ଧର୍ମଶାଳା ବିଧାୟକଙ୍କ ଚିଠି ପରେ ଖୋଲିଲା ଡଙ୍କାରୀ ଗୁମର : ଭୂତଳ ତୈଳ ପ୍ରକଳ୍ପକୁ ଢାଙ୍କିଥିଲେ ପୂର୍ବ ସରକାର

 ଯାଜପୁର  : ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଡ଼ଙ୍କାରୀ କଳାପାହାଡ଼ରେ ପ୍ରସ୍ତାବିତ ଭୂତଳ ତୈଳ ପ୍ରକଳ୍ପ ହେବ କି ନାହିଁ ତାହା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ହୋଇ ରହିଯାଇଛି । ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ତ୍ୱେ୍ୱ ପ୍ରକଳ୍ପ ଏକ ଅନିଶ୍ଚିନ୍ତତା ମଧ୍ୟ ଦେଇ ଗତି କରିଚାଲିଛି । ପ୍ରକଳ୍ପ ହେବ-ହେବନି ଏଭଳି ଭାବନା ବର୍ଷବର୍ଷ ଧରି ଲୋକଙ୍କ ମନରେ ଲାଗି ରହିଆସିଛି । କିନ୍ତୁ ଡ଼ଙ୍କାରୀରେ ତୈଳ ପ୍ରକଳ୍ପ ପଦ୍ମଘୁଞ୍ଚି ଘୁଞ୍ଚି ଚାଲିଆସିଛି । ଡଙ୍କାରୀରୁ କଳାପଥର ଲୁଟପାଟ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବାରେ କାଳକ୍ଷପଣ ନୀତି ଅବଲମ୍ବନ କରିଚାଲିଥିବାର ମଧ୍ୟ ଅଭିଯୋଗ ହୋଇଆସୁଥିଲା । ଏପରିକି ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମାର୍ଚ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲ ଗସ୍ତ ବେଳେ ଡଙ୍କାରୀ ତୈଳ ପ୍ରକଳ୍ପ ସଂପର୍କରେ ପଦୁଟିଏ ନକହିବା ଫଳରେ ସାଧାରଣରେ ପ୍ରକଳ୍ପ ପଛର ରହସ୍ୟ ଅନେକଙ୍କ ପାଇଁ ରହସ୍ୟ ହୋଇଯାଇଥିଲା । କିନ୍ତୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଏକ ଚିଠି ପ୍ରକଳ୍ପର ଅସଲ ଗୁମର ଖୋଲି ଦେଇଛି । ଭୂତଳ ତୈଳ ପ୍ରକଳ୍ପକୁ ପୂର୍ବରୁ ସରକାର ଢାଙ୍କି ଦେଇଥିବା କଥା ସାମ୍ନାକୁ ଆସିଛି । କଳାପଥର ଲୁଟ ପାଇଁ ପୂର୍ବ ସରକାର ପ୍ରକଳ୍ପ ପାଇଁ ସହଯୋଗର ହାତ ବଢାଇନଥିବା ଜଣାପଡ଼ିଛି । 
ପ୍ରକାଶ ଥାଉକି ବହୁ ଦାବି, ଅଭିଯୋଗ ଓ ସୂଚନା ଅଧିକାର ଆଇନର ପ୍ରୟୋଗ ଫଳରେ ୪ ମିଲିଅନ ଟନ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ ଡଙ୍କାରୀ ଭୂତଳ ତୈଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ୭ ଡିସେମ୍ବର, ୨୦୧୮ରେ ଅନୁମୋଦନ କଲେ । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅଧୀନ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏଥିପାଇଁ ପ୍ରାଥମିକ ସର୍ଭେ ଓ ଜିଓ ଟେକ୍ନିକାଲ ସର୍ଭେ ସମାପ୍ତ କରିଛନ୍ତି । ୩୦ସେପ୍ଟେମ୍ବର ୨୦୧୯ରେ ଇଡ୍କୋକୁ ଜମି ଅଧିଗ୍ରହଣ ଏବଂ ରାଜ୍ୟ ସରାକାରଙ୍କୁ ପ୍ରକଳ୍ପ ମଞ୍ଜୁରୀ ପାଇଁ ଆବେଦନ କରାଯାଇଥିଲା । କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରାଥମିକତା ଭିତ୍ତିରେ ଜମି ଅଧିଗ୍ରହଣ ପାଇଁ ଚିଠି ନଂ ଡି.ଓ.ନଂ ପି-୨୫୦୧୧/୧/୨୦୦୯-ଏସ୍ୟୁପି/ଆଇସି-ଆଇଆଇ ତା୨୯ା୦୭ା୨୦୧୯ ଅନୁରୋଧ କରିଥିଲେ । ଏହି ଚିଠି ଆଧାରରେ ନିଦେ୍ର୍ଦଶକ (ପରିବେଶ ଏବଂ ସ୍ୱତନ୍ତ୍ର ସଚିବ) ସମସ୍ତ ବିଭାଗ ଓ ଏଜେନ୍ସିକୁ ଏହି ପ୍ରକଳ୍ପ ପାଇଁ ସହଯୋଗ କରିବାକୁ ଚିଠି ନଂ ଇଏନ୍ଭି-ଆଇ-୪୬/୨୦୧୭-୧୬୮୮୦ ତା ୪ା୯ା୨୦୧୯ରେ ଅନୁରୋଧ କରିଥିଲେ । ଶିଳ୍ପ ବିଭାଗ ନିଦେ୍ର୍ଦଶରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍ଆଇ) ପ୍ରସ୍ତାବିତ ଭୂତଳ ତୈଳ ପ୍ରକଳ୍ପ ଅଞ୍ଚଳରେ ଏକ ସର୍ଭେ କରି ସବୁଜ ସଂକେତ ରିପୋର୍ଟ ୨୪.୦୧.୨୦୨୧ରେ ପ୍ରଦାନ କରିଛନ୍ତି । ଆଇଏସ୍ପିଆର୍ଏଲ୍ ମଧ୍ୟ ଇଞ୍ଜିନିଅରସ୍ ଇଣ୍ଡିଆ ଲିମିଟେଡ୍ ଜରିଆରେ ଜିଓ ଟେକ୍ନିକାଲ ସର୍ଭେ କରି ଡିଏଫଆର୍ ପ୍ରସ୍ତୁତ କରିସାରିଛି । ୨୦୨୧ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରକଳ୍ପଟି ପି-ପି-ପି ମୋଡ୍ରେ ୮୭୪୩ କୋଟି ଟଙ୍କା ବ୍ୟୟ ହେବାର ସ୍ୱୀକୃତି ମିଳିଲା ।୨୦୨୨ ଡିସେମ୍ବରରେ ଆଇଏସ୍ପିଆର୍ଏଲ୍ କର୍ତ୍ତୃପକ୍ଷ  ତତ୍କାଳୀନ ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କୁ ଭେଟିବାରୁ ବିକଳ୍ପ ସ୍ଥାନ ପାଇଁ ପରାମର୍ଶ ଦିଆଯାଇଥିଲା । ତଦନୁସାରେ ଚଣ୍ଡିଖୋଲ ଡଙ୍କାରୀର ଦକ୍ଷିଣ-ପୂର୍ବରେ ଥିବା ମଝିପଡା ପାହାଡ (ପାରାଦୀପରୁ ୫୦ କିମି) ଇଆଇଏଲ୍ ଓ ଏଏସ୍ଆଇ ସହଯୋଗରେ ସର୍ଭେ ସରି ସବୁଜ ସଂକେତ ମିଳିଛି । ପ୍ରସ୍ତାବିତ ସ୍ଥାନଟି ଯେହେତୁ ପ୍ରସ୍ତାବିତ ରିଜର୍ଭ ଫରେଷ୍ଟ ସେଥିପାଇଁ ଜଙ୍ଗଲ ବିଭାଗରୁ ଅନୁମତି ଦରକାର । ଆଇଏସ୍ପିଆର୍ଏଲ ମଧ୍ୟ ନୂତନ ସ୍ଥାନ ପାଇଁ ଆଉଥରେ ଡିଏଫଆର୍ ଏବଂ ଜିଓ ଟେକ୍ନିକାଲ ସର୍ଭେ କରିବାକୁ ପଡିବ । ଫଳରେ ପ୍ରକଳ୍ପ ଆଉ ୨-୩ ବର୍ଷ ବିଳମ୍ବ ହେବା ସହ ଖର୍ଚ୍ଚ ମଧ୍ୟ ବଢିଯିବ । ଏହି ସବୁ କାରଣରୁ ଆଇଏସ୍ପିଆର୍ଏଲ୍ ପୂର୍ବ ସ୍ଥାନ (ଡଙ୍କାରୀ)ରେ ଭୂତଳ ତୈଳ ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିନମ୍ର ନିବେଦନ କରିଛି । ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨୭ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏନେଇ ଚିଠି ଲେଖିଥିଲେ । ଫଳରେ ଶିଳ୍ପ ସଚିବଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଚିଠି ନଂ ୧୭୧୮୩ ତା ୨୮ା୧୧ା୨୦୨୪ ରିଖରେ ଅନୁରୋଧ କରିଛନ୍ତି । ଆଇଏସ୍ପିଆର୍ଏଲ ଜୁଲାଇ ୨୨ତାରିଖରେ ବିସ୍ତୃତ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଦେଇଥିଲେ । ତଦନୁସାରେ ଆଇଏସ୍ପିଆର୍ଏଲ ସିଇଓ ଓ ଏମ୍ଡି ଏଲ୍ ଆର୍ ଜେନ୍ ଓ ଡେପୁଟି ସିଇଓ ଅଜୟ ଦାସୋରେ ୯ସେପ୍ଟେମ୍ବର ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତା୨୭ା୦୮ା୨୦୨୪ରେ ଚିଠି ଲେଖି ସମୟ ମାଗିଛନ୍ତି । 
ସୂଚନା ଥାଉକି ୨୦୧୭ରେ ଡଙ୍କାରୀ ସହ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକାରେ ତୈଳ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେତେ ବେଳେ ମଞ୍ଜୁରୀ ପ୍ରାପ୍ତ ଭୂତଳ ତୈଳ ଭଣ୍ଡାର ସ୍ଥାପନ ହେଲେ ୩୫୦୦ ଜଣ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପରୋକ୍ଷ ନିଯୁକ୍ତି ୫ହଜାରରୁ ଅଧିକ ହେବ । ପାହାଡ ତଳେ ଟନେଲ କରାଯାଇ ଭୂତଳରେ ତୈଳ ମହଜୁଦ ରଖାଯିବ । ଏହାର କ୍ଷମତା ୩.୭୫ ନିୟୁତ ମେଟି୍ରକଟନ ହେବ । ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ଭଳି ଆପଦକାଳୀନ ପରିସ୍ଥିତିରେ ଏହି ଭଣ୍ଡାରରେ ଗଚ୍ଛିତ ତୈଳକୁ ୮ ଦିନ ଲାଗି ବ୍ୟବହାର କରାଯିବ । ଏହା ହେବ ଦେଶର ବୃହତ୍ତମ ତୈଳ ସଂରକ୍ଷଣ ଭଣ୍ଡାର ହେବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ତା୧୨ା୯ା୧୪ରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ମାଗିଥିଲେ । ରାଜ୍ୟରେ ସରକାର ବଦଳିବା ପରେ ତୈଳପ୍ରକଳ୍ପ ପ୍ରତିଷ୍ଠା ନେଇ ଆଶା ଉଜୀବିତ ହୋଇଛି ।