ସିନ୍ଦୂର ଅଭିଯାନ ଓ ତୁର୍କୀର ଆଭିମୁଖ୍ୟ
ଡ. ଅମୂଲ୍ୟ କୁମାର ପଣ୍ଡା : ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଯୁଦ୍ଧରେ ତୁର୍କୀ ପାକିସ୍ତାନକୁ ଖୋଲା ଖୋଲି ସମର୍ଥନ ଦେଇଥିଲା । ଏପ୍ରିଲ ୨୨ ତାରିଖରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ୨୬ ଲୋକଙ୍କୁ ହତ୍ୟା କରିଥିଲେ । ସେତେବେଳେ ଅନ୍ୟ ଦେଶ ଭଳି ତୁର୍କୀ ବି ଏହି ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରିଥିଲା । ହେଲେ ଯେତେବେଳେ ତୁର୍କୀ ଜାଣିବାକୁ ପାଇଲା ଏହି ଆତଙ୍କୀ କନେକ୍ସନ ପାକିସ୍ତାନ ସହ ଅଛି ସେତେବେଳେ ତୁର୍କୀର ସ୍ୱର ବଦଳି ଯାଇଥିଲା । ପହଲଗାମ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଆଉ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଯେଉଁଥିରେ ପାଖାପାଖି ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଆତଙ୍କୀଙ୍କ ମୃତୁ୍ୟରେ ପାକିସ୍ତାନ ସରକାରଙ୍କୁ ତ ଦୁଃଖ ଲାଗିଥିଲା ତା ସହ ତୁର୍କୀକୁ ବି ଗଭୀର ଆଘାତ ଲାଗିଥିଲା । ତୁର୍କୀ ରାଷ୍ଟ୍ରପତି ମୃତ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲମିଡିଆ ଏକ୍ସରେ ଲେଖିଥିଲେ କି, ଭାରତ-ପାକିସ୍ତାନ ଯୁଦ୍ଧରେ ମିସାଇଲ ମାଡ଼ ବ୍ୟାପକ ସଂଘର୍ଷରେ ପରିଣତ ହୋଇପାରେ, ଯେଉଁ କାରଣରୁ ଅନେକ ସଂଖ୍ୟାରେ ଲୋକ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଆମ ଭାଇମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ଏଥିରୁ ଜଣାଯାଏ ଯେ ଆତଙ୍କବାଦକୁ ତୁର୍କୀ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛି । ତେବେ ପାକିସ୍ତାନ ଭାରତ ଉପରେ କରିଥିବା ଡ୍ରୋନ ଆଟାକକୁ ବିଫଳ କରିଥିଲା ଭାରତ । ଆଉ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା କି ପାକିସ୍ତାନ ଯେଉଁ ଡ୍ରୋନରୁ ଆଟାକ୍ କରିଥିଲା ତାହା ତୁର୍କୀର । ୱିଙ୍ଗ କମାଣ୍ଡର ଭୌମିକା ସିଂ ଆଉ ସୋଫିଆ କୁ୍ୟରେସି ଗଣମାଧ୍ୟମ ସହ କଥା ହୋଇ କହିଥିଲେ କି ସିଆଚୀନଠାରୁ ସର୍ କ୍ରିକ୍ ଯାଏଁ ପାଖାପାଖି ୩୦୦ରୁ ୪୦୦ ଡ୍ରୋନ ଆକ୍ରମଣର ପ୍ରୟାସ କରାଯାଇଥିଲା । ଆଉ ସେହି ସବୁ ଡ୍ରୋନ ତୁର୍କୀ ପାକିସ୍ତାନକୁ ଦେଇଥିଲା । ଭାରତ ପାକିସ୍ତାନ ଭିତରେ ସିଧାସଳଖ ଲଢେଇ ଆରମ୍ଭ ହେବା ପୂର୍ବରୁ ତୁର୍କୀର ଏକ ଯୁଦ୍ଧ ପୋତ କରାଚି ପୋର୍ଟରେ ପହଞ୍ଚିଥିଲା । ଏହି ଯୁଦ୍ଧପୋତ କରାଚିରେ ପହଞ୍ଚିବା ପୂର୍ବରୁ ତୁର୍କୀର ଏୟାରକ୍ରାଫ୍ଟ ସି-୧୩୦ କରାଚିରେ ଲ୍ୟାଣ୍ଡ୍ କରିଥିଲା । ଆଉ ପାକିସ୍ତାନ ମିଡିଆ ଦାବି କରିଥିଲା କି ଏଥିରେ ଯୁଦ୍ଧାସ୍ତ୍ର ରହିଛି । ହେଲେ ତୁର୍କୀ ରକ୍ଷା ମନ୍ତ୍ରାଳୟ ଏହାକୁ ଖାରଜ କରି କହିଥିଲା କି, ଏଥିରେ ଯୁଦ୍ଧାସ୍ତ୍ର ନୁହେଁ ବରଂ ଏୟାରକ୍ରାଫ୍ଟ ଇନ୍ଧନ ଭରିବାକୁ କରାଚିରେ ଲ୍ୟାଣ୍ଡ କରିଥିଲା ।
ପ୍ରଥମେ ତୁର୍କୀ ବିଷୟରେ ଟିକେ ଜାଣି ନେବା ଯେ ତାହାର କେଉଁ ଦେଶ ସହିତ କିପରି ସମ୍ପର୍କ ରହିଛି । ମଧ୍ୟପ୍ରାଚ୍ୟରେ ଦୁଇଟି ବଡ଼ ଦେଶ ହେଉଛି ତୁର୍କୀ ଏବଂ ଇସ୍ରାଏଲ । ୧୯୪୯ ମସିହାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ରହିଛି । ଗୋଟିଏ ସମୟ ଥିଲା ଯେତେବେଳେ ତୁର୍କୀ ଇସ୍ରାଏଲକୁ ମାନ୍ୟତା ଦେଇଥିବା ପ୍ରଥମ ମୁସଲିମ ଦେଶ ଥିଲା, କିନ୍ତୁ ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅସ୍ଥିରତା ଆସିଛି । ବିଶେଷକରି ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡେଗାନ କ୍ଷମତାକୁ ଆସିବା ପରେ, ଇସ୍ରାଏଲ ସହିତ ସମ୍ପର୍କ ତିକ୍ତ ହେବାକୁ ଲାଗିଲା ଏବଂ ଧୀରେ ଧୀରେ ଫାଟ ବୃଦ୍ଧି ପାଇଛି । ହମାସ ଆକ୍ରମଣର ଜବାବରେ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତୁର୍କୀ ଖୋଲାଖୋଲି ଭାବରେ ଇସ୍ରାଏଲର ବିରୋଧ କରିଥିଲା । ତୁର୍କୀ ଇସ୍ରାଏଲ ସହିତ ବାଣିଜ୍ୟ ସମ୍ପର୍କକୁ ମଧ୍ୟ ନିଷିଦ୍ଧ କରିଥିଲା? ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଯେକୌଣସି ସମୟରେ ଉଭୟ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଦେଖାଦେଇପାରେ, ଯାହା ଫଳରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଯୁଦ୍ଧର କବଳରେ ପଡ଼ିଯିବ । ଆମେରିକା ନେତୃତ୍ୱାଧୀନ ନାଟୋର ୩୧ଟି ସଦସ୍ୟ ଦେଶ ମଧ୍ୟରୁ ତୁର୍କୀ ଗୋଟିଏ । ଏହା ସହିତ, ତୁର୍କୀର ଆମେରିକା ସହିତ ମଧ୍ୟ ଭଲ ସମ୍ପର୍କ ରହିଛି । ନାଟୋ ହେଉଛି ସଦସ୍ୟ ଦେଶମାନଙ୍କ ମଧ୍ୟରେ ଏକ ଚୁକ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ସଦସ୍ୟ ଦେଶ ଉପରେ ଆକ୍ରମଣ ହୁଏ, ତେବେ ନାଟୋ ସଦସ୍ୟ ଦେଶମାନେ ମିଶି ଏହାକୁ ରକ୍ଷା କରିବେ । ଅନ୍ୟପକ୍ଷରେ, ଆମେରିକା ଇସ୍ରାଏଲକୁ ଏକ ଅଣ-ନାଟୋ ସହଯୋଗୀର ମାନ୍ୟତା ଦିଏ । ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏପରି ଯେ ଯେତେବେଳେ ଇସ୍ରାଏଲ ପାଲେଷ୍ଟାଇନରେ ହମାସ ଏବଂ ଏହାର ସହଯୋଗୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲା, ସେତେବେଳେ ଆମେରିକା ଖୋଲାଖୋଲି ଭାବରେ ଏହାର ସମର୍ଥନରେ ଆସିଥିଲା । ଏପରିକି ଆମେରିକା ମଧ୍ୟ ଇସ୍ରାଏଲକୁ ଏହାର ଅନେକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ତଥାପି, ତୁର୍କୀ ସହିତ ବଢ଼ୁଥିବା ସାମରିକ ସଂଘର୍ଷରେ ଇସ୍ରାଏଲକୁ ଆମେରିକାର ସମର୍ଥନ ପ୍ରସଙ୍ଗ ତୁର୍କୀର ନାଟୋ ସଦସ୍ୟତା ଦ୍ୱାରା ଜଟିଳ ହୋଇଛି । ଏପରି ପରିସ୍ଥିତିରେ, ଇସ୍ରାଏଲ ତୁର୍କୀକୁ ନାଟୋରୁ ବାହାର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି, ଯାହା ଫଳରେ ଯଦି ଦୁଇ ଦେଶ ମଧ୍ୟରେ ବିବାଦର ପରିସ୍ଥିତି ଉପୁଜେ, ତେବେ ଆମେରିକା ତୁର୍କୀକୁ ସମର୍ଥନ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଅର୍ଥନୈତିକ କ୍ଷେତ୍ରରେ ତୁର୍କୀକୁ କୋଣଠେସା କରିବା ସହିତ, ଭାରତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତୁର୍କୀକୁ କୋଣଠେସା କରିପାରିବ । ଯେପରି ତୁର୍କୀରେ ମାନବାଧିକାର ଉଲ୍ଲଂଘନ ବୃଦ୍ଧି ପାଇଛି । ଭାରତ ଏହି ପ୍ରସଙ୍ଗରେ ଜାତିସଂଘରେ ତୁର୍କୀକୁ ଘେରାବନ୍ଦୀ କରିପାରିବ । ଏହା ତାଙ୍କ ବିଶ୍ୱସନୀୟତାକୁ ସିଧାସଳଖ ପ୍ରଭାବିତ କରିବ । ଭାରତ ବ୍ରିକ୍ସ, ଏ୨୦ରେ ତୁର୍କୀକୁ ମଧ୍ୟ ବିରୋଧ କରିପାରିବ । ଏହା ତାଙ୍କ ନୀତି ଉପରେ ପ୍ରଶ୍ନ ଉଠାଇପାରେ । ଏହା ପାକିସ୍ତାନକୁ ସମର୍ଥନ କରିବା ପାଇଁ ମଧ୍ୟ ବିରୋଧ କରିପାରିବ କାରଣ ଏହା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଏପରି ପରିସ୍ଥିତିରେ, ତୁର୍କୀ ବିଶ୍ୱସ୍ତରରେ ପାକିସ୍ତାନ ଭଳି ଏକା ହୋଇଯିବ ।
ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରିଥିବା ଅପରେସନ ସିନ୍ଦୂର ବିପକ୍ଷରେ ପାକିସ୍ତାନକୁ ସାହଯ୍ୟ କରିଥିଲା ତୁର୍କୀ । ଭାରତର ବନ୍ଧୁତାକୁ ଖାତିର ନକରି, ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଥିଲା । ପାକିସ୍ତାନୀ ସେନା ସେହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଭାରତୀୟ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରିଥିଲା । ତାହାର କାରଣ ହେଲା, ଚୀନ୍-ରୁଷର ଶକ୍ତିରେ ବଳବାନ୍ ତୁର୍କୀ । କାରଣ ଏହି ଦୁଇଟି ଶକ୍ତିଶାଳୀ ଦେଶ ସହିତ ତୁର୍କିର ଭଲ ବାଣିଜ୍ୟିକ ସମ୍ପର୍କ ଅଛି । ତୁର୍କୀ ଆଣବିକ ଶକ୍ତି ପାଇଁ ରୁଷ ଉପରେ ନିର୍ଭରଶୀଳ । ସେ ଏହାକୁ ବହୁ ପରିମାଣରେ ଆମଦାନି କରେ । ରୁଷ ଏବଂ ଚୀନ୍ ସହିତ ଉନ୍ନତ ବାଣିଜ୍ୟ ସମ୍ପର୍କ ଭଳି ଭାରତ ସହିତ ତୁର୍କୀର ଭଲ ସମ୍ପର୍କ ନଥିବାରୁ ଭାରତ ବଦଳରେ ପାକିସ୍ତାନକୁ ସମର୍ଥନ କରିଥାଇପାରେ । ତେବେ ତୁର୍କିର ବେଇମାନି ପରେ ଭାରତ ତୁର୍କୀର ବିଭିନ୍ନ ସାମଗ୍ରୀକୁ ରାଜ୍ୟବ୍ୟାପୀ ବର୍ଜନ କରାଯାଉଛି । ବିଶେଷ କରି ତୁର୍କୀରୁ ଆସୁଥିବା ସେଓକୁ ବର୍ଜନ କରାଯାଇଛି । ତୁର୍କୀରୁ ବହୁ ପରିମାଣରେ ଭାରତକୁ ମାର୍ବଲ ଆମଦାନି କରାଯାଏ । ଭାରତକୁ ଆମଦାନି ହେଉଥିବା ମାର୍ବଲର ୭୦ ପ୍ରତିଶତ ତୁର୍କୀରୁ ଅଣାଯାଇଥାଏ । ପ୍ରତିବର୍ଷ ତୁର୍କୀରୁ ପ୍ରାୟ ୧ ଲକ୍ଷ ୨୯ ହଜାର ୮୮୨ ମେଟ୍ରିକ୍ ଟନ୍ ସେଓ ଆମଦାନୀ କରାଯାଏ । ଏହା ବ୍ୟତୀତ କାର୍ପେଟ, ଫର୍ଣ୍ଣିଚର, ହାତ ତିଆରି ସାଜସଜ୍ଜା ସାମଗ୍ରୀ ତୁର୍କୀରୁ ଭାରତକୁ ଆସେ । ସେହିପରି ଏହି କପଡ଼ାରୁ ରେଶମ, ଲିନେନ୍, ଅଲିଭ୍ ତେଲ, ଶୁଖିଲା ଫଳ, ଚେରି, ମସଲା ଏବଂ କିଛି ଔଷଧୀୟ ପାନୀୟ ମଧ୍ୟ ଆମଦାନି କରାଯାଏ । ଶିଳ୍ପ ଯନ୍ତ୍ରପାତି, ନିର୍ମାଣ ଉପକରଣ ଏବଂ କୃଷି ଉପକରଣ ମଧ୍ୟ ତୁର୍କୀରୁ ଆମଦାନି କରାଯାଏ । ସେଭଳି କିଛି ଖାଦ୍ୟ ମଧ୍ୟରୁ ତୁର୍କୀଙ୍କର ମିଠା ଖାଦ୍ୟ ‘କୁନାଫା’ ବହୁତ ପ୍ରସିଦ୍ଧ । ସୋସିଆଲ ମିଡିଆ ଯୋଗୁଁ କୁନାଫାର ଧାରା ଅଧିକ ପ୍ରମୁଖ ହୋଇଛି । ଗତ କିଛି ଦିନ ମଧ୍ୟରେ, ଏପରି ଅନେକ ହୋଟେଲ ଖୋଲିଛି ଯେଉଁଠାରେ କୁନାଫା ଉପଲବ୍ଧ । କୁନାଫା ପୂର୍ବରୁ, ଦିଲ୍ଲୀରେ ତୁର୍କୀ କବାବ ବହୁତ ଲୋକପ୍ରିୟ ଥିଲା । ଏହି କବାବଗୁଡ଼ିକ ବହୁତ ମସଲାଯୁକ୍ତ ଏବଂ ଖଟା ହୋଇଥାଏ ଏବଂ ଲୋକମାନେ ପ୍ରାୟତଃ ଏହାର ସ୍ୱାଦ ପସନ୍ଦ କରନ୍ତି । ତେଣୁ ଭାରତ ତରଫରୁ ବୟକଟ୍ ଭିତରେ ଟ୍ରାଭେଲ୍ ଅପରେଟର ମାନେ ମଧ୍ୟ ତୁର୍କୀ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗତ ୩-୪ ଦିନରେ ତୁର୍କୀ ପାଇଁ ହୋଇଥିବା ୭୦ ପ୍ରତିଶତରୁ ଅଧିକ ବୁକିଂ ବାତିଲ ହୋଇଛି । ଭାରତ ବିରୋଧରେ ଯୁଦ୍ଧରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା, ଯାହା ପରେ ଭାରତରେ ତୁର୍କୀକୁ ବୟକଟ କରିବା ଆରମ୍ଭ ହୋଇଛି । ପ୍ରଥମେ ବ୍ୟବସାୟୀମାନେ ତୁର୍କୀରୁ ସେଓ ଏବଂ ମାର୍ବଲ୍ ଆମଦାନି ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଦେଶରେ ହ୍ୟାସଟ୍ୟାଗ୍ ବୟକଟ୍ ତୁର୍କୀ ଆରମ୍ଭ ହୋଇଛି । ଏହି କାରଣରୁ, ଭବିଷ୍ୟତରେ ତୁର୍କୀରୁ ଭାରତକୁ ଆସୁଥିବା ଅନ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଏହି ବୟକଟ ପରେ ହୋଟେଲ ଗୁଡ଼ିକରେ କିଛି ଖାଦ୍ୟ ତାଲିକାରେ ତୁର୍କୀ ଖାଦ୍ୟ ଦେଖିବାକୁ ନମିଳିପାରେ ବୋଲି କୁହାଯାଉଛି । ଏହା ବି ହବା ଆବଶ୍ୟକ । ହାତ ରେ ନ ମାରି ଭାତରେ ମାରିବା ଉପାୟ ହିଁ ସର୍ବଶ୍ରେଷ୍ଠ, ଯେପରି ପାକିସ୍ତାନକୁ ସିନ୍ଧୁ ନଦୀର ଜଳ ନ ଛାଡିବା । ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଯୁଦ୍ଧ ବେଳେ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଓ ଡ୍ରୋନ ଦେବା ଓ ପରେ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେବା, ଜଣାପଡୁଛି ତୁର୍କୀ କେତେ ସଚ୍ଚୋଟ ଦେଶ । ଯେଉଁ ଦେଶ ତାକୁ ବିପଦବେଳେ ସହାଯ୍ୟ କରିଥିଲା ସେହି ଦେଶ ବିରୋଧରେ ଯାଇ ଶତ୍ରୁ ଦେଶକୁ ସାହାଯ୍ୟ କରୁଛି ତୁର୍କୀ । ଏଥିପାଇଁ ତୁର୍କୀ କୁ ଗୋଟିଏ ଦଣ୍ଡ ଯେ ତାକୁ ସମ୍ପୂର୍ଣ୍ଣ ବୟକଟ୍ କରିବା ଓ ତାହା ସହ ସମୂର୍ଣ୍ଣ ସମ୍ପର୍କ ଛିନ୍ନ କରିବା । ଏହା ହେଲେ ସେ କଣ ଭୁଲ୍ କରିଛି, ତାହା ମରମେ ମରମେ ଭେଦିବ ଏବଂ ଚେତିବ !
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ: ୯୯୩୮୯୦୬୦୭୦