ସ୍କୁଲ୍ ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ବି ରକ୍ତଚାପର ଶିକାର

ସ୍କୁଲ୍ ପିଲାଙ୍କଠାରୁ ଆରମ୍ଭ କରି  ଯୁବବର୍ଗ ବି ରକ୍ତଚାପର ଶିକାର

ଆମ ଦେଶରେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ କିଂବା ଅଧିକ ଉଚ୍ଚ ରକ୍ତଚାପରେ ପୀଡ଼ିତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ଭାରତରେ ଯଦି ୫୦ ପ୍ରତିଶତ ଉଚ୍ଚ ରକ୍ତଚାପ ପୀଡ଼ିତ ନିଜ ରୋଗକୁ ନିୟନ୍ତ୍ରଣରେ ରଖିପାରିବେ ତେବେ ୨୦୪୦ ମସିହା ସୁଦ୍ଧା ଅତି କମ୍‌ରେ ୪.୬ ନିୟୁତ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ହେବ। ଏଥିସହିତ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଦେଶର ୨୧.୩ ପ୍ରତିଶତ ମହିଳା ଓ ୨୪ ପ୍ରତିଶତ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ବିଳମ୍ବରେ ରୋଗ ନିରୂପଣ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ନ ରଖିପାରିବା ହେତୁ ବହୁସଂଖ୍ୟକ ଆକ୍ରାନ୍ତ ହୃଦ୍‌ରୋଗ ଓ ମଧୁମେହର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ରକ୍ତଚାପ ଦୁଇ ପ୍ରକାରର- ସିଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍ ଓ ଡାଇଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍। ଯେତେବେଳେ ହୃତ୍‌ପିଣ୍ଡରେ ରକ୍ତର ଚାପ ସ୍ବାଭାବିକଠାରୁ ଅଧିକ ହୋଇ ଧମନୀକୁ ଅଧିକ ବେଗରେ ପ୍ରବାହିତ ହୁଏ ତାହାକୁ ସିଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍‌ ଭାବେ ଅଭିହିତ କରାଯାଏ। ସେହିପରି ପ୍ରତି ସଂକୋଚନ ପରେ ହୃତ୍‌ପିଣ୍ଡ ସାମାନ୍ୟ ଶିଥିଳ ହୋଇଥାଏ। ଏହି ଅବସ୍ଥାରେ ଧମନୀରେ ରକ୍ତଚାପ ନ୍ୟୂନତମ ସୀମାରେ ପହଞ୍ଚିଥାଏ। ଏହାକୁ ଡାଇଷ୍ଟୋଲିକ୍ ବ୍ଲଡ୍‌ପ୍ରେସର୍‌ କହାଯାଇଥାଏ। ସିଷ୍ଟୋଲିକ୍ ରକ୍ତଚାପ ୧୩୦ ମିଲିମିଟର ମରକ୍ୟୁରି ଓ ଡାଇଷ୍ଟୋଲିକ୍ ରକ୍ତଚାପ ୮୫ ମିଲିମିଟର ମରକ୍ୟୁରିରୁ କମ୍ ହେଲେ ଏହାକୁ ସାମାନ୍ୟ ବୋଲି ବିଚାର କରାଯାଏ।

ସାଧାରଣତଃ ରକ୍ତଚାପ ବୟସର ଅପରାହ୍‌ଣରେ ଦେଖାଯାଉଥିଲା। କିନ୍ତୁ ଆଜିକାଲି ଛୋଟଛୋଟ ସ୍କୁଲ୍ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଉଛି। ଓଡ଼ିଶାରେ ୨୫ରୁ ୩୦ ପ୍ରତିଶତ ପିଲାଙ୍କ ଶରୀରରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ଏହାର ମୂଳ କାରଣ ହେଲା, ଅବ୍ୟବସ୍ଥିତ ଜୀବନଶୈଳୀ ଓ ଖାଦ୍ୟପେୟ। ଏବେ ଅଧିକାଂଶ ପିଲା ସୋସିଆଲ୍ ମିଡିଆ, ଟିଭି, ମୋବାଇଲ୍‌ରେ ଅଧିକ ସମୟ ଅତିବାହିତ କରୁଛନ୍ତି। ଏହା ସହିତ ସେମାନେ ଫାଷ୍ଟ୍‌ଫୁଡ୍‌, ଛଣାଛଣି, ପିଜା ଓ ବର୍ଗର ଆଦି ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି, ଯେଉଁଥିରେ ଅଧିକ କ୍ୟାଲୋରି ରହୁଛି। ଧ୍ୟାନ ରଖିବା ଉଚିତ କି ଆମେ ଦୈନିକ ଖାଉଥିବା କ୍ୟାଲୋରିରୁ ୭୦ ପ୍ରତିଶତ କ୍ଷୟ କରିବାକୁ ପଡ଼ିବ। ଏଥିପାଇଁ ନିୟମିତ ବ୍ୟାୟାମ କରିବା ଦରକାର। ଆଜିକାଲି ଅଧିକାଂଶ ଲୋକ ଗୋଟିଏ ଜାଗାରେ ବସି କାମ କରିବାକୁ ପସନ୍ଦ କରୁଛନ୍ତି, ଯାହାଦ୍ବାରା ଶରୀରର ବ୍ୟାୟାମ ହୋଇପାରୁନାହିଁ। ଏହାଦ୍ବାରା ଆମର ମେଦ ବଢ଼ିବା ସହିତ ମାନସିକ ଚାପ ବଢ଼ିଥାଏ। ସେଥିପାଇଁ ଏକ ସୁସ୍ଥ ବାତାବରଣ ମଧ୍ୟରେ ଶିକ୍ଷା, ଖାଦ୍ୟପେୟ ଓ ଚାଲିଚଳନ ମଧ୍ୟରେ ସମନ୍ବୟ ଆଣିପାରିଲେ ଆମେ ଉଚ୍ଚ ରକ୍ତଚାପରୁ ରକ୍ଷା ପାଇପାରିବା।