ଆତଙ୍କବାଦର ବିନାଶ ବିନା ବିକାଶ ଅସମ୍ଭବ: ଜୟଶଙ୍କର

ାା ଏଜେନ୍ସି ।ା ନୂଆଦିଲ୍ଲୀ: ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ଦ୍ୱାରା ପ୍ରେରିତ ସୀମା ପାର କାର୍ଯ୍ୟକଳାପ ଜାରି ରହିଲେ ଦେଶ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍ ଜୟଶଙ୍କର କହିଛନ୍ତି । ଆଜି ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ୨୩ତମ ଶିଖର ସମ୍ମିଳନୀରେ ପାକିସ୍ତାନର ନାମ ନ ନେଇ ପରୋକ୍ଷରେ ଡଃ ଜୟଶଙ୍କର କହିଛନ୍ତି ଯେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ଓ ସହଯୋଗ ଏକ ସଂଗେ ଚାଲିପାରିବ ନାହିଁ । ଏଭଳି ପରିସ୍ଥିତିରେ ବାଣିଜ୍ୟ, ଶକ୍ତି ଏବଂ ଯୋଗାଯୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।
ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ସହଯୋଗ, ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମ ସମାନତା ଉପରେ ଆଧାରିତ ହେବା ଉଚିତ ଏବଂ ଏହା ରାଷ୍ଟ୍ରଗୁଡ଼ିକର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସ୍ୱୀକୃତି ଦେବା ଉଚିତ୍ । ଏସସିଓ ବର୍ତ୍ତମାନର ଅଶାନ୍ତ ଦୁନିଆରେ ଦେଶଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ଏବଂ ଦକ୍ଷ ହେବା ଆବଶ୍ୟକ ବୋଲି ଜୟଶଙ୍କର କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ଏସସିଓର ଲକ୍ଷ୍ୟ ହେଉଛି ଆତଙ୍କବାଦ, ବିଚ୍ଛିନତାବାଦ ଏବଂ ଉଗ୍ରବାଦର ମୁକାବିଲାକୁ ଗୁରୁତ୍ୱ ପ୍ରଦାନ କରିବା । ଏଥିପାଇଁ ମୁକ୍ତ ଆଲୋଚନା, ବିଶ୍ୱାସ, ପଡୋଶୀ ରାଷ୍ଟ୍ରର ଉତ୍ତମ ଭୂମିକା ଏବଂ ଏସସିଓ ଚାର୍ଟର ପ୍ରତି ପ୍ରତିବଦ୍ଧତାକୁ ଦୋହରାଇବା ଆବଶ୍ୟକ ବୋଲି  ଜୟଶଙ୍କର କହିଛନ୍ତି । ଏସସିଓ ତିନୋଟି ପ୍ରସଙ୍ଗର ମୁକାବିଲା କରିବାରେ ଦୃଢ଼ ଏବଂ ନିରପେକ୍ଷ ହେବାର ଆବଶ୍ୟକତା ଉପରେ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ଜଗତୀକରଣ ଏବଂ ପୁନଃସନ୍ତୁଳନ ହେଉଛି ବର୍ତ୍ତମାନର ବାସ୍ତବତା । ଏସସିଓ ଦେଶଗୁଡ଼ିକ ଏହାକୁ ଆଗେଇ ନେବାର ଆବଶ୍ୟକତା ରହିଛି । ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମ ସମାନତା ଉପରେ ସହଯୋଗ ଆଧାରିତ ହେବା ଆବଶ୍ୟକ ଏବଂ ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସ୍ୱୀକୃତି ଦେବା ବାସ୍ତବ ଭାଗିଦାରୀ ଉପରେ ନିର୍ମିତ ହେବା ଉଚିତ୍ ବୋଲି ସେ କହିଛନ୍ତି । ଶିଳ୍ପ ସହଯୋଗ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିପାରିବ ଏବଂ ଶ୍ରମ ବଜାରକୁ ବିସ୍ତାର କରିପାରିବ । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସହଯୋଗ, ସହଯୋଗପୂର୍ଣ୍ଣ ସଂଯୋଗ ସ୍ଥାପନ, ପରିବେଶ ସୁରକ୍ଷା ଏବଂ ଜଳବାୟୁ ସମ୍ବନ୍ଧିତ କାର୍ଯ୍ୟ ଭଳି ଉପାୟ ଉପରେ ଗୁରୁତ୍ୱ ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ସ୍ୱାସ୍ଥ୍ୟ ହେଉ, ଖାଦ୍ୟ ହେଉ କି ଶକ୍ତି ନିରାପତ୍ତା, ସମସ୍ତ ସଦସ୍ୟ ଦେଶ ଏକାଠି କାମ କରିବା ଭଲ ।
ଏହି ଅବସରରେ ଜୟଶଙ୍କର ଡିପିଆଇ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ, ଆଇଏସଏ, ସିଡିଆରଆଇ, ମିଶନ ଲାଇଫ, ଜିବିଏ, ଯୋଗ, ମିଲେଟ୍ସ, ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ ଇତ୍ୟାଦି ଭଳି ଭାରତର ପଦକ୍ଷେପ ଏବଂ ପ୍ରୟାସ ଏସସିଓ ପାଇଁ ଦୃଢ଼ ପ୍ରାସଙ୍ଗିକତା ରଖିଛି ବୋଲି କହିଛନ୍ତି । ସେ କହିଛନ୍ତି, ଜାତିସଙ୍ଘ ସୁରକ୍ଷା ପରିଷଦକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ସମାବେଶୀ, ସ୍ୱଚ୍ଛ, ଦକ୍ଷ, ପ୍ରଭାବଶାଳୀ, ଗଣତାନ୍ତ୍ରିକ ଏବଂ ଉତ୍ତରଦାୟୀ କରିବା ପାଇଁ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ସଂସ୍କାରିତ ବହୁପକ୍ଷବାଦ ମାଧ୍ୟମରେ ତାଳ ଦେଇ ଚାଲିବା ଆବଶ୍ୟକ ବୋଲି ଏସସିଓ ପରାମର୍ଶ ଦେବା ଉଚିତ୍ ବୋଲି ସେ କହିଛନ୍ତି । ଏସସିଓର ଉଦେ୍ଦଶ୍ୟ ହାସଲ ପାଇଁ ଏହା ଜରୁରୀ ଯେ ଆମେ ସ୍ୱାର୍ଥର ପାରସ୍ପରିକତାକୁ ଧ୍ୟାନରେ ରଖିବା ଏବଂ କ’ଣ କରିବା ଓ କ’ଣ କରିବା ଉଚିତ ନୁହେଁ ତାହାକୁ ପାଳନ କରିବା ଜରୁରୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଇସଲାମାବାଦରେ ଅନୁଷ୍ଠିତ ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି । ପାକିସ୍ତାନ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର ।