ବିଚାର କ୍ଷମତା
କିଶୋର କୁମାର ଜେନା : ବିଚାର ହେଉଛି ଏକ ତେଜୋଦୀପ୍ତ ଜୀବନ୍ତ ଶକ୍ତି । ଜଗତରେ ଯେତେସବୁ ଶକ୍ତି ରହିଛି, ସେମାନଙ୍କ ମଧ୍ୟରେ ବିଚାରଶକ୍ତି ହେଉଛି ସବୁଠାରୁ ଅଧିକ ଜୀବନ୍ତ, ଅଧିକ ସୂକ୍ଷ୍ମ ଓ ଅଧିକ ବଳିଷ୍ଠ । ବିଚାର ଏକ ବିରାଟ ଶକ୍ତି । ବିଚାର ଏକ କ୍ରିୟାଶୀଳ ଶକ୍ତି । ଆତ୍ମିକ ପ୍ରାଣ ବା ସୂକ୍ଷ୍ମପ୍ରାଣ ଦ୍ୱାରା ମନସ୍ତରରେ କମ୍ପନ ସୃଷ୍ଟି ହେଲେ ବିଚାର ଉତ୍ପନ୍ନ ହୁଏ । ମାଧ୍ୟାକର୍ଷଣ ଶକ୍ତି, ସଂଶ୍ଲେଷଣ ଶକ୍ତି ବା ବିକର୍ଷଣ ଶକ୍ତିପରି ବିଚାର ଶକ୍ତି ମଧ୍ୟ ଏକ ନିଶ୍ଚିତ ନିର୍ଭୁଲ ଶକ୍ତି ।
ଆମେ ମନୁଷ୍ୟକୁ ବିଚାର କରିବାକୁ ଭାଜନ କି ? ଏହା ଏକ ପ୍ରଶ୍ନ । ସାଧାରଣତଃ ଆମେ ସବୁବେଳେ ପରସ୍ପରକୁ ଉପଦେଶ ଦେଉ - "ଏଇଟା କର, ଏଇଟା କରନା । ଏହା କଲେ ଭଲ ହେବ, ଏହା କଲେ ଖରାପ ହେବ, ତୋର ଏଭଳି କରିବା ଉଚିତ ।' କିନ୍ତୁ କେବେହେଲେ ନିଜକୁ ପ୍ରଶ୍ନ କରୁନାହୁଁ ଏଭଳି ଉପଦେଶ ଦେବାକୁ ମୁଁ ଯୋଗ୍ୟ କି ? କ'ଣ ଭଲ, କ'ଣ ମନ୍ଦ ଆମେ କେତେ ଜାଣିଛୁ । ଅନ୍ୟ ଅପେକ୍ଷା ଆମର ଦୃଷ୍ଟି ସ୍ୱଚ୍ଛତମ, ବା‚ନୀୟ ଓ ସତ୍ୟତର - ଏହା ଆମେ ପରୀକ୍ଷା କରିଜାଣିଛୁ କି ? ଯଦି ନ ଜାଣିଛୁ ତେବେ ଅନ୍ୟକୁ ଉପଦେଶ ଦେବା କାହିଁକି ? ଅନ୍ୟର ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କ ଦିବ୍ୟ ସମ୍ଭାଷଣରେ କହିଛନ୍ତି "ମନୁଷ୍ୟର ପ୍ରତ୍ୟେକଟି ବିଚାର ସକଳ ଦୃଷ୍ଟିରୁ ମୂଲ୍ୟବାନ । ସତ୍ ବିଚାର ତିନୋଟି ସ୍ତରରେ ଉପକାର କରେ । ପ୍ରଥମତଃ ସତ୍ ବିଚାର ପୋଷଣ କରିଥିବା ବ୍ୟକ୍ତିର ମାନସିକ ବିକାଶ ଘଟେ, ଫଳରେ ସେ ଉପକୃତ ହୁଏ । ଦ୍ୱିତୀୟତଃ ଯେଉଁ ବ୍ୟକ୍ତିଙ୍କ ବିଷୟରେ ସତବିଚାର ପୋଷଣ କରାଯାଏ ତାଙ୍କର ମଙ୍ଗଳ ସାଧିତ ହୁଏ । ତୃତୀୟତଃ ସତ ବିଚାର ସର୍ବସାଧାରଣଙ୍କର ମନୋରାଜ୍ୟରେ ସତ ପ୍ରଭାବ ପକାଇ ସକଳ ଲୋକଙ୍କର ମଙ୍ଗଳ ସାଧନ କରେ ।' ଅନ୍ୟର ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ସେତିକିବେଳେ ହସ୍ତକ୍ଷେପ କରିବା ଉଚିତ ଯେତେବେଳେ ଜଣେ ନିଃସନେ୍ଦହ ଯେ ସେ ବିଭୁକୃପାରୁ ସତ୍ୟଦୃଷ୍ଟି ପାଇଛି ଓ ତା'ର ପରିଣାମସ୍ୱରୂପ ଫଳାଫଳ ସମ୍ବନ୍ଧରେ ତା'ର ଜ୍ଞାନ ଅଛି । ସେ ଯଦି ବାସ୍ତବରେ ଭବିଷ୍ୟଦ୍ରଷ୍ଟା ହୋଇଥିବ ତେବେ ସେ ଆତ୍ମବିଶ୍ୱାସର ସହ ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବ । ବାସ୍ତବରେ ଆମେ କେବଳ ଏତିକି କରିପାରୁ ସାଧକମାନଙ୍କର ଅନୁଭବସିଦ୍ଧ ବାକ୍ୟରୁ କିଛି ଶିକ୍ଷା କରି ତାହାକୁ ଉଦ୍ଧାର କରିପାରୁ । କାରଣ ସେମାନେ ସ୍ୱୟଂସିଦ୍ଧ, ବିଚକ୍ଷଣ, ନିରପେକ୍ଷ ବିଚାର କରିବାରେ ସମର୍ଥ; କିନ୍ତୁ ଯେଉଁ ମଣିଷ ଆବେଗ, ମାୟା, କାମନା, ବାସନା, ଶୋକ, ପ୍ରତିକ୍ରିୟାରୁ ନିଜକୁ ମୁକତ କରିପାରି ନାହିଁ, ସେ ଯଦି ଅନ୍ୟକୁ ଉପଦେଶ ଦିଏ ତେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଇବା ଅବସ୍ଥା ହେବ । ତେଣୁ ସର୍ବାନ୍ତକରଣରେ ଆଗ ନିଜକୁ ଏ ସମସ୍ତ ନିମ୍ନତର ଗୁଣାବଳୀଠାରୁ ଊଦ୍ଧ୍ୱର୍କୁ ନେଇଯିବାକୁ ପଡ଼ିବ ।ସେହି କାର୍ଯ୍ୟଟି ନିଷ୍ଠାର ସହ କରିବା ପାଇଁ ଆଧ୍ୟାତ୍ମବାଦରେ ବିଶ୍ୱାସ ରଖି ଏକାଗ୍ରତା ସହକାରେ ବିଭୁ ଶରଣାପନ୍ନ ହେବାକୁ ପଡ଼ିଥାଏ । ଯେ ପର୍ଯ୍ୟନ୍ତ ଆମେ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବାରେ ସମର୍ଥ ହୋଇନାହୁଁ, ସେ ପର୍ଯ୍ୟନ୍ତ ଏ ସଂସାରରେ ଜଣେ ବ୍ୟକ୍ତି କି ଅବସ୍ଥାରେ ଅଛି, କି ପ୍ରତିକୂଳ ପରିସ୍ଥିତି ସହ ତାକୁ ଲଢ଼େଇ କରିବାକୁ ପଡ଼ୁଛି ତା'ର ପରିବେଶକୁ ଅନୁଶୀଳନ କରିବାର ସାମର୍ଥ୍ୟ ନଥିବା ସାଧାରଣ ମଣିଷର କି ଅଧିକାର ଅଛି ତାକୁ ପରାମର୍ଶ ଦେବାକୁ ? ଅହଙ୍କାର ମଦମତ୍ତ ସବ୍ଜାନ୍ତା ମଣିଷ ହିଁ ଏହିଭଳି ଅନଧିକାର ଚର୍ଚ୍ଚା କରିପାରେ । ତେଣୁ ସର୍ବପ୍ରଥମ କର୍ତ୍ତବ୍ୟ ହେଲା ବହୁ ଦୋଷ ଗୁଣରେ ପରିପୂର୍ଣ୍ଣ ମାୟାଜଗତରେ ଆତଯାତ ହେଉଥିବା ମଣିଷ ଆଉ ଜଣେ ମଣିଷକୁ ବିଚାର କରିବାକୁ ସମର୍ଥ ନୁହେଁ । କେବଳ ଭଲ ପାଇବାକୁ ସମର୍ଥ । କରୁଣା ପ୍ରଦାନରେ ସମର୍ଥ, ଶ୍ରଦ୍ଧା କରିବାକୁ ସମର୍ଥ । ନିଜେ ସଦ୍ଗୁଣାବଳୀରେ ଭୂଷିତ ହେଲେ, ପ୍ରଜ୍ଜ୍ୱଳିତ ପ୍ରଦୀପ ପରି ଜଳିପାରିଲେ ସିନା ଅନ୍ଧକାରରେ ଥିବା ବ୍ୟକ୍ତିମାନଙ୍କୁ ଆଲୋକ ଦେଖାଇ ପାରିବା । ଜୀବନକୁ ସୁନ୍ଦର କରିବାର ଏକମାତ୍ର ଉପାୟ ହେଲା ଜଗତକୁ ଭଲ ପାଇବା, ଦିବ୍ୟ ଅନୁଭୂତିରେ ନିଜକୁ ପବିତ୍ର କରିବା, ଆନନ୍ଦ ଜଗତରୁ ଆନନ୍ଦ ଆହରଣ କରିବାର ଶକ୍ତି ସଂଗ୍ରହ କରିବା, ଗୋଟିଏ କ୍ଷୁଦ୍ର ସୁନ୍ଦର କର୍ମକରି ତହିଁରୁ ଦିବ୍ୟ ଅନୁଭବ ଲାଭ କରିବା । ଗଭୀର ବିଶ୍ୱାସ ଓ ଭଲ ପାଇବା ସହ ନୈତିକ ନିୟମାବଳୀକୁ ପାଳନ କଲେ ଚିତ୍ତ ଶୁଦ୍ଧ ହେବ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ନୈତିକତା ଚିହ୍ନି ହେବ, କପଟଶୂନ୍ୟ, ନୀତି ଆଧାରିତ ଶୁଦ୍ଧ ଜୀବନର ଅଧିକାରୀ ହେବା ସହଜସାଧ୍ୟ ନୁହେଁ; ବରଂ ଅତ୍ୟନ୍ତ ଆୟାସସାଧ୍ୟ, କିନ୍ତୁ ଅସମ୍ଭବ ନୁହେଁ । ଆତ୍ମନିୟନ୍ତ୍ରଣ କ୍ଷମତା ରହିଲେ, ଇନ୍ଦ୍ରିୟମାନଙ୍କୁ ବଶ କରିପାରିଲେ, ଧୈର୍ଯ୍ୟଶୀଳ ହେଲେ, ବିଭୁପ୍ରେମରେ ହୃଦୟ ପରିପୂର୍ଣ୍ଣ କଲେ ମଣିଷ ସଦିଚ୍ଛାକୁ କ୍ରିୟାଶୀଳ କରିପାରେ । ଆତ୍ମସଂଯମ ଏଥିନିମନ୍ତେ ସର୍ବପ୍ରଥମ ସର୍ତ୍ତ ।
ମନକୁ ନିଷ୍କର୍ମା କରି ରଖନ୍ତୁ ନାହିଁ । ତାକୁ ସର୍ବଦା କୌଣସି ନା କୌଣସି କାର୍ଯ୍ୟରେ ନିଯୁକ୍ତ କରି ରଖନ୍ତୁ । ତେବେ ଯାଇଁ ମନରେ କୌଣସି ଦୁର୍ଭାବନା ପ୍ରବେଶ କରିବ ନାହିଁ । ଶୂନ୍ୟ ନିଷ୍କର୍ମା ମନ ହେଉଛି ଶଇତାନର ଶାଳ । ତେଣୁ ପ୍ରତିମୁହୂର୍ତ୍ତରେ ମନ ଉପରେ ତୀକ୍ଷ୍ମଦୃଷ୍ଟି ରଖନ୍ତୁ । ନିଜକୁ ସର୍ବଦା କୌଣସି ଏକ କର୍ମରେ ଲଗାଇ ରଖନ୍ତୁ । ବାଜେ କଥା ଓ ଅଯଥା ଗପସପ କରନ୍ତୁ ନାହିଁ । ମନକୁ ସର୍ବଦା ଗୀତା, ଉପନିଷଦ, ଯୋଗବାଶିଷ୍ଟପରି ସଦଗ୍ରନ୍ଥମାନଙ୍କରେ ଦିଆଯାଇଥିବା ବିଚାରରେ ପୂର୍ଣ୍ଣ କରି ରଖନ୍ତୁ ।
ମୋ : ୭୩୨୫୯୦୪୯୨୭