ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପିଲାଙ୍କ ବସ୍ତାନୀ ଯାଞ୍ଚ
ମାଲକାନଗିରି : ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶିକା, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଭୁବନେଶ୍ୱରଙ୍କ ପତ୍ର ସଂଖ୍ୟା ୮୧୪୪, ତା-୨୪/୭/୨୦୨୫ ଅନୁସାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଓ ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି । ଏହି କ୍ରମରେ ଆଜି ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଚିତ୍ତରଂଜନ ପାଣିଗ୍ରାହୀ ପିଲାମାନଙ୍କ ବସ୍ତାନୀ ବୋଝ ଯାଞ୍ଚ କରିବା ପାଇଁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ମଡର୍ଣ୍ଣ ଇଂଲିସ ମିଡିୟମ ସ୍କୁଲ ପରିଦର୍ଶନ କରି ପିଲାଙ୍କ ବସ୍ତାନୀର ଓଜନ ଓ ପିଲାଙ୍କର ଓଜନ ଯାଞ୍ଚ କରିଥିଲେ । କେତେକ ବିଦ୍ୟାଳୟରେ ପିଲାମାନଙ୍କ ବସ୍ତାନୀର ଓଜନ ସରକାରଙ୍କ ନିୟମ ଠାରୁ ଅଧିକ ଥିବା ଅନୁଭବ କଲେ ଓ ଜିଲ୍ଲାର ସମସ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ । ଏବଂ ପିଲାମାନଙ୍କ ବସ୍ତାନୀ ଓଜନ ସରକାରଙ୍କ ନିୟମ ଅନୁଯାୟୀ ସୀମିତ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଯୋଜନା ସଂଯୋଜିକା ବିଜୟଲକ୍ଷ୍ମୀ ଚୌଧୁରୀ ଓ ଜିଲ୍ଲା ଶିକ୍ଷା ସଂଯୋଜକ ଶେଷଶଙ୍କର ମହାଳିକ ଉପସ୍ଥିତ ଥିଲେ ।