ରାଜଧାନୀରୁ ମୋବାଇଲ ଗାଏବ୍ ; କଲିକତା ଲମ୍ବିଛି ଚେର

ପୁଲିସ ମାମଲା ରୁଜୁ ନକରି ଲୋକଙ୍କୁ ଧରାଉଛି ମିସିଂ ରିପୋର୍ଟ
ଭୁବନେଶ୍ୱର, ୧ା୧୨ : ପୁଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯାଉଥିବା କଥା ରହିଛି । କିନ୍ତୁ ଏବେ ତାହା କମିଶନ୍ରେଟ୍ ପୁଲିସ କ୍ଷେତ୍ରରେ ପ୍ରମାଣିତ ହୋଇଛି । କାରଣ ରାଜଧାନୀରୁ ପ୍ରତିିଦିନ ୨୦ରୁ ଉଦ୍ଧ୍ୱର୍ ମୋବାଇଲ୍ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହେଉଛି । ପୁଲିସ ମାମଲା ରୁଜୁ କରୁନଥିବା ବେଳେ ମିସିଂ ରିପୋର୍ଟ କରି ଅଭିଯୋଗକାରୀକୁ କାଗଜ ଟିଏ ଧରାଇ ଦେଉଛି । ପରେ ପୁଲିସ ଚୋରି ହୋଇଥିବା ମୋବାଇଲର ଆଇଏମ୍ଇଆଇ ନମ୍ବରକୁ ଟ୍ରାକ୍ କରିଥାଏ । ଚୋର ମୋବାଇଲ୍ ଚୋରି କରି ୨ରୁ ୬ମାସ ରଖିବା ପରେ ଚୋରି ମୋବାଇଲରେ ନୂଆ ସିମ୍ ପକାଇ ଚାଲୁ କରିଥାଏ । ଏହାପରେ ପୁଲିସ ଉକ୍ତ ଆଇଏମ୍ଇଆଇ ନମ୍ବର ଟ୍ରାକ୍ କରିବା ପରେ ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜଣାପଡ଼ିଥାଏ । ଆଉ ପୁଲିସ ଚୋରକୁ ଧରିବା ସହ ମୋବାଇଲ୍ ଜବତ କରିଥାଏ । କିନ୍ତୁ ଏବେ ପୁଲିସର ଏଭଳି ତଦନ୍ତ ତରିକା ଚୋରମାନେ ଜାଣି ପାରିଛନ୍ତି । ତେଣୁ ସେମାନେ ଏକ ଅଭିନବ ଉପାୟ ଆପଣାଇଛନ୍ତି । ସହରର ବିଭିନ୍ନ ହଷ୍ଟେଲ, ଘର, ମେଳା ଏବଂ ଭିଡ଼ରୁ ମୋବାଇଲ ଚୋରି କରୁଛନ୍ତି । ଏହି ଚୋରି ମୋବାଇକୁ ଅନ୍ ନକରି ଡିସ୍ପ୍ଲେ ଠାରୁ ଆରମ୍ଭ କରି ଅନ୍ୟାନ ପର୍ଟସ୍କୁ ଖୋଲି ବିକ୍ରି କରି ଦେଉଛନ୍ତି । ଏଥିରୁ ମଧ୍ୟ ସେମାନଙ୍କୁ ଗୋଟେ ମୋବାଇଲରୁ ୭ରୁ ୧୦ ହଜାର ଟଙ୍କା ମିଳି ଯାଉଛି । ଚୋରି ମୋବାଇଲ୍ ପାର୍ଟସ୍ ନେବା ପାଇଁ ସହରରେ ଥିବା କିଛି ମୋବାଇଲ୍ ଦୋକାନ ସହ ଅଭିଯୁକ୍ତଙ୍କ ସେଟିଂ ରହିଛି । ସେମାନେ ଫୋନ୍ ଚୋରି କରି ଆଣିବା ପରେ ରିପ୍ୟାରିଂ ଦୋକାନୀଙ୍କୁ ଦେଇ ନଗଦ ଟଙ୍କା ନେଇ ଚାଲିଯାଉଛନ୍ତି । ଦୋକାନୀ ଚୋରି ମୋବାଇଲର ପାର୍ଟସ୍ ଖୋଲି ଗ୍ରାହକ ସଜାଡ଼ିବାକୁ ଦେଇଥିବା ମୋବାଇଲରେ ଲଗାଇ ଦେଉଛନ୍ତି । ଯାହାଫଳରେ ଦୋକାନୀ ନୂଆ ପାର୍ଟସ୍ ବାହାରୁ ଅଧିକ ଟଙ୍କା ନଦେଇ ଆଣି ଚୋରି ମୋବାଇଲର ପାର୍ଟସ୍ ଲଗାଉଥିବାରୁ ତାକୁ ମଧ୍ୟ ଲାଭ ମିଳିଯାଉଛି । ତେଣୁ ରାଜଧାନୀର ସହିଦନଗର,ନୂଆପଲ୍ଲୀ, ବରମୁଣ୍ଡା, ଖଣ୍ଡଗିରି, କ୍ୟାପିଟାଲ ଥାନା ଅଧିନ ବାପୁଜୀନଗର, ପୁରୁଣା ଭୁବନେଶ୍ୱରର କିଛି ମୋବାଇଲ୍ ରିପ୍ୟାରିଂ ଦୋକାନ ଏହି ଚୋରି ମୋବାଇଲ ନେଉଛନ୍ତି ।
ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱର ଅପେକ୍ଷା ପଶ୍ଚିମବଙ୍ଗରେ ଏହି ରାକେଟ୍ ଅଧିକ କାମ କରୁଛି । କଟକ ଏବଂ ଭୁବନେଶ୍ୱରରୁ ଚୋରି ହେଉଥିବା ମୋବାଇଲକୁ କିଛି ଦଲାଲ ଚୋରଙ୍କ ଠାରୁ ଶାଗମୁଗ ଦରରେ ନେଇଯାଉଛନ୍ତି । ଏକାଥରେ ୧୦୦ରୁ ଅଧିକ ମୋବାଇଲ ହେବା ପରେ ପଶ୍ଚିମବଙ୍ଗ ପଠାଇ ଦିଆଯାଉଛି । ପଶ୍ଚିମବଙ୍ଗରେ ଥିବା ଏକାଧିକ ମୋବାଇଲ ରିପ୍ୟାରିଂ ଦୋକାନ ଏହି ଚୋରି ମୋବାଇଲ ନେଉଛନ୍ତି । ଗ୍ରାହକ ସଜାଡ଼ିବାକୁ ଦେଉଥିବା ମୋବାଇଲରେ ଚୋରି ମୋବାଇଲର ପାର୍ଟସ୍ ପକାଇ ମୁନାଫା ପାଉଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ଗତ ୩ ବର୍ଷରେ ରାଜଧାନୀରେ ସର୍ବାଧିକ ମୋବାଇଲ ଚୋରି ହୋଇଛି । ବିଶେଷ କରି ମେଳା, ଯାତ୍ରା ଏବଂ ପର୍ବ ପର୍ବାଣୀରେ ଚୋରି ହୋଇଛି । ୨ବର୍ଷରେ ସହରରୁ ୬ ହଜାରରୁ ଉଦ୍ଧ୍ୱର୍ ମୋବାଇଲ ଫୋନ୍ ଚୋରି ହୋଇଛି । କିନ୍ତୁ ପୁଲିସ ମାତ୍ର ୨ରୁ ୩ ହଜାର ମୋବାଇଲ ପାଇଛି । କିନ୍ତୁ ବାକି ଅଢେଇ ହଜାର ମୋବାଇଲ୍ ଫୋନ୍ର ପତ୍ତା ମିଳୁନାହିଁ । ନା ଏଥିରେ ନୂଆ ସିମ୍ ପଡୁଛି, ନା କେହି ଏହାକୁ ବ୍ୟବହାର କରୁଛନ୍ତି । ତେଣୁ ଏହି ମୋବାଇଲ ସବୁର ପାର୍ଟସ୍ ଖୋଲାହୋଇ ବିକ୍ରି ହୋଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।