ଭଲ ପାଇବାର କଳା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଭଲ ପାଇବାର ନିଦର୍ଶନ ଆମ ଚରିତ୍ରରେ କାହିଁକି ଫୁଟି ଉଠିବା ଆବଶ୍ୟକ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ମନୁଷ୍ୟ ଏକ ସ୍ୱତନ୍ତ୍ର ପ୍ରକୃତିର ଅଧିକାରୀ । ପ୍ରକୃତି ଜନ୍ମଗତ ହୋଇଥାଏ କିନ୍ତୁ ବୟସ ବୃଦ୍ଧି ସହ ପାରିବାରିକ ଓ ସାମାଜିକ ସଂସ୍କାରକୁ ନେଇ ଏହା ବଦଳିଥାଏ । ତେବେ ମଣିଷର ପ୍ରକୃତି ସବୁବେଳେ ମଧ୍ୟ ସମାନ ରହେ ନାହିଁ । ପରିସ୍ଥିତି ମଣିଷର ପ୍ରକୃତିକୁ ବଦଳାଇ ଦିଏ । ଏସବୁ ସତ୍ତ୍ୱେ ଅନ୍ୟକୁ ଭଲ ପାଇବା ମଧ୍ୟ ଶିଖିବା ଉଚିତ୍ । ସବୁବେଳେ ଅନ୍ୟକୁ ନୁ୍ୟନ ଦୃଷ୍ଟିରେ ଦେଖିବା କିମ୍ବା ଅନ୍ୟ ସହ ତୁଳନା କରି ନିଜ ଠାରୁ ଅନ୍ୟମାନେ ଅଧିକା ହୋଇଗଲେ ବୋଲି ଭାବିବା ଏକ ମାନିସକ ରୋଗ । ଅନ୍ୟପକ୍ଷରେ ଲୋକଙ୍କୁ ଭଲ ପାଇବା ଭଳି ଗୁଣର ବିକାଶ କରିବା ହେଉଛି ଏକ ସାମାଜିକ ପ୍ରାଣୀର ଲକ୍ଷଣ ।  ସାମାଜିକ ଜୀବନରେ ଆମେ ଅନ୍ୟମାନଙ୍କ ସହିତ ମିଳିମିଶି ଚଳୁ । ତେଣୁ ଅନ୍ୟମାନଙ୍କୁ ମଧ୍ୟ ନିଜ ହୃଦୟର ସହିତ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଅନ୍ୟକୁ ଗ୍ରହଣ କରିବା ହେଉଛି ଭଲ ପାଇବା । ପାଖ ପଡ଼ୋଶୀ କିମ୍ବା ଅନ୍ୟାନ୍ୟ ଲୋକଙ୍କ ସହିତ ମିଳାମିଶା ମାଧ୍ୟମରେ ସେମାନଙ୍କ ପ୍ରତି ସହନଶୀଳ ହେବା ସହିତ ସ୍ନେହଭାବ ରଖିବା ହେଉଛି ଭଲ ପାଇବା । ଅନ୍ୟକୁ ଭଲ ପାଉଥିବା ବ୍ୟକ୍ତି କେବେ ଦୁଃଖ ପାଏ ନାହିଁ । ହେଲେ ଅନ୍ୟମାନଙ୍କୁ ଘୃଣା କରୁଥିବା ବ୍ୟକ୍ତି ସବୁବେଳେ ମାନସିକ ଅଶାନ୍ତି ଭିତରେ ଗତି କରେ । ଏହାର ମୂଳ କାରଣ ହେଲା ଅନ୍ୟମାନଙ୍କୁ ଗ୍ରହଣ କରିବା ଏବଂ ଅନ୍ୟମାନଙ୍କୁ ଭଲ ପାଇବା । ଏ ଦୁଇଟିଯାକ ଗୁଣ ସାମାଜିକ ଜୀବନ ପାଇଁ ନିହାତି ଆବଶ୍ୟକ । ଏ ଦୁଇଟି ଗୁଣକୁ ବାଦ୍ ଦେଲେ ସୁଖଶାନ୍ତିରେ ଜୀବନ ବିତାଇବା କେବେ ସମ୍ଭବ ହେବ ନାହିଁ । କେବଳ ଅନ୍ୟମାନଙ୍କୁ ନୁହେଁ ନିଜ ପରିବେଶ, ନିଜ ପାଖ ପଡ଼ୋଶୀ, ନିଜର ଜୀବନଧାରଣ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ଯେଉଁମାନଙ୍କ ସଂସ୍ପର୍ଶରେ ଆମେ ଆସୁ ସେ ସମସ୍ତଙ୍କୁ ଆମେ ଭଲ ପାଇବା ଉଚିତ୍ । ସମସ୍ତଙ୍କୁ ଭଲ ପାଇବାର ନିଦର୍ଶନ ଆମ ଚରିତ୍ରରେ ଫୁଟି ଉଠିବା ଆବଶ୍ୟକ । ଏହି ଭଲ ପାଇବାର କଳା ଶିଖିଗଲେ ଜୀବନରେ ଶାନ୍ତି ଘର କରିନିଏ । ମଣିଷକୁ ଭଲ ନପାଇଲେ ତାକୁ ତୁମେ ଗ୍ରହଣ କରିପାରିବ ନାହିଁ ।
ହଁ, ଆଉ ଗୋଟିଏ କଥା ହେଲା କେହି କେବେ ହେଲେ ପ୍ରଶଂସା ପାଇବା ପାଇଁ ଜନ୍ମ ହୋଇନଥାନ୍ତି । ହେଲେ କିଛି ବ୍ୟକ୍ତି ଜୀବନରେ ଭଲ କାମ କରି ପ୍ରଶଂସା ପାଆନ୍ତି ଏବଂ ଆଉ କିଛି ବ୍ୟକ୍ତି ପ୍ରଶଂସା ପାଇବା ଯୋଗ୍ୟ କାମ କରି ପ୍ରଶଂସିତ ହୁଅନ୍ତି । ତେଣୁ ସାମାଜିକ ଜୀବନକୁ ଦୃଷ୍ଟିରେ ରଖି ଅନ୍ୟକୁ ଭଲ ପାଇବା ନିହାତି ଆବଶ୍ୟକ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।