାଯିବା ପରଠାରୁ ମଧ୍ୟାହ୍ନ ଓ ରାତିରେ ପହଡ଼ ପଡ଼ିବା ପର୍ଯ୍ୟନ୍ତ ନିତିକାନ୍ତି ମୁତାବକ ପୂଜା ହୋଇଥାଏ । ଦିନ ୧୨ଟାରେ ନିତି ଭୋଗ ଲାଗି କରାଯାଇ ପହଡ଼ ପଡ଼େ । ମନ୍ଦିରରେ ପାଶ୍ୱର୍ଦେବତାମାନେ ପୂଜା ପାଉଛନ୍ତି । ଏଠାରେ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ, ଜନ୍ମାଷ୍ଟମୀ, ଝୁଲଣ ଯାତ୍ରା, ମହାଶିବରାତ୍ରି, ହନୁମାନ ଜୟନ୍ତୀ ଓ ରୁକ୍ମଣୀ ବିବାହ ଆଦି ପର୍ବପର୍ବାଣୀ ପାଳନ କରାଯାଏ । ପବିତ୍ର ବାହୁଡ଼ା ଦିବସରେ ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୁଢ଼ ୩ ଠାକୁର ଚନ୍ଦନ ପଡ଼ିଆରୁ ବାହାରି ଆଳି ମାର୍କେଟ ଦେଇ ବାଦାମବାଡ଼ି ଟ୍ରାଫିକ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ମନ୍ଦିର ସମ୍ମୁଖରେ ପହଞ୍ଚôବେ । ନବଦିନ ବ୍ୟାପୀ ପ୍ରତ୍ୟେହ ସନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ଥିବା ଚନ୍ଦନ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।