ଡଙ୍ଗରିଆ କନ୍ଧର ଜୀବନଚର୍ଯ୍ୟା

ଡ.ବିଚିତ୍ରାନନ୍ଦ ଆଚାର୍ଯ୍ୟ : ଡଙ୍ଗରିଆ ହେଲା କନ୍ଧଗୋଷ୍ଠୀର ଏକ ଉପଗୋଷ୍ଠୀ । ଏମାନେ ସାଧାରଣତଃ ଡଙ୍ଗରରେ ରହୁଥିବାରୁ ଏମାନଙ୍କୁ ଡଙ୍ଗରିଆ କନ୍ଧ କୁହାଯାଏ । ଏମାନେ ସମସ୍ତେ ନିୟମଗିରି ପର୍ବତମାଳାର ୧୪୦ଟି ଗ୍ରାମରେ ଅବସ୍ଥାନ କରନ୍ତି । ନିୟମଗିରି ରାୟଗଡ଼ ଓ ଗୁଣୁପୁର ସବ୍ଡ଼ିଭିଜନ ମଝିରେ ଅବସ୍ଥିତ । ଏମାନେ ବଣଜଙ୍ଗଲରେ ବାସ କରୁଥିବାରୁ ଏମାନଙ୍କ ଘରଦ୍ୱାର ଗଠନ ପ୍ରଣାଳୀ ଅଲଗା ଧରଣର । ଏମାନଙ୍କର ଅନୁଚ୍ଚ ଘର ଗୁଡ଼ିକ ଡ଼ାବୁ ଛଣରେ ଛପର ହୋଇ ଦାଣ୍ଡ ଓ ବାରିପଟକୁ ଖୁବ୍ ଲମ୍ବ ଭାବରେ ଚଢ଼ି ଯାଉଥାଏ । ଘରର କାନ୍ଥଗୁଡ଼ିକ ନାଲି ଓ ଧଳା ରଂଗ ମାଟିରେ ଲିପାଯାଇ ବିଭିନ୍ନ ପ୍ରକାର ଝୋଟି ଓ ଚିତ୍ର ଅଙ୍କନ ହୋଇଥାଏ । ଏହି ଚିତ୍ରମାନଙ୍କରେ ପୁରି ରହିଛି ଅକଳ୍ପନୀୟ କଳାନୁରାଗ । ଘରକୁ ଘର ଏପରି ଲାଗି ରହିଥାଏ ଦେଖିଲେ ମନେ ହୁଏ ସମସ୍ତେ ଯେପରି ଗୋଟିଏ ଛାତ଼ ତଳେ ଏକାଠି ରହିଛନ୍ତିି । ଗାଁଟି ବଡ଼ ବା ଛୋଟ ହୋଇପାରେ କିନ୍ତୁ ଘରଗୁଡ଼ିକ ଦୁଇଟି ଧାଡ଼ିରେ ସଜେଇ ହୋଇ ରହିଥାଏ ।
ଡଙ୍ଗରିଆ କନ୍ଧମାନେ ସେମାନଙ୍କ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇଥାନ୍ତି । ପୁରୁଷମାନେ ସାଧାରଣତଃ ଗୋଟିଏ ଛଅ ଫୁଟିଆ ଗାମୁଛା ବସ୍ତ୍ର ଭାବରେ ପରିଧାନ କରିଥାନ୍ତି । ଶୀତ ଦିନେ ଚଦରରେ ଘୋଡ଼ି ହୁଅନ୍ତି ନଚେତ୍ ସାରା ଦେହଟା ଫୁଙ୍ଗୁଳା ରହିଥାଏ । ସ୍ତ୍ରୀମାନେ ଦୁଇଟି ରଂଗଧଡ଼ିଆ ତଉଲିଆକୁ ବସ୍ତ୍ର ଭାବରେ ବ୍ୟବହାର କରିଥାନ୍ତି । ଗୋଟିଏ ପିନ୍ଧିଥାନ୍ତି ଓ ଅନ୍ୟଟି ବେକରେ ଗୁଡେ଼ଇଥାନ୍ତି, ଲୁଗାର