ତାତିର ପ୍ରଭାବ
ଜିଡ଼ିପି ହ୍ରାସ : ତାତିର ପ୍ରଭାବରେ ଜିଡ଼ିପି ବି ହ୍ରାସ ପାଇଥାଏ । ଏହା ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରେ । ୨୦୨୨ରେ କେବଳ ଖରା ପାଇଁ ବିଶ୍ୱ ଅର୍ଥନୀତି ୧% ହ୍ରାସ ପାଇ ଯାଇଥିଲା । ଖରା ଯୋଗୁଁ ଶ୍ରମଶକ୍ତି ହ୍ରାସ ପାଇବା ସହ କୃଷି ଓ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଥାଏ ।
କୃଷି ଉତ୍ପାଦନ ହ୍ରାସ : ଅଧିକ ତାତି ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥାଏ । କାହିଁକିନା ଜଳାଭାବରୁ ଫସଲ ବାଧାପ୍ରାପ୍ତ ହେଉଥିବାବେଳେ କୃଷି ଶ୍ରମିକ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିନଥା’ନ୍ତି ।
ବନାଗ୍ନି : ଅଧିକ ଖରା ହେଲେ ଜଙ୍ଗଲରେ ନଅାଁ ଲାଗିଯାଏ । ଫଳରେ ହଜାର ହଜାର କିଲୋମିଟର ଅଞ୍ଚଳ ଜଳିପୋଡ଼ି ଛାରଖାର ହୋଇଯାଏ । ସବୁଜିମା ଅଞ୍ଚଳ ମରୁଭୂମିରେ ରୂପାନ୍ତରିତ ହୋଇଥାଏ । ଓଡ଼ିଶାରେ ବି ଶହ ଶହ ଜଙ୍ଗଲରେ ଏବେ ନିଅାଁ ଲାଗିଯାଇଛି । ୨୦୦୩ରେ ପର୍ତ୍ତୁଗାଲରେ ଜଙ୍ଗଲରେ ନିଅାଁ ଲାଗିଯିବାରୁ ୩୦୧୦ କିଲୋମିଟର ଜଙ୍ଗଲ ଓ ୪୪୦ ବର୍ଗ କିଲୋମିଟର କୃଷିକ୍ଷେତ୍ର ଜଳି ଯାଇଥିଲା । ଯାହାଫଳରେ ୧ ବିଲିୟନ ପାଉଣ୍ଡ କ୍ଷତି ହୋଇଥଲା । ପ୍ରତିବର୍ଷ ଅଧିକ ତାତି ଯୋଗୁଁ ଭାରତ ଓ ଓଡ଼ିଶାରେ ମଧ୍ୟ ହଜାର ହଜାର ଏକର ଜଙ୍ଗଲ ପାଉଁଶ ହୋଇଯାଉଛି ।
ବନ୍ୟା : ପ୍ରବଳ ଖରାରେ ଗ୍ଲାସିୟର ତରଳିଥାଏ । ୨୦୨୨ ମେ’ରେ ଗ୍ଲାସିୟର ତରଳି ଯିବାରୁ ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ୧୧ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା ।
ବିଜୁଳି ସଂକଟ : ପ୍ରବଳ ଖରା ଯୋଗୁଁ ଏସି, ଫ୍ରିଜ ଆଦିର ବ୍ୟବହାର ବଢ଼ି ଯାଇଥାଏ । ଲୋକମାନେ ଗରମରୁ ତ୍ରାହି ପାଇଁ ଫ୍ୟାନ ଓ କୁଲର ଆଦି ବି ବ୍ୟବହାର କରିଥା’ନ୍ତି । ସେହିପରି ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ କାମ କରିନଥାଏ । ଶକ୍ତିର ଚାହିଦା ବଢ଼ିବାରୁ ବିଜୁଳି ସଂକଟ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଥାଏ ।