ବିଶାଳ ଦେଶକୁ ମୋଟେ ଛଅଟି
ପୃଥିବୀର ପ୍ରଥମ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ କ୍ରୀଡ଼ାର ସ୍ଥିତି ଦିନକୁ ଦିନ ଦୟନୀୟ ହୋଇପଡୁଥିବା ଭଳି ବୋଧ ହେଉଛି । ମାତ୍ର ୫-୧୦ କୋଟି ଲୋକସଂଖ୍ୟା ଥିବା ଦେଶ ଗୁଡ଼ିକ ସଦ୍ୟ ସମାପ୍ତ ଅଲମ୍ପିକ୍ ପ୍ରତିଯୋଗିତାରେ ୨୦-୩୦ଟି ଲେଖାଏଁ ପଦକ ଜିତିଥିବା ବେଳେ ଭାରତ ଭଳି ଏକ ରାଷ୍ଟ୍ରରେ ସ୍ୱର୍ଣ୍ଣ ପଦକଟିଏ ମଧ୍ୟ ପାଇବା ଏକ ବିରଳ ଘଟଣା ହୋଇଯାଉଛି । ଯେଉଁ ବୟସରେ ସୁଦୃଢ଼ ଶାରୀରିକ ଗଠନ ଉପରେ ଗୁରୁତ୍ୱ ଦିଆଯିବା କଥା ସେହି ବୟସରେ କେବଳ ଶାରୀରିକ ଖଞ୍ଜାଚାଳନା ସହିତ ଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ୨୦୦୮ ମସିହାରେ ଓଡ଼ିଶାର ଶିଶୁ ଧାବକ ବୁଦ୍ଧିଆ ସିଂକୁ ଲୋକେ ଏ ପର୍ଯ୍ୟନ୍ତ ଭୁଲିନାହାନ୍ତି । ମାତ୍ର ୬ ବର୍ଷ ବୟସରେ ସେ ଯେଉଁଭଳି ଭାବରେ ଭୁବନେଶ୍ୱରରୁ ପୁରୀ ଦୌଡ଼ି ବିଶ୍ୱରେ ଏକ ରେକର୍ଡ ସ୍ଥାପନ କରିଥିଲା, ସେତେବେଳେ ବୁଦ୍ଧିଆ ସିଂ ଉପରେ ଦେଶବାସୀଙ୍କର ଅନେକ କିଛି ଆଶା, ଭରସା ଏବଂ ଆକାଂକ୍ଷା ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କ୍ରୀଡ଼ା ଜଗତରୁ ବୁଦ୍ଧିଆ ସିଂ ଅଦୃଶ୍ୟ ହୋଇଗଲା । ତାକୁ ଉପଯୁକ୍ତ ଭାବରେ ତାଲିମ୍ ଦିଆଯାଇଥିଲେ ଏବଂ ତାଲିମ୍ରେ ନିଷ୍ଠା ରଖାଯାଇଥିଲେ ସେ ନିଶ୍ଚିତ ରୂପେ ଭାରତରେ ଜଣେ ମାରାଥନ୍ ରନର୍ ଭାବରେ ବିଶ୍ୱରେ ନାମ ଉଜ୍ଜ୍ୱଳ କରିଥାନ୍ତା । କିନ୍ତୁ କ୍ରୀଡ଼ା ଜଗତର ଲକ୍ଷ୍ୟପଥରୁ ତାକୁ ଲକ୍ଷ୍ୟଚୁ୍ୟତ କରାଯାଇ ୧୪୦ କୋଟି ଲୋକଙ୍କ ଭିତରେ ତାକୁ ହଜାଇ ଦିଆଗଲା ।
ଆଉ ବର୍ତ୍ତମାନ ସମୟରେ ପିତାମାତାମାନେ ଶିକ୍ଷାକୁ ଏକ ବ୍ୟବସାୟିକ ଲାଭର ପରିମାଣ ବୋଲି ଧରି ନେଇଛନ୍ତି । ପରୀକ୍ଷାରେ ଅଧିକ ନମ୍ବର ରଖିପାରିଲେ ପିତାମାତାମାନେ ଅତ୍ୟନ୍ତ ଖୁସି ହୋଇ ଯାଉଛନ୍ତି । କିନ୍ତୁ ଶାରୀରିକ ଦକ୍ଷତା, ଯୋଗ୍ୟତା ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଦେଖାଇଲେ ସେଥିରୁ ତାଙ୍କୁ ନିବୃତ୍ତ କରାଯାଉଛି । ଆଜିକାଲି ସରକାରୀ ବିଦ୍ୟାଳୟ ଅପେକ୍ଷା ବେସରକାରୀ ବିଦ୍ୟାଳୟର ସଂଖ୍ୟା ବହୁତ ଅଧିକ । ଏହିସବୁ ବିଦ୍ୟାଳୟ ଗୁଡ଼ିକରେ ୫୦ ମିଟର୍ ଦଉଡ଼ିବା ଭଳି ଖେଳପଡ଼ିଆ ବି ନାହିଁ । ତେଣୁ ଏଭଳି ଶିକ୍ଷାନୁଷ୍ଠାନରୁ ଶତକଡ଼ା ୯୮ ଭାଗ ନମ୍ବର ରଖୁଛନ୍ତି ସତ ହେଲେ ୫୦ ମିଟର୍ ଦଉଡି କୁକୁର କିମ୍ବା ପଶୁଙ୍କ ଠାରୁ ରକ୍ଷା ପାଇବାରେ ସେମାନେ ସକ୍ଷମ ନୁହଁନ୍ତି । ଫିଲ୍ଡ ଇଭେଣ୍ଟ୍ ଏବଂ ଟ୍ରାକ୍ ଇଭେଣ୍ଟ୍ ଭାବରେ ଅନେକ ପ୍ରକାରର କ୍ରୀଡ଼ା କୌଶଳ ଅଭ୍ୟାସ କରିବାର ସୁଯୋଗ ରହିଛି । ବର୍ତ୍ତମାନର ଶିକ୍ଷାନୁଷ୍ଠାନ ଗୁଡ଼ିକ ସେସବୁ ଦିଗରେ ଆଦୌ ଦୃଷ୍ଟି ଦେଉନାହାନ୍ତି । ପିତାମାତାମାନେ ମଧ୍ୟ ପିଲାମାନଙ୍କୁ କହୁଛନ୍ତି ଯେ "ଦଉଡ଼ନା, ପଡ଼ିଲେ ଆଣ୍ଠୁଗଣ୍ଠି ଛିଡ଼ିଯିବ ।' ପିତାମାତାମାନଙ୍କର ଏ ପ୍ରକାରର ମାନସିକତା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ଜଗତରୁ ଦୂରେଇ ରଖୁଛି । ଏହାର ଅନ୍ୟ ଏକ କୁପରିଣତି ହେଲା ଅଳ୍ପବୟସରେ ମେଦ ବହୁଳତା, ରକ୍ତଚାପ, ମଧୁମେହ ଭଳି ଅନେକ ପ୍ରକାରର ଶାରୀରିକ ଜଟିଳତା । କ୍ରୀଡ଼ା ହେଉଛି ଶିକ୍ଷା ବ୍ୟବସ୍ଥାର ଏକ ଅଙ୍ଗ । କିନ୍ତୁ ଶିକ୍ଷାକୁ କେବଳ ଛାତ୍ରଛାତ୍ରୀ ରଖୁଥିବା ନମ୍ବରରେ ମାପିଲେ କ୍ରୀଡ଼ାର ଭବିଷ୍ୟତ ଅତ୍ୟନ୍ତ ଅନ୍ଧକାର ହୋଇପଡ଼ିବ । ଆହୁରି ଗୋଟିଏ କଥା ହେଲା ପଡ଼ିଆରେ ଖେଳକୁଦ କରିବା ପାଇଁ ୪୦୦ ମଟିରର ଏକ ପଡ଼ିଆ ଆବଶ୍ୟକ । ସେ ପ୍ରକାରର ପଡ଼ିଆ ବର୍ତ୍ତମାନ ସହରାଞ୍ଚଳରେ ଗୋଟିଏ ବି ନାହିଁ । ତେଣୁ ସହରାଞ୍ଚଳର ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଶୂନ ବୋଲି କହିଲେ ଭୁଲ୍ ହେବ ନାହିଁ । ଯେଉଁଠି ସାମାନ୍ୟ ଟିକିଏ ଖେଳିବାର ସୁଯୋଗ ରହିଛି ସେଠାରେ କ୍ରିକେଟ୍ ଭଳି ଖେଳ ପ୍ରତି ଅତ୍ୟଧିକ ଆଗ୍ରହ । ଏଭଳି ଖେଳରେ ଦେଶର କ୍ରୀଡ଼ା ଜଗତ ସାମଗ୍ରିକ ଭାବରେ ସମୃଦ୍ଧ ହୋଇପାରିବ ନାହିଁ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସ୍ତରରେ ୧୬ ମିଟର୍ ମାରାଥାନ୍ ଦଉଡିବା ଭଳି ଜଣେ ବି ଛାତ୍ରଛାତ୍ରୀ ଥିବେ କି ନାହିଁ ତାହା ସନେ୍ଦହ ।
କ୍ରୀଡ଼ା ହେଉଛି ଏଭଳି ଏକ କଳା ଯାହାକୁ ବର୍ଷସାରା ଚଳାଇ ରଖିବାକୁ ପଡ଼େ । ପାଠ ପଢ଼ିବା ଭଳି ଦଉଡ଼, ଖେଳକୁଦ ଏକ ନିତିଦିନିଆ ଅଭ୍ୟାସର ବିଷୟ । ଏ ପ୍ରକାରର ଅଭ୍ୟାସ ଉପରେ ବର୍ଷସାରା କାହାରିକୁ କ୍ରମାଗତ ଭାବରେ ଅଭ୍ୟାସ ନିମିତ୍ତ ପିତାମାତାମାନେ କେବେ ସୁଯୋଗ ଦେଉନାହାନ୍ତି । ଏହିସବୁ କାରଣରୁ ବିଶ୍ୱସ୍ତରୀୟ ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ଜାପାନ୍, କୋରିଆ ଭଳି କ୍ଷୁଦ୍ର ରାଷ୍ଟ୍ର ତୁଳନାରେ ଏହାର କ୍ରୀଡ଼ାବିତ୍ମାନଙ୍କର ପଦକ ତାଲିକା ଅତ୍ୟନ୍ତ ନଗଣ୍ୟ । ଯେଉଁ ବୟସରେ କ୍ରୀଡ଼ାକୁ ନିତିଦିନିଆ ପ୍ରୋତ୍ସାହନ ଦେବା ଆବଶ୍ୟକ, ସେହି ବୟସରେ ଛାତ୍ରଛାତ୍ରୀ ତଥା ଶିଶୁ ଗୋଷ୍ଠୀ ପଡ଼ିଆ ନ ମାଡ଼ିବା ଅତ୍ୟନ୍ତ କ୍ଷୋଭର ବିଷୟ ।