ନୀରବିତ ମୁହୂର୍ତ୍ତ
ମିନାକ୍ଷୀ ମଙ୍ଗରାଜ:
କେମିତି କେଜାଣି
ସବୁ କିଛି ଥାଇ ନିସ୍ୱ ଲାଗେ
ନିରାଶାର ଚାଦର ଟିଏ ମାଡି ହୋଇଯାଏ
ଅଣନିଃଶ୍ୱାସୀ ଆକ୍ତାମାକ୍ତା ଛାଟିପିଟି
ହୋଇଯାଏ ମନ
ବାଷ୍ପରୁଦ୍ଧ ଗଳାଚିପା ଆର୍ତ୍ତନାଦ
ଝାଳନାଳ ଭରିଯାଏ ଅନ୍ତରର
ରୁଦ୍ଧ କୋଠରୀରେ ।
ଚାରି ପଟେ କେହିନାହିଁ
ନାହିଁ ବିତ ଆଶା
ସୂର୍ଯ୍ୟ ଚନ୍ଦ୍ର ଗ୍ରହତାରା
ସଂଜ ସକାଳର ଜାଗତିକ ଇସ୍ତାହାର
ଅବା ମା କୋଳ,ପ୍ରେମ,ପ୍ରଣୟ ,ପ୍ରଶାନ୍ତିର
ମନମଖା ଓଦା କାନ୍ଥଟିଏ
ଭୁଶୁଡ଼ି ପଡ଼ିବ ଅବା
ଦୁଃଖର ଅତଳେ ।
ସତରେ କେତେ ଦୟନୀୟ
ନିରାଶାରେ ନୀରବିତ ହୋଇ
ବସିଗଲେ ଗୋଟିଏ ମୁହୂର୍ତ୍ତ
ଅକ୍ଟୋପସ ପଞ୍ଝା ଭଳି ଚିପିଦିଏ
ଶୂନ୍ୟତାର ଶୂନ୍ୟ ଚଉହଦୀ
ମାପଚୁପ ଥଳକୂଳ କିଛି ନାହିଁ
ନାହିଁ ବିତ ଦେୟ ଅଦୈୟର
ଗାଣିତିକ ସୂତ୍ର,
ଅଛି ଖାଲି ନିରିମମ ନିରିଜନ ନିରାଶାର
ନୀରବିତ ଗୋଟିଏ ମୁହୂର୍ତ୍ତ ।
ଭୋଗପୁରା
ଖୋର୍ଦ୍ଧା
୯୧୭୮୧୪୬୪୬୧.