ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଇଡ଼ ପାଣି କେତେ ସୁରକ୍ଷିତ?

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଇଡ଼ ପାଣି କେତେ ସୁରକ୍ଷିତ?

ପଇଡ଼ ପାଣିକୁ ପ୍ରାକୃତିକ ଶକ୍ତି ପାନୀୟ ।  ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପିଇବା ପାଇଁ ପସନ୍ଦ କରିଥାନ୍ତି। ଏହା ଶରୀରକୁ ହାଇଡ୍ରେଟ୍‌ କରେ, ଇଲେକ୍ଟ୍ରୋଲାଇଟ୍ସ ପୂରଣ କରେ ଏବଂ ଥକ୍କାପଣ ଦୂର କରିବାରେ ସାହାଯ୍ୟ କରେ। କିନ୍ତୁ କେବେ ଭାବିଛନ୍ତି କି ପଇଡ଼ ପାଣି ଡାଇବେଟିସ୍‌ ରୋଗୀଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ? ଜାଣନ୍ତୁ ଏହି ପାଣି ଡାଇବେଟିସ୍‌ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ? 

ପଇଡ଼ ପାଣିରେ ଥିବା ମିଠା ପ୍ରାକୃତିକ, ଯାହା ମୁଖ୍ୟତଃ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଭଳି ସୁଗାର ଉପାଦାନରୁ ଆସିଥାଏ। ଏକ ମଧ୍ୟମ ଆକାରର ପଇଡ଼ରେ ପ୍ରାୟ ୨୦୦-୨୫୦ ମିଲି ପାଣି ଥାଏ, ଯେଉଁଥିରେ ପ୍ରାୟ ୫-୬ ଗ୍ରାମ ପ୍ରାକୃତିକ ସୁଗାର ରହିଥାଏ। ଏହି ପରିମାଣ ବହୁତ ଅଧିକ ନୁହେଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଶୂନ୍ୟ ମଧ୍ୟ ନୁହେଁ। ଏପରି ପରିସ୍ଥିତିରେ ଏହାକୁ ସନ୍ତୁଳିତ ପରିମାଣରେ ପିଇବା ଠିକ୍‌।

ପଇଡ଼ ପାଣିରେ ସୁଗାର ପରିମାଣ କମ୍‌ ଥାଏ ଏବଂ ଏହା ଏକ କମ୍‌ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥିବା ପାନୀୟ। ଏହାର ଅର୍ଥ ହେଉଛି ଏହା ବ୍ଲଡ୍‌ ସୁଗାରକୁ ଧୀରେ ଧୀରେ ବୃଦ୍ଧି କରେ। ଯାହା ରକ୍ତରେ ଶର୍କରାର ହଠାତ୍‌ ବୃଦ୍ଧି ହେବାର ଆଶଙ୍କାକୁ ହ୍ରାସ କରେ। ତଥାପି ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରତ୍ୟେକ ପ୍ରକାରର ମିଠା ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ଦିନକୁ ଅନେକ ଥର କିମ୍ବା ଅତ୍ୟଧିକ ପରିମାଣରେ ପଇଡ଼ ପାଣି ପିଅନ୍ତି, ତେବେ ଏହା ତାଙ୍କ ବ୍ଲଡ୍‌ ସୁଗାରକୁ ପ୍ରଭାବିତ କରିପାରେ, ବିଶେଷକରି ଯଦି ଏହା ପୂର୍ବରୁ ଅନିୟନ୍ତ୍ରିତ ଥାଏ। ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଭଳି ଉପାଦାନ ରହିଛି, ଯାହା ହାର୍ଟ ଏବଂ ମାଂସପେଶୀକୁ ଭଲ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ପଇଡ଼ ପାଣିରେ କୌଣସି ଚର୍ବି ନାହିଁ ଏବଂ ଏହାର କ୍ୟାଲୋରୀ ମଧ୍ୟ ବହୁତ କମ୍‌। ଏହା ମେଦବହୁଳତା ହ୍ରାସ କରିବା ଏବଂ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ଡାଇବେଟିସ୍‌ ପାଇଁ ବହୁତ ଗୁରୁତ୍ୱପୂଣ୍ଣ ବୋଲି ବିଶେଷଜ୍ଞ କୁହନ୍ତି।  ଅଧ୍ୟୟନରୁ ଜଣାପଡ଼ିଛି, ପଇଡ଼ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଇନ୍‌ସୁଲିନ ବ୍ୟବହାର କରିବାର କ୍ଷମତାକୁ ଉନ୍ନତ କରିପାରେ।