କଟିଲା ଶହଶହ ଗଛ, ତଦନ୍ତ ନିଦେ୍ର୍ଦଶ ଦେଲେ ଏସିଏଏଫ
କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା :କେନ୍ଦୁଝର ଜିଳାରେ କାଂ ମାଫିଆ ଦିନକୁ ଦିନ ସକ୍ରିୟ ହେବାରେ ଳାଗିଛନ୍ତି । ପାଟଣା ରେଞ୍ଜ ଅଞ୍ଚଳରେ ବହୁ ସଂଖ୍ୟାରେ ୟୁକାଲିପଟାସ, ଆକାଶିଆ ଗଛ ବିନା ଅନୁମତିରେ ସରକାରୀ ଏବଂ ବେସରକାରୀ ଜମିରେ ଅବାଧରେ ଗଛ କଟା ଚାଲିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ନିଷ୍କ୍ରିୟ ରହି ଚୁପ ରହୁଛି । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ କାଠ ମାଫିଆଙ୍କ ସହ ଭିତିରି ସମ୍ପର୍କ ଥିବାରୁ ପାଟଣା ରେଞ୍ଜ ଏବେ କାଠ ମାଫିଆଙ୍କ ଚରାଭୂଇଁ ପାଲଟିଛି । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ ଏହା ଜାଣି ନ ଜାଣିବା ପରି ଅଭିନୟ କରୁଥିବାରୁ ଏହା ପରୋକ୍ଷରେ ଜଙ୍ଗଲ ଧ୍ୱସଂ କରିବାରେ ସାହାଯ୍ୟ କରୁଛି । ମୁସଲିମ କାଠ ମାଫିଆଙ୍କ ସହ ଜଙ୍ଗଲ ବିଭାଗ କେତେକ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ସଫା ହେବାରେ ଲାଗିଛି । ପାଟଣା ରେଞ୍ଜ ପାଟଣା ସେକ୍ସନ କେନେ୍ଦଇପଶି ବିଟ୍ ଅନ୍ତର୍ଗତ ଜହ୍ନେଇପଶି ଗ୍ରାମରେ ସରକାରୀ ଜମିରୁ ବନ ବିଭାଗର ସଲାସୁତୁରାରେ ଶହ ଶହ ଗଛ କଟାଯାଇଛି । ଯେଉଁ ସ୍ଥାନରେ ଗଛ କଟାଯାଉଛି ସେହି ସ୍ଥାନରେ ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବସବାସ କରୁଥିଲେ ମଧ୍ୟ ଏଥିପ୍ରତି ଅଣଦେଖା କରାଯାଇ ଗଛ କଟାଯାଉଛି । ଗଛ କଟାଯାଇ ଶନିବାର ଦିନ ଏକ ୧୨ଚକିଆ ଟ୍ରକରେ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ଏସିଏଫ୍ ଜିତେନ୍ଦ୍ର ବେହେରାଙ୍କୁ ସୂଚନା ଦେଇଥିଲେ । ଅଭିଯୋଗ ପରେ ବନ ବିଭାଗ କାଠ ବୋଝେଇ ଗାଡି ଅଟକ ରଖି ତଦନ୍ତ କରୁଛି । ତଦନ୍ତ ପରେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସରକାରୀ ଏବଂ ବେସରକାରୀ ଜମିରେ ଥିବା ଶହ ଶହ ଗଛ କୁ କାଠମାଫିଆ ବନ ବିଭାଗର ବିନା ଅନୁମତିରେ କାଟି ନେଉଛନ୍ତି । ୟୁକାଲିପଟାସ,ଆକାଶିଆ ଏବଂ ଅନ୍ୟ ବହୁ ମୂଲ୍ୟବାନ ପ୍ରଜାତିର ଗଛ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ । ବନ ବିଭାଗର ଅନୁମତି ପରେ ଗଛ କାଟିବା ପାଇଁ ଅନୁମତି ମିଳିଥାଏ । ଏହାପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗଛ କଟାଯାଇଥାଏ । ତେବେ ଅନୁମତି ନ ଥାଇ ଏତେ ସଂଖ୍ୟାରେ ଗଛ କଟାଯାଇ ୧୨ ଚକିଆ ଟ୍ରକରେ ବାହାର ଅଞ୍ଚଳକୁ ଚାଲାଣ ହୋଇଥିଲେ ହେଁ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବନ ବିଭାଗ ଏବଂ କାଠ ମାଫିଆଙ୍କ ଭିତିର ସମ୍ପର୍କ ଥିବାରୁ ପାଟଣା ରେଞ୍ଜରେ ପ୍ରତିଦିନ ବିଭିନ୍ନ ଅଞ୍ଚଳରେ ଗଛ କଟାଯାଇ ବାହାରକୁ ଚାଲାଣ ହେଉଛି । ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଦୀର୍ଘ ବର୍ଷ ଲାଗୁଥିବାବେଳେ ବ୍ୟାପକ ମାତ୍ରାରେ ଗଛ କାଟିବା ପରିବେଶ ପାଇଁ ବିପଦ ସୃଷ୍ଟି କରିଛି । ଚଳିତ ବର୍ଷ କେନ୍ଦୁଝରରେ ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିଥିଲା ଯାହାକି ଚିନ୍ତାର କାରଣ ହୋଇଛି । ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ କେନ୍ଦୁଝର ଭଳି ଏକ ଜଙ୍ଗଲ ପରିବେଷ୍ଟିତ ଜିଲ୍ଲାରେ ତାପମାତ୍ରା ହଠାତ୍ ବୃଦ୍ଧି ପାଇଛି ବୋଲି ପରିବେଶବିତ୍ ମାନେ ମତପ୍ରକାଶ କରିଛନ୍ତି । ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥବଲେ ହେଁ ତାହା ସଫଳ ହେଉନାହିଁ । ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରୟାସ ସ୍ୱରୂପ ସରକାରଙ୍କ ପକ୍ଷରୁ ବିଭିନ୍ନ ପତିତ, ଅନାବାଦୀ, ଗୋଚର, ସରକାରୀ ଜମି ଗୁଡିକରେ ଜଙ୍ଗଲ ସୃଷ୍ଟି କରାଯାଇଛି । ମାତ୍ର ସୃଷ୍ଟି ହେଉଥିବା ଏହି ଜଙ୍ଗଲ ଗୁଡିକୁ ନିଜ ଗ୍ରାମର ଆବଶ୍ୟକତାକୁ ଦର୍ଶାଇ ଧ୍ୱଂସ କରିବାରେ ଲାଗି ପଡିଛନ୍ତି । ସରକାରୀ ଏବଂ ବେସରକାରୀ ଜମିରେ ରାଜସ୍ୱ ବିଭାଗ ଏବଂ ବନ ବିଭାଗର ଜଏଣ୍ଟ ଭେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ ବନ ବିଭାଗ ଗଛ କାଟିବାକୁ ଅନୁମତି ଦେଇଥାଏ । ତେବେ ଯୁଗ୍ମ ଯାଞ୍ଚ ରିପୋର୍ଟ ଏବଂ ବନ ବିଭାଗର ଅନୁମତି ନ ଥାଇ ଏତେ ସଂଖ୍ୟରେ ଗଛ କଟିବା ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ପଡିଛି । ସୂଚନଯୋଗ୍ୟଯେ, ପାଟଣା ରେଞ୍ଜରେ ଅନେକ ବନରକ୍ଷୀ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ ଏହି ରେଞ୍ଜରେ କାମ କରୁଛନ୍ତି । ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହୁଥିବାରୁ ଅଭିଯୋଗ ହେଲେ ପଦକ୍ଷେପ ନେଉନାହାଁନ୍ତି ।