ଧଡ଼ିରେ ସ୍ତ୍ରୀ ଲୋକମାନେ ସୁନ୍ଦର କାରୁକାର୍ଯ୍ୟଭରା ହାତକାମ ଚିତ୍ର କରିଥାନ୍ତି । ଏହାକୁ କୁଡ଼ୁ କୁହାଯାଏ । ସ୍ତ୍ରୀ ପୁରୁଷମାନେ ମୁଣ୍ଡରେ ବାଳ ବଢେ଼ଇ ସୁନ୍ଦର ପାନିଆଁ ଖଚିତ ଜୁଡ଼ା ତିଆରି କରିଥାନ୍ତି । ଏମାନଙ୍କର ଗହଣା ବ୍ୟବହାରରେ ଖୁବ୍ ରୁଚିଥାଏ । ସ୍ତ୍ରୀମାନେ ବେକରେ ରୁପା ଟଙ୍କାର ମାଳ, ରୂପା ଖଡ଼ୁ, କାନ ଓ ନାକରେ ସୁନା ଓ ରୁପାର ବାଙ୍କି ବ୍ୟବହାର କରିଥାନ୍ତି । ସ୍ତ୍ରୀମାନେ ଶରୀର ବିଭିନ୍ନ ଅଂଶରେ ସୁନ୍ଦର ଭାବେ ଚିତାକୁଟି ନିଜର ସୌନ୍ଦର୍ଯ୍ୟ ବଢ଼ାଇଥାନ୍ତି । ଅନ୍ୟାନ୍ୟ ଆଦିବାସୀଙ୍କ ଭଳି ଡଙ୍ଗରିଆ ମାମୁଁର ଝିଅ ବା ଭଉଣୀର ଝିଅକୁ ବିବାହ କରେ ନାହିଁ । ତେଣୁ ଡଙ୍ଗରିଆ ସମାଜରେ କନ୍ୟା ପାଇବା ଭାରି କଷ୍ଟ । କେଉଁ ଗାଁରେ ବିବାହଯୋଗ୍ୟା କନ୍ୟା ଅଛନ୍ତି ଖବର ପାଇଲେ ବର ଗାଁର ମାଇପେ ସାଥିରେ ମଦ କଳସୀକୁ ଧରି କନ୍ୟା ଗ୍ରାମରେ ପହଞ୍ଚି ଯାଆନ୍ତି । ସଂଧ୍ୟାରେ ପହଞ୍ଚି କନ୍ୟାଘର ଚାରିପଟେ ଯାଇ ଘରକୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ।
ମାତ୍ର କନ୍ୟା ଘର ପକ୍ଷରୁ ପ୍ରବଳ ବିରୋଧ କରାଯାଏ ଓ ଅଶ୍ଳୀଳ ଭାଷରେ ଗାଳି ବର୍ଷଣ ହୁଏ । ସେମାନେ ଖାଲି ଯିବା ଲୋକମାନଙ୍କୁ ଯେ ଗାଳି କରନ୍ତି, ତାହା ତୁମେ ସେମାନଙ୍କ ବଂଶ ଓ ଗାଁ ଲୋକଙ୍କୁ ମଧ୍ୟ ଗାଳି ଦିଅନ୍ତି । କିନ୍ତୁ ବରପକ୍ଷ ସବୁ ଶୁଣି ଚୁପ୍ ରହିବାକୁ ବାଧ୍ୟ ହୁଅନ୍ତି । ଏହାତ କିଛି ନୂଆ କଥା ନୁହେଁ ଯୁଗ ଯୁଗ ଧରି ଏ ପ୍ରଥା ଚାଲି ଆସିଛି । ଖାଲି ଗାଳି ନୁହେଁ ସେମାନଙ୍କୁ ପିଇବା ପାଇଁ ପେଜ ମଧ୍ୟ ଦିଅନ୍ତି ନାହିଁ । ଏହା ପରେ ବର ଓ ତା’ର ସାଥୀମାନେ ଯାଆନ୍ତି । ବରକୁ ଛାଡ଼ି ସାଥୀମାନେ ଫେରିଆସନ୍ତି, ବିଚରା ବର ବହୁ ଅପମାନ ଅସମ୍ମାନ ପାଇ କନ୍ୟାଘରେ ଗୋତି ଖଟେ ଓ କିଛି ବର୍ଷ ପରେ ବରପିତା କନ୍ୟାସୁନା ଦେଇ ବିବାହ ଦିନ ଠିକ୍ କରେ । କନ୍ୟା ନେବାର ଆଠ ଦିନ ପୂର୍ବରୁ ଖବର ଦେଇ ବର ଗ୍ରାମର ସମସ୍ତେ କନ୍ୟା ଗ୍ରାମକୁ ଯାଆନ୍ତି । କନ୍ୟାପିତା ସେମାନଙ୍କୁ ଅଭ୍ୟର୍ଥନା କରି ଭୋଜି ଦିଅନ୍ତି । କନ୍ୟାର ପିତାମାତା ସାଙ୍ଗସାଥୀ କନ୍ୟା ବିଦାୟ ବେଳେ ସ୍ୱର ଦେଇ ଯେଉଁ କାନ୍ଦଣା ଗାଆନ୍ତି ତା ଅତି ହୃଦୟସ୍ପର୍ଶୀ ଝିଅ ବିଦାୟ ଦୁଃଖରେ ଡଙ୍ଗରିଆ ଗୀତ ଗାଏ । ଝିଅକୁ ବଳେଇ ଦେବାକୁ ଯାଇ ବର ଗାଁରେ ପହଁଞ୍ôଚଲା ପରେ ଝିଅ ଗାଁର ଲୋକେ କହନ୍ତି ଆମ ଝିଅ ପରି ଝିଅ ନାହିଁ । ବର ପକ୍ଷର ଝିଅମାନେ ମଧ୍ୟ ନିଜ ନିଜ ଗାଁର ଟେକ ରଖି ଉତ୍ତର ଦିଅନ୍ତି । ବାହାଘରରେ ନାଚ କରିବା ଡଙ୍ଗରିଆ ସମାଜରେ ଦେଖାଯାଏ ନାହିଁ । ଯାହା ପାଖରେ କନ୍ୟାକୁ ସୁନା ଦେବାର ସମ୍ବଳ ନଥାଏ ସେ ଶ୍ୱଶୁର ଘରେ ଦୁଇ ଚାରି ବର୍ଷ ଗୋତି ଖଟି ଡଙ୍ଗର ଓ ଅନ୍ୟାନ୍ୟ କାମ କରେ ଓ ସର୍ତ୍ତ ପୁରିଲେ ଝିଅକୁ ନେଇ ନିଜ ଘରକୁ ଫେରେ ।
ଅନେକ କ୍ଷେତ୍ରରେ ସୁବିଧା ଦେଖି ବର ପକ୍ଷର ଟୋକାମାନେ ଝିଅକୁ ଡଙ୍ଗର ବା ନାଳ କିମ୍ବା ହାଟରୁ ଟାଣି ନିଅନ୍ତି ଓ କନ୍ୟା ପିତାକୁ ଖବର ଦିଅନ୍ତି । ଆମେ ତମ ଝିଅକୁ ଟାଇ ନେଇଛୁ । କନ୍ୟା ସୁନା ନେବାକୁ ତୁମ ସାଥିମାନଙ୍କ ସହିତ ଆସିଲେ ପଞ୍ଚାୟତ ବସିବ । ସମସ୍ତ ପ୍ରକାର ବାହାଘର ପାଇଁ ବରକନ୍ୟାର ମିଳନ ଲଗ୍ନ ‘ବେଜୁଣି’ ଠିକ୍ କରିଥାଏ । ବାହାଘର ଯେବେ ହେଉନା କାହିଁକି ଝିଅ ରଜସ୍ୱଳା ହେବା ପରେ ପରେ ତାକୁ ପରିବାରର ଅନ୍ୟ ଲୋକମାନଙ୍କ ସହ ଶୋଇବାକୁ ଦିଅଯାଏ ନାହିଁ । ଘରବାଡ଼ିରେ ଗୋଟିଏ ଛୋଟିଆ କୁଡ଼ିଆ ତିଆରି କରାଯାଏ ଓ ଝିଅ ସେଠାର ରହେ । ତାହାକୁ “ଧାଘ୍ଗିଡ଼ୀ” କୁଡ଼ିଆ ବୋଲି କୁହାଯାଏ । ଡଙ୍ଗରିଆ ଘରେ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ କେତେକ ନିୟମ ପାଳିବାକୁ ହୁଏ । ଏହାକୁ କହନ୍ତି ‘ଦୋଷପାଳିବା’ । ପରିବାରର ସମସ୍ତେ ସଙ୍ଗେ ସଙ୍ଗେ ସ୍ନାନ କରିବେ, ସାରା ଦିନ ଡଙ୍ଗରକୁ ଯାଇ କୌଣସି କାମ କରିବେ ନାହିଁ । ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ମା’ ନିଜ ପାଖରେ ରଖିଥିବା ଛୋଟ ଛୁରୀ ସାହାଯ୍ୟରେ ଛୁଆର ନାହି କାଟେ ଓ ଘରେ ନ ରହି ତା’ ପାଇଁ ପୂର୍ବରୁ ନିର୍ମିତ ହୋଇଥିବା ଛୋଟକୁଡ଼ିଆରେ ରହେ । ଦୀର୍ଘ ଏକ ମାସ ପାଇଁ ସେ ଅଛୁଆଁ ହୋଇ ରହେ । ମାସ ପୁରିଗଲେ ବେଜୁଣି ଆସି ମା’କୁ ଶୁଦ୍ଧ ସ୍ନାନ କରାଏ ଓ ଛୁଆ ସହ ମା’ ଘରକୁ ଫେରେ । ମା’ର ଘର ବାହୁଡ଼ା ଉପଲକ୍ଷେ କୁକୁଡ଼ା କାଟି ପୂଜା ଦିଆଯାଏ । ବେଜୁଣି ଚାଉଳ ଧରି ମନ୍ତ୍ର ପଢେ଼ । ମନ୍ତ୍ର ପଢ଼ୁ ପଢ଼ୁ ତା’ ଦେହରେ ଦେବତା ପ୍ରବେଶ କରନ୍ତି । ଯାହାର ପ୍ରଭାବରେ ବେଜୁଣି ନବଜାତକ ଦେହରେ କାହାର ଆତ୍ମା ପ୍ରବେଶ କରିଛି କହେ ଓ ସେହି ମୃତ ବ୍ୟକ୍ତିର ନାମରେ ନବଜନ୍ମିତ ପିଲାର ନାମକରଣ କରାଯାଏ । ‘ମଣ୍ଡଳ’ ଡଙ୍ଗରିଆ ସମାଜର ପ୍ରଧାନ ବ୍ୟକ୍ତି । ତାହାର ନିର୍ଦ୍ଦେଶରେ ଗ୍ରାମରେ ଶାସନ ଚାଲେ । କିନ୍ତୁ ଗ୍ରାମର ଆପଦ ବିପଦ ପୂଜା ପର୍ବରେ ‘ଜାନି’ର କଥା ମାନି ସମସ୍ତେ ଚଳନ୍ତି । ଜାନି ପୂଜା କରି ଦେବତାର ପରାମର୍ଶ ନେଇ କେଉଁ ଦିନ ବିହନ ବୁଣାହେବ, ଫସଲ ଅମଳ ହେବ, ମେରିଆ ବଳି ପଡ଼ିବ ଓ ବାଟପୂଜା ହେବ ସେ ବିଷୟରେ କହେ । ଉତ୍ତରାଧୀକାରୀ ସୂତ୍ରରେ ମଣ୍ଡଳ ଓ ଜାନି ବଂଶର ପୁଅମାନେ ଏହି ସମ୍ମାନ ପାଇ ଥାଆନ୍ତି । ଡଙ୍ଗରିଆ ଧରିତ୍ରୀ ଓ ଧର୍ମ ଦେବତାଙ୍କୁ ପୂଜା କରେ । ସମସ୍ତ ଆପଦ ବିପଦରୁ ମୁକ୍ତ କରି ଡଙ୍ଗରିଆଙ୍କୁ ପୂଜା କରେ । ସମସ୍ତ ଆପଦ ବିପଦରୁ ମୁକ୍ତ କରି ଡଙ୍ଗରିଆକୁ ସେମାନେ ବଞ୍ଚାନ୍ତି । କୌଣସି ଶୁଭ କାମ କରିବା ପୂର୍ବରୁ ‘କଟିଙ୍ଗ୍ଗିରି’କୁ ପୂଜା କରି ସେମାନଙ୍କ ଆର୍ଶୀବାଦ ନିଆଯାଏ । ସେହି ଆର୍ଶୀବାଦ ଫଳରେ ଭଲ ଫସଲ ହୁଏ, ବର୍ଷା ହୁଏ ଓ ସମସ୍ତ ଆପଦ ବିପଦ ଟଳିଯାଏ ।
ଡଙ୍ଗରିଆ ଅନେକ ପ୍ରକାର ପର୍ବ ପାଳନ କରେ ଯେପରି ନୂଅଖିଆ, ଫସଲ ଅମଳ, ଡଙ୍ଗର ପୂଜା ଓ ଧରଣୀ ପୂଜା ଇତ୍ୟାଦି । କିନ୍ତୁ ବିହନ ବୁଣା ପର୍ବ ପରେ ପରେ ଆରମ୍ଭ ହୋଇଯାଏ ଶିକାର କରିବାର ଝୁଙ୍କ । ଏମାନେ ସାମାଜିକ ଓ ଅର୍ଥନୈତିକ ଜୀବନ ପାହାଡ଼ ତଳେ ବସୁଥିବା ହାଟ ଦ୍ୱାରା ପ୍ରଭାବିତ ହୁଏ । ବାଟରେ ଏମାନେ ନିଜର କୃଷି ଜାତ ଓ ଜଙ୍ଗଲରୁ ସଂଗୃହୀତ ପଦାର୍ଥକୁ ବିକ୍ରି କରି ବା ବଦଳାଇ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସହିତ ଧାନ ଚାଉଳ କିଣନ୍ତି । ଏଠାରେ ସେମାନଙ୍କର ସାହୁକାରଙ୍କ ସହ ଦେଣନେଣ କାରବାର ହୁଏ । ଅନେକ ସମୟରେ ବେପାରୀ ସେମାନଙ୍କୁ ଠକିବାର ଦେଖାଯାଇଥାଏ । ସାମାନ୍ୟ ନିଶା ଯୁକ୍ତ ପାନୀୟ ଓ ଖଣ୍ଡିଏ ଲୁଗା ବଦଳରେ ବେପାରୀ ଅମଳ ହୋଇନଥିବା ଫସଲକୁ ମଧ୍ୟ ହାସଲ କରିନିଏ । ଡଙ୍ଗରିଆର ସବୁ ଥାଇ ମଧ୍ୟ ସେ ଶେଷରେ ନିଃସ୍ୱ ହୋଇଯାଏ ।
ବାଲିଗୁଡ଼ା, କନ୍ଧମାଳ