ଭାଗବତ ଟୁଙ୍ଗିର ହେବ ପୁନରୁଦ୍ଧାର : ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ପହଁଚିବ । ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗିମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି, ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ । ଧର୍ମ ଜାଗରଣ ସମିତି ପକ୍ଷରୁ ଭୁବନେଶ୍ୱରର ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ୱାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା । ସମସ୍ତେ ପ୍ରତ୍ୟେହ ଭାଗବତ ପାଠ କରନ୍ତୁ, କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ନାରା ଦେଇଛନ୍ତି, ‘ବିକାଶ ଭି, ବିରାଶତ ଭି' । ପ୍ରଧାନମନ୍ତ୍ରୀ ଏହି ଭାବକୁ କେବଳ ସ୍ଳୋଗାନ କି ଭାବନାରେ ସୀମାବଦ୍ଧ କରି ରଖିନାହାନ୍ତି । ଏହାର ପ୍ରମାଣ ହେଉଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ମହାକୁମ୍ଭରେ ରେକର୍ଡ ୬୮ କୋଟି ଶ୍ରଦ୍ଧାଳୁଙ୍କ ଆଗମନ, କାଶୀ ବିଶ୍ୱନାଥ କରିଡର, ମହାକାଳ କରିଡର ନିର୍ମାଣ । ଆଜି ପ୍ରତ୍ୟେକ ହିନ୍ଦୁ ସଗର୍ବେ ନିଜକୁ ସନାତନି ଭାବେ ପରିଚୟ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ ପୁଣି କହିଥିଲେଯେ, ରାଜ୍ୟ ସରକାର ପ୍ରଥମ ଦିନରୁ ହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଦ୍ଭ ପଦକ୍ଷେପ ନେଉଛନ୍ତି । ରାଜ୍ୟର ସବୁ ପୁରାତନ ଓ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢଙ୍କୁ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଇଛନ୍ତି । ଯାହା ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି । ଶୀତଳ ଷଷ୍ଠୀ ଯାତ୍ରା ହେଉ କି ଧନୁଯାତ୍ରା ହେଉ କି ଓଡିଶାର ମନ୍ଦିର ମଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ । କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପଦ୍ମଶ୍ରୀ ବାବା ବଳିଆ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଅସ୍ମିତାର କାର୍ଯ୍ୟକାରିତା ନିଖୁଣ ଭାବେ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ସମୟରେ ଶ୍ରୀମଦ ଭାଗବତର ତତ୍ୱକୁ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଓଡ଼ିଆ, ଭାଷା ସଂସ୍କୃତି ଓ ସାହିତ୍ୟ ସମେତ ଭଗବତ ଚିନ୍ତା ଚେତନା ପୁନଃ ନବୀକରଣ ହେବ । କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମିତିର ପୂର୍ବ ପ୍ରାନ୍ତ ପ୍ରମୁଖ ଚନ୍ଦ୍ରକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଧର୍ମ ଜାଗରଣ ସମିତିର ସଂଯୋଜକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଧନ୍ୟବାଦ ଦେଇଥିଲେ ।