ଦୁଇ ବର୍ଷର ଝିଅ ଶ୍ରେୟାଂଶୀଙ୍କ ଅସାଧାରଣ ପ୍ରତିଭା: ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ
ବିଭିନ୍ନ ମନ୍ତ୍ର, ସାଧାରଣ ଜ୍ଞାନ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ପରିବାର ଲୋକଙ୍କ ନାମ ଭଳି ଅନେକ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବେ ମନେରଖି ଆବୃତ୍ତି କରି ପାରୁଛି ପ୍ରବଳ ଧି ଶକ୍ତିଓ ବିଭୁଦତ୍ତ ପ୍ରତିଭା ର ଅଧିକାରୀ ୨ବର୍ଷ ୨ମାସର କୁନି ଝିଅ । ଏଥି ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ତୁଷାର ରଞ୍ଜନ ସାହୁ ସାହୁ ଓ ଲିପ୍ସା ସାହୁଙ୍କ କୁନି ଝିଅ ଶ୍ରେୟାଂଶୀ। ଭଲଭାବେ ପାଟି ଫିଟି ନ ଥିବା ବେଳେ ଖନେଇ ଖନେଇ କଥା କହୁଥିବା କୁନି ଝିଅଙ୍କ ଏଭଳି ପ୍ରତିଭା ଏବେ ସବୁ ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଖୁବ୍ ଛୋଟ ଦିନରୁ ଶ୍ରେୟାଂଶୀଙ୍କର ଏହି ପ୍ରତିଭାର ଆଭାସ ମିଳିଥିଲା। ମାତ୍ର ୧୦ମାସ ବୟସ ହୋଇଥିଲା ବେଳେ ସେ ବିଭିନ୍ନ ରଙ୍ଗବେରଙ୍ଗୀ ବହି ଦେଖି ଖୁସି ହୋଇଯାଉଥିଲେ। ନୂଆ ନୂଆ ଦେଖିବାକୁ ଜାଣିବାକୁ ତାଙ୍କର ଆଗ୍ରହ ଥିବା ଜଣାପଡିଥିଲା। ଝିଅର ଆଗ୍ରହ ଦେଖି ମାଆ ଲିପ୍ସା ତାଙ୍କୁ ବିଭିନ୍ନ ବିଷୟରେ ଶିଖାଇବା ଆରମ୍ଭ କରିଥିଲେ। ଖେଳ ଖେଳରେ ବିଭିନ୍ନ ବିଷୟରେ ଶିଖାଇଥିଲେ। ଜେଜେବାପା ଶଙ୍କାଳି ଚରଣ ସାହୁ ଜେଜେମା’ ଗୀତାମଣି ସାହୁ, ଅଜା,ଆଈ, ମାମୁ, ବଡବାପା, ବଡ଼ମାଆ ମଧ୍ୟ ଶ୍ରେୟାଂଶୀକୁ ଆଗକୁ ବଢ଼ିବାରେ ସହଯୋଗର ହାତ ବଢ଼ାଇଥିଲେ। ଦୁଇ ବର୍ଷ ହେଲାବେଳକୁ ଆକ୍ସନ ଓ୍ବାର୍ଡ ୧୭ଟି, ଫଳ ୨୦ଟି, ପନିପରିବା, ଗୃହପାଳିତ ଓ ଜଙ୍ଗଲୀ ପଶୁପକ୍ଷୀଙ୍କ ନାମ, ଯାନବାହାନ, ପ୍ରଫେସନ, ବିଭିନ୍ନ ରଙ୍ଗ, ଆକାର, ଇଂରାଜୀ ବର୍ଣ୍ଣମାଳା ସହ ପ୍ରତି ଅକ୍ଷରରେ ଶବ୍ଦ,୧୭ରୁ ଅଧିକ ଜାତୀୟ ପ୍ରତୀକ, ସପ୍ତାହର ନାମ, ରାଈମ୍ସ କହି ମୁଖସ୍ତ କରି ଆବୃତ୍ତି କରି ପାରୁଥିଲେ। ଇଣ୍ଡିଆ ବୁକ୍ ଅଫ ରେକର୍ଡ ବିଷୟରେ ଜାଣିବାପରେ ମା’ ଶ୍ରେୟାଂଶୀଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ବଡବାପା ନିହାର ସାହୁ ଓ ବଡମାଆ ରଞ୍ଜିତା ସାହୁ ମଧ୍ୟ ସହଯୋଗ କରିଥିଲେ। ୩୦ରୁ ଅଧିକ ବିଷୟବସ୍ତୁକୁ ନିର୍ଭୁଲ ଭାବେ ଶ୍ରେୟାଂଶୀ କହିବାର ଭିଡିଓ କରି ଇଣ୍ଡିଆ ବୁକ ଅଫ୍ ରେକର୍ଡକୁ ମେଲ ଯୋଗେ ପଠାଇଥିଲେ। ଶ୍ରେୟାଂଶୀକୁ ୨୦୨୪ର ଆଚିଭର୍ସ ଭାବେ ଚୟନ କରାଯାଇଥିଲା। ପୁରସ୍କାର ଭାବେ ଶ୍ରେୟାଂଶୀଙ୍କୁ ଆଉମେଡାଲ, ପ୍ରମାଣପତ୍ର, ବ୍ୟାଚ, ପରିଚୟପତ୍ର, ପେନ ଓ ମାଗାଜିନ ପ୍ରଦାନ କରାଯାଇଛି।