ଦରଦାମ୍ ବୃଦ୍ଧି ନେଇ ଗୃହ ସରଗରମ୍


ାା ପ୍ରଭାନୁ୍ୟଜାା ଭୁବନେଶ୍ୱର: ଭାତ ସାଙ୍ଗରେ ଆଳୁ କି ଡାଲି ଖାଇହେଉନାହିଁ  । ଦରଦାମ୍ ହୁହୁ ହୋଇ ବଢ଼ିବାରେ ଲାଗିଛି  । ଗରିବ ଓ ମଧ୍ୟବିତଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି  । ମହଙ୍ଗାଇ ଦୂରହେବ, ଅଚ୍ଛେଦିନ ଆସିବ ବୋଲି ମୋଦି କହିଥିଲେ  । କିନ୍ତୁ ଗତ ୧୦ ବର୍ଷରେ ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି  । ଚାଷୀ ଦରଦାମ ବୃଦ୍ଧିର ମୂଲ ପାଉନାହିଁ  । ଦଲାଲ ଲାଭ ଖାଉଛି  । ଏଭଳି ଢଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ  ।
ସେପଟେ ବିଜେପି ବି ପାଲଟା ଆକ୍ରମଣ କରିଥିଲା  । ଦରଦାମ ବୃଦ୍ଧି ହେଉଛି ବିଜେଡ଼ିର ଉପଲବ୍ଧô  । ଏକଥା ଉଠାଇ ନିଜ ଅପାରଗତାକୁ ହିଁ ସ୍ୱୀକାର କରୁଛନ୍ତି  । ସେପଟେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେଯେ, ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଳୁ ଯୋଗାଣ ସ୍ୱାଭାବିକ ହୋଇଛି  । ଦେଶର ଅନ୍ୟ ସହର ତୁଳନାରେ ଓଡ଼ିଶାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର କମ୍ ରହିଛି ବୋଲି ମନ୍ତ୍ରୀ ଶ୍ରୀପାତ୍ର କହିଥିଲେ  । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡ଼ି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ  ।
‘ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଅାଁ  । ଲୋକେ ହନ୍ତସନ୍ତ  । ସରକାର ନୀରବଦ୍ରଷ୍ଟା’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିଜେଡ଼ି ବିଧାୟକ ନିରଞ୍ଜନ ପୂଜାରୀ କହିଲେଯେ, ତେଲ, ଡାଲି, ପନିପରିବା ଠାରୁ ନେଇ ସବୁ ଦରଦାମ ବଢ଼ିବାରେ ଲାଗିଛି  । ମୁଢି ଓ ଚୁଡ଼ାରେ ବି ଜିଏସଟି ଲଗାଇଦେଲେ  । ଚାଉଳ ଦର ବି ହୁହୁ ହୋଇ ବଢୁଛି  । ହାତରୁ ଭୋଟ କାଳି ନଲିଭୁଣୁ ଦରଦାମ୍ ବଢ଼ିବଢ଼ି ଚାଲିଲା  । ସରକାର ଯଦି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ କିଏ କରିବେ ବୋଲି ସେ ପ୍ରଶ୍ନ କରିଥିଲେ  । ସେହିପରି ବିଧାୟକ ଗଣେଶ୍ୱର ବେହେରା କହିଥିଲେଯେ, ମନ୍ତ୍ରୀ ନିଜର ବିବେକ ସହ ଆଲୋଚନା କରିବା ଦରକାର  । ଯଦି ଦରଦାମ୍ ବଢ଼ିନାହିଁ ବୋଲି ମନ୍ତ୍ରୀ କହୁଛନ୍ତି ତେବେ ଘଟଣାସ୍ଥଳକୁ ତନଖି ପାଇଁ କାହିଁକି ଯାଇଥିଲେ ? ଆଳୁ ମହଜୁଦ୍ ଅଛି ବୋଲି କହିଲେ  । ଆଳୁ ଦର ୩୨ ଟଙ୍କାରୁ ଅଧିକ ହେବନାହିଁ ବୋଲି କହିବା ପରେ ବି ଆଳୁ ଦର ଚଢ଼ା କାହିଁକି ରହିଛି  । ବିରୋଧୀ ଦଳ ନେତା ଆଳୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କର ଆଖି ଖୋଲିଲା ବୋଲି ସେ କହିଥିଲେ  । ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗରେ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଥିଲେ  । ଟଙ୍କା ମୂଲ୍ୟ କମିଥିବାବେଳେ ଓଡ଼ିଶାରେ ମୂଲ୍ୟସ୍ଫୀତି ପଡ଼ୋଶୀ ରାଜ୍ୟଙ୍କ ଠାରୁ ବହୁ ଅଧିକ ରହିଛି ବୋଲି କହିଥିଲେ  । ମୋଦି ସରକାରଙ୍କ ଅଚ୍ଛେଦିନ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ  ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମୁଲତବୀ ଆଲୋଚନାରେ ଭାଗନେଇ କହିଥିଲେଯେ, ଚାଷୀ ମୂଲ୍ୟ ପାଉନାହିଁ । ଦଲାଲ ଲାଭ ନେଉଛି  । ଉପା ସରକାର ଅମଳରେ ଦରଦାମ୍ କମ୍ ଥିଲା  । କିନ୍ତୁ ଏବେ ଦୁଇ ତିନିଗୁଣା ବଢ଼ିଯାଇଛି  । ଚାଷୀ ଓ ଗରିବଙ୍କ ପ୍ରତି ସରକାର ଉତ୍ତରଦାୟୀ ନରହିଲେ ଜନଅସନ୍ତୋଷ ବଢ଼ିବ ବୋଲି ସେ କହିଥିଲେ  । ଆଲୋଚନାରେ କଂଗ୍ରେସ ବିଧାୟକ ଅଶୋକ ଦାସ ଭାଗ ନେଇ ରାଜ୍ୟରେ ଦରଦାମ୍ ଅସମାନତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।
ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଜରିଆରେ ଶାସକ ଦଳର ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେଯେ, ୨୪ ବର୍ଷ ଧରି ବିଜେଡ଼ି ସରକାର ରାଜ୍ୟକୁ ଲୁଣ୍ଠନ କରୁଥିଲେ  । ୫ଟି ନାମରେ ହଜାର ହଜାର କୋଟି ଲୁଟ୍ ହୋଇଛି । ଏବେ ବିଜେଡ଼ି ଯେମିତି କହୁଛି, ସତେଯେମିତି ଆଗରୁ ସୁନା ଚାମଚରେ ଲୋକେ ଖାଉଥିଲେ  । ଏହି ଦେଢ଼ମାସରେ ଲୋକେ ହନ୍ତସନ୍ତ ହୋଇଗଲେ  । ଯେଉଁ ମଞ୍ଜି ବିଜେଡ଼ି ବୁଣିଥିଲା, ଆଜି ସେହି ଫଳ ଖାଉଛି । ୩୦ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରୁ ରାଜ୍ୟ ୨୫ ସାମଗ୍ରୀ ଉପରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ  । ବିଜେଡ଼ି ଏହିକଥା ଉଠାଇ ନିଜ ଅପାରଗତାକୁ ସ୍ୱୀକାର କରିଥିବାରୁ ସେ ଧନ୍ୟବାଦ ଜଣାଇବା ସହ ଦରଦାମ୍ ବୃଦ୍ଧି ନେଇ ବିରୋଧୀଙ୍କ କୁମ୍ଭୀରକାନ୍ଦଣା ହାସ୍ୟାସ୍ପଦ ବୋଲି କହିଥିଲେ  । ବିଜେପି ପକ୍ଷରୁ ବିଧାୟକ ସର୍ବଶ୍ରୀ ଅମରେନ୍ଦ୍ର ଦାସ, ଦୁର୍ଗା ପ୍ରସନ୍ନ ନାୟକ ଓ ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।
ମୁଲତବୀ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଲେଯେ, ପାଣିପାଗର ଅନିୟମିତତା ପାଇଁ ଦେଶର ବିଭିନ୍ନ ଡାଲିଜାତୀୟ ଦ୍ରବ୍ୟର ଆମଦାନୀ ୧୦ରୁ ୧୨% ହ୍ରାସ ପାଇଛି । ଯାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡିଛି  । ସର୍ବଭାରତୀୟ ହାରଠାରୁ ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ କମ୍ ରହିଛି  । ଆଳୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆମ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ରାଜ୍ୟରେ ଆଳୁ ଦାମ୍ ଏବେ ୩୦ ଟଙ୍କା ମଧ୍ୟରେ ଅଛି  । ବିଜେଡ଼ି ସରକାର ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କଲେନାହିଁ  । ଆଳୁ ମିଶନ ନାଁରେ ୨୭୦ କୋଟି ଟଙ୍କା ଲୁଟ୍ କଲେ  । ପିଆଜ ମିଶନ ବି ଫେଲ୍ ମାରିଛି  । ବିରୋଧୀ ଦଳ ନେତା କେଉଁ ଅଧିକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି, ଶସ୍ତା ରାଜନୀତି ବନ୍ଦ କରନ୍ତୁ  । ୨୪ ବର୍ଷରେ କିଛି କଲେନାହିଁ ବୋଲି ସରକାରରୁ ଗଲେ । ଆଗାମୀ ଦିନରେ ନୂଆ ସରକାର ଏନେଇ ପଦକ୍ଷେପ ନେଉଥିବାବେଳେ ଦିନେ ଆମେ ବାହାର ରାଜ୍ୟକୁ ଆଳୁ ରପ୍ତାନୀ କରିବା ବୋଲି କହିଥିଲେ  । କଳାବଜାରୀ ରୋକିବା ପାଇଁ ନିୟମିତ ଚଢାଉ କରାଯାଉଛି  ।  ଜିଲ୍ଲାପାଳମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ନିୟମିତ ତଦାରଖ କରୁଛନ୍ତି । ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ବୈଠକ ହେବା ସହ ମୁନାଫାଖୋରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ  ।